ଭାରତକୁ ଆଞ୍ଚଳିକ ହବ୍ କରିବ ସାଉଦି, ତେଲ ଭଣ୍ଡାର ନିର୍ମାଣ କରିବ

Spread the love

ନୂଆଦିଲ୍ଲୀ,୨୫/୨(ସନ୍ଧାନ ନିଉଜ) : ତୈଳ ଯୋଗାଣରେ ଭାରତକୁ ନିଜର ଆଞ୍ଚଳିକ ହବ୍‌ କରିବାକୁ ସାଉଦି ଆରବ ଆଗ୍ରହ ପ୍ରକାଶ କରିଛି। ସାଉଦିର ବୈଦେଶିକ ମନ୍ତ୍ରୀ ଆଦେଲ୍ ବିନ୍ ଅହମ୍ମଦ ଅଲ୍‌-ଜୁବେଇର୍‌ ଏହା କହିଛନ୍ତି। ସେ କହିଲେ, ଆମେ ଭାରତରେ ତେଲ ଗଚ୍ଛିତ ରଖିବା ପାଇଁ ଭଣ୍ଡାର ସୃଷ୍ଟି କରିବା ଏବଂ ବିଶୋଧନ କ୍ଷମତା ବଢ଼ାଇବା ଆଦି କ୍ଷେତ୍ରରେ ବିପୁଳ ପରିମାଣର ନିବେଶ କରିବୁ। ଆନୁସଙ୍ଗିକ ଭିତ୍ତିଭୂମିରେ ମଧ୍ୟ ସାଉଦି ନିବେଶ କରିବ ବୋଲି ସେ କହିଛନ୍ତି। ଗତ ସପ୍ତାହରେ ସାଉଦିର କ୍ରାଉନ୍‌ ପ୍ରିନ୍‌ସ ମହମ୍ମଦ ବିଲ୍ ସଲ୍‌ମାନ୍‌ଙ୍କ ଭାରତ ଗସ୍ତରେ ଆସିଥିବା ପ୍ରତିନିଧି ଦଳର ସଦସ୍ୟ ଭାବେ ଅଲ୍‌-ଜୁବେଇର୍‌ ମଧ୍ୟ ଭାରତ ଆସିଥିଲେ। ସେହି ସମୟରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଭାରତକୁ ଆମେ ଏକ ଆଗକୁ ବଢ଼ୁଥିବା ଅର୍ଥନୈତିକ ଶକ୍ତି ଭାବେ ଦେଖୁଛୁ। ଆମେ ଏଠାରେ ତେଲ ଗଚ୍ଛିତ ରଖିବାକୁ ଭଣ୍ଡାର ନିର୍ମାଣ କରିବାକୁ ଚାହୁଁଛୁ। ଏହା ବ୍ୟତୀତ ବିଶୋଧନାଗାର ଏବଂ ଆନୁସଙ୍ଗିକ ସମ୍ପତ୍ତିରେ ନିବେଶ କରିବାକୁ ଚାହୁଁଛୁ। ମହାରାଷ୍ଟ୍ରାରେ ସାଉଦିର କଂପାନି ସାଉଦି ଆରାମ୍‌କୋ ତରଫରୁ ଏକ ଯୌଥ ଉଦ୍ୟୋଗ ମାଧ୍ୟମରେ ୪୪ ବିଲିଅନ୍ ଡଲାର ପୁଞ୍ଜିନିବେଶରେ ବିଶ୍ବର ସର୍ବବୃହତ ତୈଳ ବିଶୋଧନାଗାର ନିର୍ମାଣ କରାଯିବ। ଗୋଟିଏ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହା ହେବ ବିଶ୍ବର ସବୁଠୁ ବଡ଼ ବିଶୋଧନାଗାର। ଭାରତର ତୈଳ ଚାହିଦାକୁ ପୂରଣ କରିବାକୁ ସାଉଦି ପ୍ରତିବଦ୍ଧ ଥିବା ବେଳେ ଅଧିକ ମାତ୍ରାରେ ତେଲ ଏହା ଭାରତକୁ ବିକିବାକୁ ଚାହୁଁଛି। ଭାରତ ଏବେ ଇରାନରୁ ଅଧିକ ମାତ୍ରାରେ ତେଲ କିଣୁଛି। ଆମେରିକା ପକ୍ଷରୁ ଇରାନ ଉପରେ ଅର୍ଥନୈତିକ କଟକଣା ଲଗାଯାଇଛି। ଭାରତ ସମେତ ଅନ୍ୟ କିଛି ଦେଶକୁ ଛଅ ମାସ ପାଇଁ ଇରାନରୁ ତେଲ କିଣିବାକୁ ଆମେରିକା ଅନୁମତି ଦେଇଛି। ଯଦି ସେହି ସମୟ ସୀମାକୁ ଆମେରିକା ବଢ଼ାଇବ ନାହିଁ ତେବେ ସାଉଦି ଆରବ ଏବଂ ୟୁଏଇ ଭଳି ଦେଶରୁ ଭାରତକୁ ଅଧିକ ତେଲ କିଣିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ଆମେରିକାରେ ସେଲ୍‌ ଗ୍ୟାସ୍‌ ଉତ୍ପାଦନ ବିପୁଳ ପରିମାଣରେ ଆରମ୍ଭ ହେବା ପରେ ବିଶ୍ବ ବଜାରରେ ଅଶୋଧିତ ତେଲର ଚାହିଦା ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ତେଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବା ସାଉଦି ଆରବ ଭଳି ଦେଶ ନିଜ ରାଜସ୍ବ ପରିମାଣ ବଢ଼ାଇବାକୁ ସଂଘର୍ଷ କରୁଛନ୍ତି। ତେଲ ବଜାରରେ ନିଜର ବଜାର ଅଂଶ ବଜାୟ ରଖିବାକୁ ଏହି ଦେଶଗୁଡ଼ିକ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଛନ୍ତି।

Related Posts

About The Author

Add Comment