ନୂଆଦିଲ୍ଲୀ, ୧୭/୧୦ (ସନ୍ଧାନ ନିଉଜ) : ଭାରତୀୟ ସେନାରେ ସାମିଲ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତୋପ ‘ଧନୁଷ’। ଭାରତୀୟ ସେନାରେ ସାମିଲ ହୋଇଥିବା ଧନୁଷ ବୋଫର୍ସ ତୋପ ଠାରୁ ଅଧିକ ଉନ୍ନତ । ଏହା ଭାରତୀୟ ସେନାକୁ ଶତୃ ପକ୍ଷକୁ ମାତ ଦେବାରେ ବହୁ ସହାୟକ ହେବ। ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଭାରତୀୟ ସେନାରେ ଏହାକୁ ସାମିଲ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଧନୁଷ ବୋଫର୍ସ ତୋପ ଠାରୁ ଅଧିକ ଶକ୍ତିଶାଳୀ। ଏହି ଧନୁଷ ତୋପ ଶତୃପକ୍ଷକୁ ଉପଯୁକ୍ତ ମୁକାବିଲା କରିବାରେ ସକ୍ଷମ ହେବା ସହ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଶତୃପକ୍ଷକୁ ଟାର୍ଗେଟ କରିପାରିବ। ୨୦୨୨ ସୁଦ୍ଧା ୧୪୪ ଧନୁଷ ତୋପ ନିର୍ମାଣର ଲକ୍ଷ୍ୟ ରଖାଯାଇଛି। ‘ଧନୁଷ’ ହେଉଛି ‘ବୋଫର୍ସର’ ସ୍ୱଦେଶୀ ଉନ୍ନତ ସଂସ୍କରଣ । ଏହାକୁ ଅଧିକ ଶକ୍ତିଶାଳୀ କରିବାକୁ ଆମେରିକାର ପ୍ରିସିଜନ ଗାଇଡେଡ୍ ଏକ୍ସକୈଲିବର୍ ଆର୍ଟିଲରୀ ଆମିନେସନ୍କୁ ସେନା ସାମିଲ କରିଛି । ଏହା ଦ୍ୱାରା ତୋପରେ ଅତ୍ୟାଧୁନିକ ଗୋଳା ବାରୁଦକୁ ବ୍ୟବହାର କରାଯାଇ ପାରିବ । ସେନା ପ୍ରଥମେ ଆମେରିକାର ଏକ୍ସକୈଲିବର୍କୁ କିଣିଛି । ଏହା ୪୦ କିଲୋମିଟର ଦୂର ଯାଏଁ ଲକ୍ଷ୍ୟ ଭେଦ କରିପାରିବ । ଧନୁଷ ଉଭୟ ରାତିରେ ଓ ଦିନରେ ଶତ୍ରୁପକ୍ଷକୁ ଲକ୍ଷ୍ୟଭେଦ କରି ପାରିବାର କ୍ଷମତା ରଖିଛି ।
ଧନୁଷ ଭାରତୀୟ ସେନାରେ ସାମିଲ ହେବା ପୂର୍ବରୁ ସମସ୍ତ ପରୀକ୍ଷାରେ ଉନ୍ନୀତ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଧନୁଷ ସିଆଚିନର ବରଫାଞ୍ଚଳ ଠାରୁ ଆରମ୍ଭ କରି ରାଜସ୍ତାନ ମରୁଭୂମିର ଭୀଷଣ ଗରମ ଅଞ୍ଚଳରେ ମଧ୍ୟ କାମ କରିବାରେ ସକ୍ଷମ। ୨୦୧୭ରେ ଏହି ତୋପର ନିର୍ମାଣରେ ବ୍ୟାପକ ଅନିୟମିତତା ଏବଂ ଏହି ତୋପର ନିର୍ମାଣର କମ୍ ମୁଲ୍ୟରେ ଚୀନରୁ କିଣାଯାଇଥିବା ଯନ୍ତ୍ରପାତିର ବ୍ୟବହାର ହୋଇଥିବା ଅଭିଯୋଗ ଆସିଥିଲା। ସିବିଆଇ ଏହାର ଯାଞ୍ଚ କରୁଥିଲା କିନ୍ତୁ ସରକାର ସଂସଦରେ ଏନେଇ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ଧନୁଷ ନିର୍ମାଣରେ ଅନିୟମିତତା ହୋଇନାହିଁ । ଧନୁଷର ଓଜନ ୧୩ ଟନ ହୋଇଥିବା ବେଳେ ଗୋଟିଏ ତୋପର ନିର୍ମାଣରେ ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି।