ନୂଆଦିଲ୍ଲୀ, ୧/୩(ସନ୍ଧାନ ନିଉଜ) : ଶୁକ୍ରବାର ପାକିସ୍ତାନକୁ ଆସୁଥିବା ଏବଂ ପାକିସ୍ତାନରୁ ଯାଉଥିବା ସମସ୍ତ ବିମାନର ଉଡ଼ାଣକୁ ରଦ୍ଦ କରିଛି ଚୀନ୍ । ଭାରତ-ପାକ୍ ମଧ୍ୟରେ ଚାଲିଥିବା ଅଶାନ୍ତ ବାତାବରଣକୁ ଦେଖି ଚୀନ୍ ଏଭଳି ନିଷ୍ପତ୍ତି ନେଇଛି । ପାକିସ୍ତାନର ବିମାନ ବନ୍ଦରଗୁଡ଼ିକୁ ବନ୍ଦ କରି ଦିଆ ଯାଇଥିବା ବେଳେ ଯାତ୍ରୀମାନଙ୍କୁ ଏ ନେଇ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ମଧ୍ୟ-ପ୍ରାଚ୍ୟ ରାଷ୍ଟ୍ରରୁ ଆସୁଥିବା ବିମାନଗୁଡ଼ିକ ଚୀନ୍ ଯିବା ପାଇଁ ସାଧାରଣ ଭାବେ ପାକିସ୍ତାନ ଏବଂ ଭାରତ- ପାକ୍ ସୀମା ଦେଇ ପାର୍ କରିଥାଏ । କିନ୍ତୁ ଏବେ ପାକିସ୍ତାନକୁ ଉଡ଼ାଣ ରଦ୍ଦ କରି ଦିଆଯିବା ପରେ ମଧ୍ୟ ପୂର୍ବରୁ ଆସୁଥିବା ବିମାନଗୁଡ଼ିକୁ ଚୀନ୍ ଯିବା ପାଇଁ ଭାରତ,ମିଆଁମାର ବା ମଧ୍ୟ ଏସିଆ ଦେଇ ଯିବାକୁ ହେବ । ପାକିସ୍ତାନରେ ପ୍ରତି ସପ୍ତାହରେ ୨୨ଟି ବିମାନ ଉଡ଼ାଣ ଭରିବା ସହ ଅବତରଣ କରିଥାଏ । ସେଥିରେ ଦୁଇଟି ବିମାନ ଏୟାର ଚାଇନାର ଥିବା ବେଳେ ଅନ୍ୟଗୁଡ଼ିକ ପାକିସ୍ତାନ ଇଣ୍ଟରନ୍ୟାସ୍ନାଲ ଏୟାରଲାଇନ୍ସର ବୋଲି ଜଣା ପଡ଼ିଛି । ଗୁରୁବାରଠାରୁ ପାକିସ୍ତାନର ବିମାନବନ୍ଦର ବନ୍ଦ କରି ଦିଆଯିବା ପରେ, ଯାତ୍ରୀମାନଙ୍କୁ ନାହିଁ ନ ଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ।