ବଡ଼ଚଣା, ୨୯/୯(ସନ୍ଧାନ ନିୟୁଜ) ବଡ଼ଚଣା ବିଜେଡ଼ିର କେତେକ ମଙ୍ଗୁଆଳ ସାଜି ଦର୍ପଣ ତହସିଲର ମାଣ୍ଡୁକା ଓ ଅସିଆ ଠାରୁ ଆରମ୍ଭ କରି ଶାଳପଡ଼ା, ପାରିଆ, କାଇମାଟିଆ, ସମିଆ ଓ ଚଣ୍ଡିତଳ ଆଦି ପଂଚାୟତରୁ ବେଆଇନ୍ ଭାବେ ମୋରମ୍ ଓ ମାଙ୍କଡ଼ା ପଥର ଚୋରା ଚାଳାଣ କରିବା ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି । ସେହିପରି ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ବଡ଼ଚଣା ବିଧାୟକଙ୍କର ସହଯୋଗରେ ମାଣ୍ଡୁକା ପାହାଡ଼ରୁ ହଜାର ହଜାର ଟ୍ରିପ୍ ବେଆଇନ୍ ମୋରମ୍ ଚୋରା ଚାଳାଣ କରି ଥିବା କଥା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି କଥା ଉଠିବା ପରେ ଏଠାରେ କିଛିକାଶଂରେ ଦଳର ଭାବ ମୂର୍ତି ଖରାପ ହୋଇଛି । ଏହି କଥା ବିରୋଧି କହୁଥିବା ବେଳେ ସେମାନଙ୍କୁ ପ୍ରତିହତ କରିବା ବଦଳରେ ଦୀର୍ଘଦିନ ଧରି ଦଳକୁ ଭଲ ପାଉଥିବା ପ୍ରମୁଖ ନେତୃବୃନ୍ଦଙ୍କୁ ତେର୍ଛା ଧମକ ଦିଆଯାଉଛି । ଏହାକୁ ନେଇ ଦେଢ ମାସ ହେବ ବଡ଼ଚଣାରେ ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଜୋରଦାର ହୋଇଛି । ଗୋଟିଏ ଦଳର ହୋଇଥିଲେ ମଧ୍ୟ ଶାଳିନତା ଭୁଲି ପରସ୍ପର ବିରୋଧର କୁତ୍ସାରଟନା କରିବାକୁ ମଧ୍ୟ ଏହି ଦୁଇ ଗୋଷ୍ଠୀ ପଛାଇ ନାହାଁନ୍ତି । ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଟିଟୋ ସହ ସିଧା ସଳଖ ଲିଙ୍କ ଓ ସେ ତା ଠାରୁ ଆର୍ଥିକ ଅନୁଗୃହୀତ ହୋଇଥିବା ନେଇ ଗତ ମାସରେ କଂଗ୍ରେସର ଦଳ ପକ୍ଷରୁ କ୍ରାଇମ୍ବ୍ରାଞ୍ଚ ଏସ.ଟି.ଏଫ ଏସ.ପିଙ୍କୁ ତଦନ୍ତ ପାଇଁ ଦାବୀ ପତ୍ର ଦିଆଯିବା ସଙ୍ଗେ ସଙ୍ଗେ ଚଣ୍ଡିଖୋଲ ଠାରେ ଏକ ପ୍ରତିବାଦ ସଭା ଓ ବାଲିଚନ୍ଦ୍ରପୁର ଠାରେ ବିଧାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଗୋଟିଏ ପକ୍ଷରେ ବିରୋଧି ଦଳ ବିଧାୟକଙ୍କୁ ଘେରୁଥିଲା ବେଳେ ଅନ୍ୟ ପକ୍ଷରେ ବିଧାୟକଙ୍କ ଏପରି କାର୍ଯ୍ୟ ନେଇ ଏଠାରେ ଦଳ ନିଜର ଭାବ ମୂର୍ତ୍ତୀ ହରାଉଥିବା ଆରୋପ କରି ବିଜେଡ଼ିର ବହୁ ପୁରୁଖା କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ସିଧାସଳଖ ବିଧାୟକଙ୍କୁ ଆକ୍ଷେପ କରି ତାଙ୍କ ବିରୋଧରେ ଖୋଲା ଖୋଲି ଯୁଦ୍ଧଂ ଦେହି ଡ଼ାକର ଦେଇଥିବା ଦେଖାଦେଇଛି । ବରିଷ୍ଠ ବିଜେଡ଼ି ନେତୃବୁନ୍ଦଙ୍କ ଏପରି ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ବିଧାୟକଙ୍କ ଅନୁଗତ ଗୋଷ୍ଠୀ ପକ୍ଷରୁ ଏହାର ଜବାବ ଦିଆଯିବା ସଙ୍ଗେ ସଙ୍ଗେ ସାମ୍ବାଦିକ ସମ୍ମିଳନୀ ଡ଼ାକି ଯେଉଁମାନେ ଟିଟୋ ଲିଙ୍କ୍ରେ ବିଧାୟକଙ୍କୁ ଟାର୍ଗେଟ୍ କରୁଛନ୍ତି ସେହି ସବୁ ଦଳୀୟ ନେତୃବୃନ୍ଦଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ପରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ଥମିବା ପରିବର୍ତ୍ତେ ଅଧିକ ଭୟଙ୍କର ହେଉଥିବା ଲକ୍ଷ୍ୟ କରାଯାଉଛି । ଗତ ଶନିବାର ଦିନ ବିଜେଡ଼ି ବ୍ଳକ୍ ସଭାପତି ଅରବିନ୍ଦ ସାମଲ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ଦୁଇ ଦୁଇଥର ଜିଲା ପରିଷଦ ସଭ୍ୟା ଥିବା ଇତିଶ୍ରୀ ସାମଲ ଓ ବଡ଼ଚଣାର ବହୁ ବରିଷ୍ଠ ନେତୃବୁନ୍ଦଙ୍କ ବିରୋଧରେ ମନ୍ତବ୍ୟ ଦେବା ସହ ସେମାନଙ୍କୁ ଦଳରୁ ବହିଷ୍କାର କରାଯିବା ପାଇଁ ଧମକ୍ ଦେଇଥିଲେ । ଅରବିନ୍ଦଙ୍କ ଏପରି ଧମକ୍ ପରେ ତାହାକୁ ସିଧାସଳଖ ଇତିଶ୍ରୀ ସାମଲ ଚ୍ୟାଲେଞ୍ଜ କରିବା ସହ ଅରବିନ୍ଦ ନିଜେ ୨୦୧୨ ମସିହାରେ ଏଠାରେ ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢିବା ସହ ବିଜେଡ଼ିକୁ ହରେଇବା ପାଇଁ ସିଧାସଳଖ ଦଳ ବିରୋଧି କାମ କରିଥିବା କହିବା ସଙ୍ଗେ ସଙ୍ଗେ ତାଙ୍କର ଆମକୁ ଧମକ୍ ଦେବାର କୌଣସି ଅଧିକାର ନାହିଁ ବୋଲି ସିଧାସଳଖ କହିଛନ୍ତି । ଇତିଶ୍ରୀଙ୍କ ସହିତ ବଡ଼ଚଣା ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ତଥା ପ୍ରାକ୍ତନ ବିଜେଡ଼ି ବ୍ଲକ୍ ସଭାପତି କୈଳାସ ଚନ୍ଦ୍ର ରାଉତ, ପ୍ରାକ୍ତନ ଜିଲାପରିଷଦ ସଭ୍ୟ ରମାକାନ୍ତ ରାଉତ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ପ୍ରମୋଦ ଜେନା, ପ୍ରାକ୍ତନ ବ୍ଳକ୍ ଉପାଧ୍ୟକ୍ଷ ସେବତୀ ଜେନା, ପ୍ରାକ୍ତନ ବ୍ଳକ୍ ବିଜେଡ଼ି ମହିଳା ସଭାନେତ୍ରୀ ଦମୟନ୍ତୀ ସାମଲ, ପୂର୍ବତନ ଜିଲା ପରିଷଦ ସଭ୍ୟ ରବିନ୍ଦ୍ର ଶାନ୍ତି, ପ୍ରାକ୍ତନ ସରପଞ୍ଚ ପ୍ରଭାତ କୁମାର ସାହୁ, ଶ୍ରୀଧର ପ୍ରଧାନ ସହ ବହୁ ବରିଷ୍ଠ ଓ ନିର୍ବାଚିତ ପ୍ରତିନିଧିମାନେ ବିଧାୟକ ଶ୍ରୀ ଶତପଥୀଙ୍କୁ ସିଧାସଳଖ ବିରୋଧ କରିବା ସହ ତାଙ୍କ ସହ ଥିବା କୋଟରୀ ଗୋଷ୍ଠୀଙ୍କ ବ୍ୟାପକ ଦୁର୍ନିତିକୁ ସିଧାସଳଖ ବିରୋଧ କରୁଥିବାରୁ ବଡ଼ଚଣା ବିଜେଡ଼ିରେ ଏକ ଅସ୍ୱଭାବିକ ଅବସ୍ଥା ସୃଷ୍ଟି ହୋଇଛି । ଏହାକୁ ନେଇ ରାଜନୈତିକ ମହଳରେ ଆଲୋଚନା ଜୋର ଧରିଛି ।
ବଡ଼ଚଣା ବିଜେଡ଼ି ଫାଳ ଫାଳ, କାଦୁଅ ଫିଙ୍ଗା ଚାଲିଛି ଜୋର୍ଦାର୍
|
September 28, 2018 |