ଭଦ୍ରକ, 3/୪/୨୦ (ସନ୍ଧାନ ନିଉଜ) : ରାଜ୍ୟରେ ଆଜି ସୁଦ୍ଧା ୬ଟି କରୋନା ପଜିଟିଭ୍ ମିଳିଛି। ଯେଉଁ ଯେଉଁ ଅଞ୍ଚଳରୁ ଏହି ପଜିଟିଭ ନମୁନା ମିଳିଛି, ସେହି ସବୁ ସହରକୁ ଆଜି ରାତି ୮ଟା ଠାରୁ ୪୮ ଘଣ୍ଟା ପାଇଁ ଶର୍ଟଡାଉନ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଏବଂ ଏସପି ରାଜେଶ ଉତ୍ତମ ରାଓ ପଣ୍ଡିତ କହିଛନ୍ତି ଯେ ଏହି ଶର୍ଟଡାଉନ କର୍ଫ୍ୟୁ ଭଳି କଡା। ଏହି ସମୟରେ ସହରର କୌଣସି ଲୋକ ଚଳପ୍ରଚଳ କରି ପାରିବେ ନାହିଁ। ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆ ଯାଇଥିବା ପାସ୍ କିମ୍ବା ଯେଉଁମାନେ ନିଜର ଆଇ କାର୍ଡ ବ୍ୟବହାର କରି ଯାତାୟତ କରୁଥିଲେ ସେ ସବୁ ଏହି ପିରିୟଡରେ କାମ କରିବ ନାହିଁ। କେବଳ ଗଣମାଧ୍ୟମର କେତେକ ପ୍ରତିନିଧିଙ୍କୁ ଏସ୍ପିଙ୍କ ପକ୍ଷରୁ ଖବର ସଂଗ୍ରହ ନିମନ୍ତେ ପାସ୍ ପ୍ରଦାନ କରାଯିବ। ଯେଉଁମାନେ ରାସ୍ତାରେ ମେଡିକାଲ ଯାଉଛନ୍ତି ବୋଲି କହି ଯାତାୟତ କରୁଥିଲେ ସେମାନଙ୍କ ଉପରେ କଡା ନଜର ରଖାଯିବ। ମେଡିକାଲ ଜନିତ ଜରୁରୀ ପରିସ୍ଥିତି ଉପୁଜିଲେ ଲୋକେ ୧୦୮ କିମ୍ବା କରୋନା ହେଲ୍ପଲାଇନର ସୁବିଧା ନେଇ ପାରିବେ। ସେମାନଙ୍କ ଘରୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ଆଣିବାର ସମସ୍ତ ବନ୍ଦୋବସ୍ତ କରାଯିବ। ଏଥି ନିମନ୍ତେ ରାଜ୍ୟ ସରକାର ଅଧିକ ସଂଖ୍ୟାରେ ଆମ୍ବୁଲାନ୍ସ୍ ଯୋଗାଣ କରୁଛନ୍ତି। ଏହା ବ୍ୟତୀତ ସହର ମଧ୍ୟରେ କୌଣସି ପ୍ରକାରର ଗାଡି ଚଳାଚଳ କରି ପାରିବ ନାହିଁ। କେବଳ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗାଡି ଆଖୁଆପଦା ଠାରୁ ରାଣିତାଲ ମଧ୍ୟରେ କୌଣସି ସ୍ଥାନରେ ରାଜପଥରୁ ଉହ୍ଲାଇ ଆପ୍ରୋଚ ରୋଡ କିମ୍ବା ସବ୍ରୋଡକୁ ଯାଇ ପାରିବେ ନାହିଁ। ଧାମରା, ବାସୁଦେବପୁର ଅଞ୍ଚଳରୁ ଆସୁଥିବା ଗାଡି ସିଧା ସଳଖ ଜାମୁଝାଡି ନିକଟରେ ରାଜପଥକୁ ଯିବେ। ଭଦ୍ରକ ସହରକୁ କୌଣସି ଗାଡି ଆସି ପାରିବ ନାହିଁ କି ଯାଇ ପାରିବ ନାହିଁ। ସେହିଭଳି ଏହି ସମୟରେ ସମସ୍ତ ଦେକାନ ସହିତ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ଏବଂ କୋବିଡ଼-୧୯ ସହିତ ଜଡ଼ିତ ନ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। କେବଳ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ଅନୁମତି ଦିଆଯାଇଥିବା ଔଷଧ ଦୋକାନ ଖୋଲା ରହିବ। ଶର୍ଟଡାଉନ ପିରିୟଡରେ ଯେଉଁ ଔଷଧ ଦୋକାନ ଖୋଲା ରହିବ ସେଗୁଡିକ ହେଲା ଚରମ୍ପାର ସୁବର୍ଣ୍ଣା ମେଡିକାଲ ଷ୍ଟୋର, ହସ୍ପିଟାଲ ରୋଡ୍ର ଦୀନଦୟାଲ ମେଡିକାଲ ହଲ, କଚେରୀ ବଜାରର ବିଳାସିନୀ ଆଣ୍ଡ ସନ୍ସ, ମମତା ମେଡିସିନ ଷ୍ଟୋର, କାଜିସାହିର ଦି ଲାଇଫ୍ ମେଡିସିନ ଷ୍ଟୋର, ଆରଡି ଛକର ମାନବଜ୍ୟୋତି ମେଡ଼ିସିନ ଷ୍ଟୋର ଏବଂ ବନ୍ତ ଛକର ଲକ୍ଷ୍ମୀ ନାରାୟଣ ମେଡିକାଲ ଷ୍ଟୋର। ଏହି ୭ଟି ମେଡିସିନ ଷ୍ଟୋର ବ୍ୟତୀତ ଅନ୍ୟ ସମସ୍ତ ମେଡିସିନ ଷ୍ଟୋର ମଧ୍ୟ ବନ୍ଦ ରହିବ। କେବଳ ସ୍ୱାସ୍ଥ୍ୟ ସେବା ସହିତ ଜଡିତ କର୍ମଚାରୀ ଯେଉଁମାନେ କି ପ୍ରଶାସନ ଠାରୁ ନିର୍ଦ୍ଧାରିତ ପାସ୍ ପାଇଛନ୍ତି, ସେମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବାହାରକୁ ବାହାରିଲେ, ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କୁ ତୁରନ୍ତ ଉଠାଇ ନେଇ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ଜିଲ୍ଲାପାଳ ଡ. ଦାସ ସୂଚନା ଦେଇଥିଲେ। ଏସପି ସୂଚନା ଦେଇ କହିଥିଲେ କି ଏହି ସମୟ ମଧ୍ୟରେ ପୁଲିସ ପ୍ରଶାସନ ମଧ୍ୟ ଆଇନ ପାଳନରେ କଠୋର ହେବ। ଜିଲ୍ଲା ପୁଲିସ ବ୍ୟତୀତ ବାହାରୁ ମଧ୍ୟ ଅଧିକ ସଂଖ୍ୟାରେ ପୁଲିସ ଫୋର୍ସ ଆସୁଛନ୍ତି ବୋଲି ଏସପି ପଣ୍ଡିତ କହିଛନ୍ତି। ଏହି ଶର୍ଟଡାଉନ ସମୟସୀମାକୁ ସମସ୍ତ ସହରବାସୀ କର୍ଫ୍ୟୁ ଭଳି ମାନି ଚଳିବାକୁ ଜିଲ୍ଳାପାଳ ଅନୁରୋଧ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଭଦ୍ରକରେ ଲାଗୁ ହେଲା ଶଟଡାଉନ, ୪୮ ଘଣ୍ଟା ପାଇଁ ଲାଗୁ
|
April 4, 2020 |