ଭଦ୍ରକ ହେବ ସ୍ମାର୍ଟସିଟି: ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

Spread the love

ଭଦ୍ରକ: ୧/୭ (ସନ୍ଧାନ ନିୟୁଜ/ରମେଶ ନାୟକ) ଭଦ୍ରକ ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ନବନିର୍ବାଚିତ ବିଧାୟକ ସଞ୍ଜୀବ ମଲ୍ଲିକ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସହର ସାରା ଅଧିକାଂଶ ରାସ୍ତାକଡ଼ ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବାରୁ ତାହା ସମସ୍ୟା ସୃଷ୍ଟି କରୁଥିଲା। ପ୍ରଥମ ପର୍ଯ୍ୟାୟରେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ତାରିଣୀ ମନ୍ଦିର ସାମ୍ନାରୁ ଅପର୍ତ୍ତିବିନ୍ଧା ଛକ ପର୍ଯ୍ୟନ୍ତ ୨ଟି ଜେସିବି ସାହାଯ୍ୟରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଦୋକାନୀମାନଙ୍କୁ ବୁଧବାର ସନ୍ଧ୍ୟାରେ ମାଇକ୍‌ରେ ପ୍ରଚାର କରାଯାଇ ଦୋକାନ ହଟାଇବାକୁ ସୂଚନା ଦିଆଯାଇ ଗୁରୁବାର ସକାଳୁ ଭଙ୍ଗାଯିବା କାରଣରୁ ଅସନ୍ତୋଷ ଦେଖାଦେଇଥିଲା। କିନ୍ତୁ ଅଧିକାଂଶ ଲୋକ ପ୍ରଶାସନ ଓ ପୌରପାଳିକାର ଏହି ଉଚ୍ଛେଦ ପ୍ରକ୍ରିୟାକୁ ସ୍ବାଗତ କରିଥିଲେ। ମାଜିଷ୍ଟ୍ରେଟ୍‌ ଭାବେ ସୌମ୍ୟଶ୍ରୀ ପାଣିଗ୍ରାହୀ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଭଦ୍ରକ ତହସିଲଦାର ପ୍ରଦୀପ ସାହୁ, ସଦର ଆର୍‌ଆଇ ନରେଶ ମହାନ୍ତି ଉପସ୍ଥିତ ଥିଲେ। ଟାଉନ ଥାନାଧିକାରୀ ସରୋଜିନୀ ସିଂ ଦୁଇ ପ୍ଲାଟୁନ ପୋଲିସ ସହ ଶାନ୍ତିଶୃଙ୍ଖଳା ଦାୟିତ୍ୱ ତୁଲାଇଥିଲେ। ତାରିଣୀ ମନ୍ଦିର ଭଙ୍ଗାଯାଉଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ବିରୋଧ କରିବାରୁ ସାମୟିକ ଭାବେ ଉଚ୍ଛେଦ ବନ୍ଦ କରାଯାଇ ଶତାଧିକ ଦୋକାନ ଗୃହ ଭାଙ୍ଗିଦିଆଯାଇଥିବା ଜଣାପଡ଼ିଛି। ସହର ସାରା ଏହି ଉଚ୍ଛେଦ କରାଯାଇ ଜବରଦଖଲମୁକ୍ତ ଭଦ୍ରକ କରାଯିବ ବୋଲି ତହସିଲଦାର ସାହୁ ସୂଚନା ଦେଇଛନ୍ତି।

 

Related Posts

About The Author

Add Comment