ନୂଆଦିଲ୍ଲୀ, ୨୨/୩/୨୦ (ସନ୍ଧାନ ନିଉଜ) : କରୋନା ଭୂତାଣୁ(ଭାଇରସ)ରେ ରବିବାର ଦେଶରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁ(ଭାଇରସ୍) ଯୋଗୁଁ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ରବିବାର ଚିକିତ୍ସା ସମୟରେ ଗୁଜରାଟ, ମହାରାଷ୍ଟ୍ର ଓ ବିହାରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତେବେ ଗୁଜରାଟରେ କରୋନା କାରଣରୁ ଏହା ପ୍ରଥମ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସୁରଟର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଜଣେ ୬୭ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହା ସହ ରବିବାର ଦିନ କରୋନା ଭୂତାଣୁ ଯୋଗୁଁ ଦେଶରେ ୩ଜଣଙ୍କର ମୃତ୍ୟୁ ଘଟିଛି।
ଏହାପୂର୍ବରୁ ଆଜି ବିହାରର ରାଜଧାନୀ ପାଟନାରେ କରୋନା ସଂକ୍ରମିତ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ବିହାରରେ ଏହି ମହାମାରୀ ହେତୁ ଏହା ପ୍ରଥମ ମୃତ୍ୟୁ ହୋଇଛି। ମୃତକଙ୍କ ବୟସ ୩୮ବର୍ଷ ବୋଲି ଜଣାପଡ଼ିଛି।
ସେହିପରି ରବିବାର ମହାରାଷ୍ଟ୍ରରେ କରୋନା ସଂକ୍ରମଣରେ ମଧ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ରୋଗୀଙ୍କ ବୟସ ୬୩ ବର୍ଷ ବୋଲି ଜଣାପଡ଼ିଛି। ବ୍ୟକ୍ତି ଜଣକ ମଧୁମେହ, ହାଇପର ଟେନସନ୍ ଏବଂ ହୃଦ ରୋଗର ଶିକାର ଥିବା ଜଣାପଡ଼ିଛି। ଏହାପୂର୍ବରୁ ମହାରାଷ୍ଟ୍ରରେ ମୃତ୍ୟୁବରଣ କରିଥିବା ରୋଗୀଙ୍କୁ ୫୬ ବର୍ଷ ହୋଇଥିଲା।
ମହାରାଷ୍ଟ୍ରରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ମହାରାଷ୍ଟ୍ରରେ ସଂକ୍ରମିତ କୋଭିଡ଼-୧୯ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ସମଗ୍ର ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୩୫୫ ରହିଛି। ଏଭଳି ପରିସ୍ଥିତିରେ ଭାରତରେ ମହାରାଷ୍ଟ୍ର ହେଉଛି ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ।
ଭାରତରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି
|
March 22, 2020 |



