ମଂଚେଷ୍ଟର, ୭/୭ (ସନ୍ଧାନ ନିୟୁଜ) : ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ର ଅଧିନାୟକ ଫାଫ ଡୁ ପ୍ଲେସିସ କହିଛନ୍ତି, ଆଇସିସି ବିଶ୍ୱକପ୍ ୨୦୧୯ର ଫାଇନାଲ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇପାରେ। ଚଳିତ ସଂସ୍କରଣର ଶେଷ ଲିଗ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ରନ୍ରେ ବିଜୟୀ ହେବା ପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଏହି ପ୍ରତିକ୍ରିୟା ଦେଇଛନ୍ତି। ଅଷ୍ଟ୍ରେଲିଆ ନିଜର ଶେଷ ଲିଗ୍ ମ୍ୟାଚ୍ରେ ପରାଜିତ ହୋଇଥିବାରୁ ଭାରତ ବିଶ୍ୱକପର ଅଙ୍କ ତାଲିକାରେ ଶୀର୍ଷରେ ପହଂଚିଛି। ସେହି ଦୃଷ୍ଟିରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଜୁଲାଇ ୯ରେ ଖେଳାଯିବ। ଏହି ମ୍ୟାଚରେ ଭାରତ ବିଜୟୀ ହୋଇ ଫାଇନାଲରେ ପହଂଚିବାର ଆଶା ଅଧିକ ଦେଖାଯାଉଛି।
ଦକ୍ଷିଣ ଆଫ୍ରିକାର ଅଧିନାୟକ କହିଛନ୍ତି, ଭାରତ ଚାମ୍ପିଅନ ହେଲେ ସେ ଖୁସି ହେବେ ବୋଲି ଡୁପ୍ଲେସିସ କହିଛନ୍ତି। କାରଣ ଟୁର୍ଣ୍ଣାମେଣ୍ଟର ଗତ ୩ଟି ମ୍ୟାଚରେ ନ୍ୟୁଜିଲାଣ୍ଡର ଫର୍ମ ହ୍ରାସ ପାଇଛି। ସେ କହିଛନ୍ତି ଯେ, ଜୁଲାଇ ୧୧ରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ଇଂଲଣ୍ଡ ପରାସ୍ତ କରିପାରିବ।
ମ୍ୟାଚ୍ ପରେ ଡୁପ୍ଲେସିସ୍ କହିଛନ୍ତି, ମୁଁ ଆଶା କରୁଛି ଯେ, ଆମର ବିଜୟରେ ଭାରତ ଖୁସି ଅନୁଭବ କରୁଥିବ। ମୁଁ ଭାବୁଛି ଯେ, ବିଗତ ଦିନରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ହ୍ରାସ ପାଇଛି। ତେଣୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ।