ବାରିପଦା,ଉଦଳା ୩୧/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଝାଟିମାଟିରେ ତିଆରି ଘର । କାନ୍ଥବାଡ଼ ଫାଳେ ଅଛି, ଅନ୍ୟ ପଟଟି ଫାଙ୍କା ଘର ଛପର ହୋଇନି, ବର୍ଷାରେ ପାଣି ଗଳୁଛି । ଘର ଓ ବାହାରେ ଚାରିଆଡ଼େ ସନ୍ତସନ୍ତିଆ ପରିବେଶ । ଏଭଳି ଅସୁସ୍ଥ ପରିବେଶରେ ପରିବାର ସହ ଦିନ କାଟୁଛନ୍ତି ଅଭାବୀ ପରିବାର ରାମଚନ୍ଦ୍ର ସୋରେନ ଓ ତାଙ୍କ ପିଲାଛୁଆମାନେ। ଉଦଳା ବ୍ଲକ୍ ଖାଲାଡ଼ି ପଞ୍ଚାୟତର ରଙ୍ଗାମାଟିଆ ଗାଁରେ ରାମଚନ୍ଦ୍ରଙ୍କ ଘର ।
ସରକାର ଗରିବଙ୍କ ପାଇଁ ମାଳମାଳ ଯୋଜନା କରିଛନ୍ତି । ହେଲେ ଅଭାବୀ, ଦୁଃସ୍ଥ ରାମଚନ୍ଦ୍ରଙ୍କ ପରିବାର ଭାଗ୍ୟରେ ସେଥିରୁ ଗୋଟିଏ ହେଲେ ଜୁଟିପାରିନି । ମଳିମୁଣ୍ଡିଆ, ଅଶିକ୍ଷିତ ବୋଲି ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଛନ୍ତି ସେ । ରାମଚନ୍ଦ୍ର ଓ ତାଙ୍କ ପରିବାର ପ୍ରତି ନିଦାବିଷ୍ଣୁ ସାଜିଛି ବ୍ଳକ୍ ପ୍ରଶାସନ ବାରମ୍ବାର ଆବେଦନ, ଅଭିଯୋଗ ଓ ନେହୁରା ହେବା ସଙ୍ଗେ ରାମଚନ୍ଦ୍ରଙ୍କ ସହାୟତା କରିବା ଲାଗି ସରକାରୀ ଅଧୁକାରୀ କର୍ଣ୍ଣପାତ କରୁନାହାନ୍ତି । ଅଭାବ ଅସୁବିଧା ଭିତରେ ଦିନ କାଟୁଥିବା ରାମଚନ୍ଦ୍ର ସରକାରୀ ଯୋଜନାରେ ଘରଟିଏ ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଳକ୍ ପ୍ରଶାସନ ଯାଏଁ ଅନେକ ଥର ଆବେଦନ କରିଛନ୍ତି । ହେଲେ ସବୁଥର ସେ କେବଳ ନିରାଶ ହୋଇଛନ୍ତି । ଘରଟିଏ ମିଳି ନ ଥିବାରୁ ଝାଟିମାଟି କୁଡ଼ିଆରେ ପତ୍ନୀ, ଦୁଇ ପୁଅ ଓ ଝିଅଙ୍କୁ ନେଇ ରହିବାକୁ ବାଧ୍ୟ ହେଉଛନ୍ତି ରାମଚନ୍ଦ୍ର ।
ଏତିକିରେ ସରିନି ରାମଚନ୍ଦ୍ରଙ୍କ ଦୁଃଖ । ନିଇତି ମୂଲ ଲାଗିଲେ ତାଙ୍କ ପରିବାର ସଦସ୍ୟଙ୍କ ପେଟକୁ ଦାନା ଯୋଗାଡ଼ ହୁଏ ନହେଲେ ଉପାସ ରହିବାକୁ ପଡ଼େ ଆଜି ଯାଏଁ ତାଙ୍କୁ ରାସନକାର୍ଡ ମିଳିନି ଏଣୁ ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନାରୁ ମଧ୍ୟ ସେ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ରାମଚନ୍ଦ୍ରଙ୍କର ପୁଅଟିଏ ଜନ୍ମରୁ ମୁକ ହୋଇଥିବା ବେଳେ ତା ପାଇଁ ଭତ୍ତାଟିଏ ମଧ୍ୟ କରାଯାଇ ନାହିଁ । କେବଳ ରାମଚନ୍ଦ୍ର ନୁହଁନ୍ତି, ସେହି ଗାଁରେ ମହେଶ୍ୱର ହାଁସଦାଙ୍କ ଅବସ୍ଥା ମଧ୍ୟ ଅନୁରୂପ । ଘରଟିଏ ନ ଥିବାରୁ ପଲିଥିନ ହିଁ ମହେଶ୍ବରଙ୍କ ଶେଷ ଭରସା ପଲିଟିଛି । ପ୍ରଶାସନଠାରୁ ବାରମ୍ବାର ନିରାଶ ହେବା ପରେ ଭାଗ୍ୟକୁ ଆଦରି ଦିନ କାଟି ଚାଲିଛନ୍ତି ରାମଚନ୍ଦ୍ର ଓ ମହେଶ୍ଵର । ଏ ସମ୍ପର୍କରେ ବୃକ୍ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପଟେ ଗାଁକୁ ଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଖଲାଡ଼ି ସରପଞ୍ଚ ସୁଲୁମଣି ମଢ଼େଇ ପ୍ରତିଶ୍ରୁତି ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳ । ଏହି ଦୁଇ ଗରିବ ପରିବାର ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ।ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।