ଭଦ୍ରକ ସହରରେ ବେଆଇନ୍ ଗଛକଟା କାହା ସ୍ୱାର୍ଥରେ! ବାଦ୍ ପଡିଲାନି ମନ୍ଦିର ନିକଟ ଅଶ୍ୱସ୍ତ ବୃକ୍ଷ

Spread the love

ଭଦ୍ରକ, ୭/୬ (ସନ୍ଧାନ ନିୟୁଜ) ସମଗ୍ର ରାଜ୍ୟରେ ଫନିର ଭୟାବହତା ଏବେବି ଲୋକଙ୍କ ମନରୁ ଲିଭିନଥିବାବେଳେ ଭଦ୍ରକ ଜିଲା ବି ସେଥିରୁ ବାଦ୍ ଯାଇନାହିଁ । ତେବେ ଏହି ବାତ୍ୟାରେ ଜିଲାର ବୃକ୍ଷରାଜିର ହାନି ଯେଉଁ ପରିମାଣରେ ଘଟିଛି, ତାର ଶୂନ୍ୟତା ପୂରଣ କରିବାରେ ଜିଲା ପ୍ରଶାସନର ସ୍ଥାଣୁତା ସମସ୍ତଙ୍କୁ ଚକିତ କରିଛି । ଏ ଦିଗରେ ନୂତନ ବୃକ୍ଷ ଲଗାଇବା ପରିବର୍ତ୍ତେ ପ୍ରଶାସନ ପକ୍ଷରୁ ଯେଭଳି ଭାବେ ବୃକ୍ଷରାଜିର ବିନାଶ ଚାଲିଛି, ତାହା ବୁଦ୍ଧିଜୀବୀ ଓ ପରିବେଶ ବିତ୍ଙ୍କ ମନରେ ଆଘାତ ଦେଇଛି । ଗତ କିଛିଦିନ ଧରି ରାସ୍ତା ଓ ଡ୍ରେନ୍ ନିର୍ମାଣ ଆଳରେ ସହରର ଶତାଧିକ ବର୍ଷର ବହୁ ମହାମହା ଦ୍ରୁମକୁ କଟାଯାଉଥିବାବେଳେ ତାହାକୁ କେତେକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବନ୍ଦ କରାଯାଇଛି ଏବଂ ଏ ଦିଗରେ ଉଚିତ୍ ପଦକ୍ଷେପ ନେବାପାଇଁ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମାତ୍ର ଏହା ସତ୍ୱେ ଆଜି ହିନ୍ଦୁଧର୍ମର ପବିତ୍ର ଗୁରୁବାରରେ ସହରର ବିଶିଷ୍ଟ ଶୈବପୀଠ ଲୋକନାଥ ମନ୍ଦିର ପୁଷ୍କରଣୀ ପାଶ୍ୱର୍ରେ ପୂଜା ପାଇଆସୁଥିବା ଏକ ଅଶ୍ୱସ୍ତ ଗଛକୁ ଜନୈକ ବ୍ୟବସାୟୀଙ୍କ ପ୍ରରୋଚନାରେ ପୌରପାଳିକା ପକ୍ଷରୁ କଟାଯିବା ଘଟଣା ପ୍ରାତଃରେ ମନ୍ଦିର ଦର୍ଶନରେ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ମନରେ ଆଘାତ ଦେଇଛି । ତେବେ ପୁଷ୍କରଣୀର ହୁଡାରେ ଥାଇ କାହାର କାର୍ଯ୍ୟରେ ବାଧା ଆଣୁନଥିବା ଏହି ଗଛଟିକୁ ଅନେକ ଭକ୍ତ ଭକ୍ତିରେ ପୂଜା କରିଆସୁଥିବାବେଳେ ନିକଟସ୍ଥ ଜଣେ ବ୍ୟବସାୟୀର ଇଙ୍ଗିତରେ ପୌରପାଳିକା ଦ୍ୱାରା ପ୍ରୋକ୍ଲିନ୍ ମେସିନ୍ ଅଣାଯାଇ ଗଛଟିକୁ ମୂଳ ସହ ଉପାଡିଦେବା ଘଟଣାକୁ ସହରର ବହୁ ଜନସାଧାରଣ ନିନ୍ଦା କରିଛନ୍ତି । ଏ ସଂପର୍କରେ ପୌରପାଳିକାର ସଫେଇ କାର୍ଯ୍ୟରେ ଦାୟିତ୍ୱରେ ଥିବା ୱାହାବୁଲାଙ୍କ ସହ ଯୋଗାଯୋଗ କରିବାରେ ସେ ଏ ବିଷୟରେ କୌଣସି କଥା ଜାଣିନଥିବାର କହିଛନ୍ତି । ତେବେ ସ୍ଥାନୀୟ ଜଣେ ଲୁଗା ଦୋକାନୀଙ୍କ ଇସାରାରେ ଏହି କାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି । ଯିଏ ପରେ ଏହି କାର୍ଯ୍ୟ ପାଇଁ ଭୁଲ୍ ସ୍ୱୀକାର କରିବା ପରେ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରଶମିତ ହୋଇଥିଲା ।

Report- Ramesh Nayak

Related Posts

About The Author

Add Comment