ଭଦ୍ରକ: ଡାକ୍ତରଖାନାରେ ଡାୟାଲିସିସ୍ ରୋଗୀଙ୍କ ସଂଖ୍ୟା ବଢୁଛି

Spread the love

ଭଦ୍ରକ, ୦୧/୮ (ସନ୍ଧାନ ନିୟୁଜ/ରମେଶ ନାୟକ) ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାୟାଲିସିସ୍ ରୋଗୀଙ୍କ ସଂଖ୍ୟା ଦୃତ ବୃଦ୍ଧି ପାଉଛି। ଆଗୁଆ ନାମ ପଂଜିକରଣ କରି ମଧ୍ୟ ଲୋକଙ୍କୁ ଚିକିତ୍ସା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି। ଡାକ୍ତରଖାନାରେ ଡାୟାଲିସିସ୍ ମେସିନ୍ ଅଭାବ ଯୋଗୁଁ ସେବା ପାଉଥିବା ରୋଗୀଙ୍କ ଅଢେଇଗୁଣ ରୋଗୀ ସେବାରୁ ବଂଚିତ ହେଉଛନ୍ତି। ଜିଲା ମୁଖ୍ୟ ଡାକ୍ତରଖାନାରେ ଏବେ ୩ଟି ଡାୟାଲିସିସ୍ ମେସିନ୍ ଜରିଆରେ ୩୧ ଜଣ ରୋଗୀଙ୍କ ଡାୟାଲିସିସ୍ କରାଯାଉଛି। ପ୍ରାରମ୍ଭରେ ୩୫ ଜଣ ରୋଗୀଙ୍କୁ ଏହି ସେବା ଯୋଗାଇ ଦିଆଯାଉଥିବା ବେଳେ ଏବେ ତାହା ୩୧ କୁ ହ୍ରାସ ପାଇଛି। କୁହାଯାଇଛି ଇତିମଧ୍ୟରେ ସେବା ଗ୍ରହଣ କରୁଥିବା ୪ ଜଣ ଡାୟାଲିସିସ୍ ରୋଗୀଙ୍କର ମୃତ୍ୟୁ ଯୋଗୁଁ ଏହି ସଂଖ୍ୟା ହ୍ରାସ ପାଇଛି। ତେବେ ଡାକ୍ତରଖାନାରେ ମାତ୍ର ୩୧ ଜଣ ରୋଗୀଙ୍କୁ ମାଗଣା ଡାୟାଲିସିସ୍ ସେବା ଯୋଗାଇ ଦିଆଯାଉଥିବାବେଳେ ଅପେକ୍ଷାରତ ତାଲିକାରେ ଆହୁରି ୪୩ ଜଣ ରୋଗୀ ରହିଛନ୍ତି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଜଣେ ରୋଗୀଙ୍କୁ ସପ୍ତାହରେ ଦୁଇଥର ଡାୟାଲିସିସ୍ କରିବାକୁ ପଡୁଥିବାବେଳେ ଜିଲା ହସ୍ପିଟାଲରେ ଥିବା ୩ଟି ଡାୟାଲିସିସ୍ ମେସିନ୍ ଜରିଆରେ ସର୍ବାଧିକ ୨୭ ଜଣ ରୋଗୀଙ୍କର ଡାୟାଲିସିତ୍ ସମ୍ଭବ ହେଉଛି। ଫଳରେ ପଂଜିକରଣ କରିଥିବା ସମସ୍ତ ରୋଗୀଙ୍କୁ ଡାୟାଲିସିସ୍ ସେବା ଯୋଗାଇ ଦେବା ସମ୍ଭବପର ହେଉନାହିଁ। କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଗତ ଫେବୃୟାରୀ ମାସ ୨୫ ତାରିଖ ଠାରୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଏହି ସେବା ଆରମ୍ଭ ହୋଇଥିବାବେଳେ ସେବା ଗ୍ରହଣ କରିବାକୁ ୭୮ ଜଣ ଲୋକ ସେମାନଙ୍କ ନାମ ପଂଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୫ ଜଣଙ୍କୁ ସେବା ଯୋଗାଇ ଦେବା ସମ୍ଭବ ହୋଇଛି। ଜିଲାର ପ୍ରାୟ ୧୬ ଲକ୍ଷ ଜନସଂଖ୍ୟାକୁ ଆଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଆରମ୍ଭ କରାଯାଇଥିଲେ ମଧ୍ୟ ଏହି କେନ୍ଦ୍ର ଜରିଆରେ ଭଦ୍ରକ ଜିଲାକୁ ଲାଗି ରହିଥିବା ପଡୋଶୀ ବାଲେଶ୍ୱର, କେନ୍ଦୁଝର, ଯାଜପୁର ଏବଂ କେନ୍ଦ୍ରାପଡା ପ୍ରଭୃତି ଜିଲାର ବହୁ ରୋଗୀ ଏହି କେନ୍ଦ୍ରକୁ ସେବା ଗ୍ରହଣ କରିବାକୁ ଆସୁଛନ୍ତି। ଏହି ରୋଗୀଙ୍କ ସଂଖ୍ୟାକୁ ହିସାବକୁ ନେଲେ ପ୍ରାୟ ୨୦ ଲକ୍ଷ ଲୋକ ଏହି ଡାକ୍ତରଖାନା ରୋଗୀ ସେବା ଉପରେ ନିର୍ଭରଶୀଳ ଅଟନ୍ତି। ତା ଛଡା ଏବେ କିଡ୍ନୀ ଏବଂ କିଡ୍ନୀ ଜନିତ ରୋଗୀଙ୍କ ସଂଖ୍ୟା ଦୃତ ବୃଦ୍ଧି ପାଉଥିବା ଯୋଗୁଁ ଅଧିକାଂଶ କିଡ୍ନୀ ପୀଡିତ ରୋଗୀଙ୍କର ଡାୟାଲିସିସ୍ ଜରୁରୀ ହୋଇପଡିଛି। ସରକାରୀ ଡାକ୍ତରଖାନା ବାହାରେ ଏହି ଚିକିତ୍ସା ଯଥେଷ୍ଟ ବ୍ୟୟ ବହୁଳ ସାବ୍ୟସ୍ତ ହେଉଥିବା ହେତୁ ସରକାରୀ ଡାକ୍ତରଖାନାରେ ଏହି ସେବା ଗ୍ରହଣ କିରବାକୁ ବହୁ ରୋଗୀ ଆସୁଥିଲେ ମଧ୍ୟ ସେମାନଙ୍କୁ ମାଗଣା ସେବା ଯୋଗାଇ ଦେବା ସମ୍ଭବପର ହୋଇପାରୁନଥିବା କୁହାଯାଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ହସ୍ପିଟାଲରେ ଡାୟାଲିସିସ୍ ମେସିନ୍ ସଂଖ୍ୟା ଅତିକ୍ରମେ ଛଅକୁ ବୃଦ୍ଧି କରିବାକୁ ସାଧାରଣ ମହଲରେ ଦାବି ହେଉଛି। ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଏବେ ୩ଟି ଡାୟାଲିସିସ୍ ମେସିନ୍ ଲାଗି ୩ଟି ବେଡ୍ ରହିଛି। ଏହାକୁ ୬ କୁ ବୃଦ୍ଧି କରିବାକୁ ହେଲେ ଜିଲା ଡାକ୍ତରଖାନାକୁ ଅଧିକ ୩ଟି ଡାୟାଲିସିସ୍ ମେସିନ୍ ଯୋଗାଇ ଦିଆଯିବା ଜରୁରୀ ବୋଲି କୁହାଯାଉଛି। ଏହାଫଳରେ କେବଳ ଅଧିକରୁ ଅଧିକ ରୋଗୀ ସରକାରୀ ଡାକ୍ତରଖାନାରେ ବ୍ୟୟବହୁଳ ଡାୟାଲିସିସ୍ ସେବା ମାଗଣାରେ ପାଇପାରନ୍ତେ ତା ନୁହେଁ ମାରାତ୍ମକ କିଡ୍ନୀ ପୀଡିତ ବହୁ ଜୀବନ ରକ୍ଷା ହୋଇପାରନ୍ତା ବୋଲି କୁହାଯାଉଛି।

Related Posts

About The Author

Add Comment