ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରତି ଜିଲା ପ୍ରଶାସନର ଖାମଖିଆଲି ନୀତି: ନିର୍ବାଚନ ଫଳାଫଳର ୨୫ ଦିନ ପରେ ବି କଲେଜରେ ତାଲା, ପିଲାଙ୍କ ପାଠପଢା ବ୍ୟାହତ

Spread the love
ଭଦ୍ରକ, ୧୯ /୬ (ସନ୍ଧାନ ନିୟୁଜ) ଆଜିଠାରୁ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଜିଲା ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ଛାତ୍ରଛାତ୍ରୀମାନେ ପାଠପଢାରୁ ବଂଚିତ ହୋଇଛନ୍ତି ଏବଂ ଆସନ୍ତା ୨୮ ତାରିଖ ଠାରୁ ମହାବିଦ୍ୟାଳୟର ପ୍ରଥମ ପର୍ଯ୍ୟାୟ ଆଡମିଶନ ଆରମ୍ଭ ହେଉଥିବାବେଳେ ତଥା ଆସନ୍ତା ୬ ତାରିଖ ଦିନ ଏହାର ପ୍ରତିଷ୍ଠା ଦିବସ ହେବାକୁ ଥିବାବେଳେ ଏହି ଶିକ୍ଷାନୁଷ୍ଠାନ ଚାବିପଡି ରହିବା ଘଟଣା ବୁଦ୍ଧିଜୀବ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଶେଷ ହୋଇଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ମହାବିଦ୍ୟାଳୟ ମୁଖ୍ୟ ବିଲ୍ଡିଂର ଉଭୟ ଉପର ଓ ତଳତାଲାକୁ ଜିଲା ପ୍ରଶାସନ ନିଜ ଦଖଲକୁ ନେଇଥିଲା । କାରଣ ନିର୍ବାଚନରେ ବ୍ୟବହୃତ ଇଭିଏମ୍ ଓ ଭିଭିପାର୍ଟ ମେସିନ୍ ଗୁଡିକ ରକ୍ଷଣବେକ୍ଷଣ ପାଇଁ ଏହାକୁ ଷ୍ଟ୍ରଙ୍ଗ ରୁମ୍ ରୂପେ ବ୍ୟବହାର କରାଯାଇଥିଲା । ଏପରିକି ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ତାଲିମ୍ ମଧ୍ୟ ଏଠାରେ କରାଯାଇଥିବାରୁ ପ୍ରାୟ ଚାରିମାସ ଧରି ଜିଲା ପ୍ରଶାସନ ଏଥିରେ ଚାବି ପକାଇ ନିଜ ଅଧୀନରେ ରଖିଥିଲା । ବିଶେଷକରି ଇଭିଏମ୍ ଓ ଭିଭିପାର୍ଟ ମେସିନ୍ ଗୁଡିକର ଷ୍ଟ୍ରଙ୍ଗ ରୁମ୍ ନିମନ୍ତେ ଶ୍ରେଣୀଗୃହ ଗୁଡିକରେ ପୋତାହୋଇ ସ୍ଥାୟୀ ଭାବେ ରହିଥିବା ଲଙ୍ଗବେଂଚ୍ ଓ ଟେବୁଲ ଗୁଡିକୁ ପ୍ରଶାସନ ତାଡି ବାହାରେ ପକାଇଦେବା ସହ ଝରକା ଗୁଡିକର ବାହାର ପଟୁ ଇଟା ଦ୍ୱାରା ପ୍ଲାଷ୍ଟରିଂ କରି ବନ୍ଦ କରିଦେଇଥିଲା । ଏବଂ ଜରୁରୀକାଳୀନ ଯିବାଆସିବା ନିମନ୍ତେ ପଛପଟ ଶ୍ରେଣୀଗୃହ ଭାଙ୍ଗି କବାଟ ମଧ୍ୟ ନିର୍ମାଣ କରିଥିଲା । ତେବେ ନିର୍ବାଚନ ଫଳାଫଳ ଘୋଷଣାର ପ୍ରାୟ ୨୫ଦିନ ଅତିକ୍ରାନ୍ତ ହୋଇ ମେିସନ୍ ଗୁଡିକ ସ୍ଥାନାନ୍ତର ହୋଇଥିଲେ ବି ଜିଲା ପ୍ରଶାସନ ଏପର୍ଯ୍ୟନ୍ତ ତାହାକୁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର ନକରି ଚାବି ପକାଇ ରଖିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ଏପରିକି କଲେଜ ଅଧ୍ୟକ୍ଷଙ୍କ ବିନା ଅନୁମତିରେ ଜିଲା ପ୍ରଶାସନ ଶ୍ରେଣୀଗୃହ ଗୁଡିକ ଭାଂଗିରୁଜି ନିଜ ଇଚ୍ଛା ଅନୁସାରେ ଷ୍ଟ୍ରଙ୍ଗ୍ ରୁମ୍ କରି ବ୍ୟବହାର କରୁଥିଲେ ବି ଏପର୍ଯ୍ୟନ୍ତ ତାହା ସଜଡା ଯାଇନାହିଁ । ଝରକା ଓ କବାଟ ଗୁଡିକ ପ୍ଲାଷ୍ଟରିଂ ଦ୍ୱାରା ବନ୍ଦ ରଖାଯାଇ ତଡାଯାଇଥିବା ଟେବୁଲ ଚେୟାର ଗୁଡିକ ପଦାରେ ଫୋପଡା ଦିଆଯାଇଥିବାବେଳେ ଏବେ ମହାବିଦ୍ୟାଳୟ ପକ୍ଷରୁ ସେଗୁଡିକୁ ଉଠାଯାଇ ଏକ ଗୋଦାମ ଘରେ ରଖାଯାଇଛି । ଏବେ ମହାବିଦ୍ୟାଳୟରେ ବିଇଡି ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପାଠପଢା ଆଜିଠାରୁ ଆରମ୍ଭ ହେବାକୁ ଥିବାବେଳେ ତାହା ହୋଇପାରିନାହିଁ । ଏଭଳି ଏକ ଅଭାବନୀୟ ତଥା ସମ୍ବେଦନଶୀଳ ଘଟଣାରେ ଏ ପ୍ରତିନିଧି ଅଧ୍ୟକ୍ଷ ଡ. ପ୍ରସନ୍ନ ବିଶ୍ୱାଳଙ୍କ ସହ ଯୋଗାଯୋଗ କରିବାରେ ସେ ଜିଲାପାଳ ଜ୍ଞାନ ଦାସଙ୍କ ସହ ଟେଲିଫୋନ୍ ଯୋଗେ ଏକାଧିକ ଥର କଥାବାର୍ତ୍ତା ହୋଇଥିଲେ ବି କୌଣସି ସୁଫଳ ମିଳିନାହିଁ । ତେବେ  ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ତାଙ୍କୁ ଗୃହଗୁଡିକ ହସ୍ତାନ୍ତର କରିବା ନେଇ ଆଜି ୪ଟାରେ ଏକ ଚିଠି ହୋଇଥିବାର କହିଥିଲେ ବି ସେ ତାହା  ଏପର୍ଯ୍ୟନ୍ତ ପାଇନଥିବାର କହିଛନ୍ତି । ଏପରିକି ଚାବିକାଠି ତାଙ୍କୁ ଦିଆଯାଇନାହିଁ ବୋଲି ସୂଚାଇଛନ୍ତି । ଏଣୁ ପ୍ରାୟ ୭ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଏହି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜିଲା ପ୍ରଶାସନ ଏଭଳି ଭାବେ ଭଙ୍ଗାରୁଜା କରି ଚାବିପକାଇ ରଖିବା ଘଟଣାକୁ ଭଦ୍ରକ ପୁରାତନ ଛାତ୍ର ସଂସଦ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ଏବଂ ତୁରନ୍ତ ଜିଲାପାଳ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ଓଡ଼ିଶାର ୨ୟ ବୃହତ୍ତମ ମହାବିଦ୍ୟାଳୟ ଭାବେ ମାନ୍ୟତା ପାଇଥିବା ଏହି ଶିକ୍ଷାନୁଷ୍ଠାନରେ ଆଡମିଶନ ପ୍ରତି ବିମୁଖଭାବ ପୋଷଣ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି କିଛି ଆଶଙ୍କା ପ୍ରକାଶ ପାଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଏ ପ୍ରତିନିଧି ଜିଲାପାଳଙ୍କ ସହ ଯୋଗାଯୋଗ କରିବାରେ ସେ ଏ ଦିଗରେ ଅତିରିକ୍ତ ଜିଲାପାଳଙ୍କ ସହ  କଥା ହେବାକୁ କହିଥିଲେ ଏବଂ ଅତିରିକ୍ତ ଜିଲାପାଳ ଶ୍ରୀ ମିଶ୍ର ଏଥିପ୍ରତି ପ୍ରଶାସନ ସଚେତନ ରହିଥିବାର ଦର୍ଶାଇ ଆସନ୍ତାକାଲି ଠାରୁ ଏହାର ମରାମତି କାର୍ଯ୍ୟ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇ ୩/୪ ଦିନ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି ।

Related Posts

About The Author

Add Comment