ରାଉରକେଲା, ୨୦/୦୬/୨୦ (ସନ୍ଧାନ ନିଉଜ) : ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଓ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସହରର ବିଭିନ୍ନ ବ୍ୟବସାୟୀ ଗୋଷ୍ଠୀ ତଥା ରାଉରକେଲା ଚାମ୍ବର ଅଫ କମର୍ସର କର୍ମକର୍ତ୍ତାଙ୍କ ସହ ଏକ ବୈଠକରେ କୋଭିଡ -19 ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ଆଲୋଚନା କରିଛନ୍ତି। ବିଶେଷ କରି ସାମାଜିକ ଦୂରତାକୁ ବ୍ୟକ୍ତିଗତ ଏବଂ ଆନୁଷ୍ଠାନିକ ସ୍ତରରେ ଗୁରୁତର ସହ ପାଳନ କରିବାକୁ ଉଭୟ ଅଧିକାରୀ ଉପସ୍ଥିତ ବ୍ୟବସାୟୀ ତଥା କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବ୍ୟବସାୟୀ ନିଜ ନିଜ ଉଦ୍ୟମରେ ନିଜ ବ୍ୟବସାୟିକ ପ୍ରତିଷ୍ଠାନକୁ କରୋନା ମୁକ୍ତ ରଖିବା ଦିଗରେ ଆବଶ୍ୟକ ପଦକ୍ଷେପ ସ୍ୱରୁପ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଗୋଲେଇ ଚିହ୍ନଟ, ବାହାରେ ନିଶ୍ଚିତ ଭାବେ ସାନିଟାଇଜର ରଖି ତାହାକୁ ଗ୍ରାହକ ମାନେ ଯେପରି ବ୍ୟବହାର କରିବେ, ସେ ଦିଗରେ ନିଶ୍ଚିତ କରିବା ଜରୁରୀ ବୋଲି ଉଭୟ ଅଧିକାରୀ ବ୍ୟବସାୟୀଙ୍କୁ ପରାମର୍ଶ ଦେଇଥିଲେ। ନିୟମିତ ବ୍ୟବଧାନରେ ଦୋକାନକୁ ସାନିଟାଇଜ୍ କରିବା, ଦୋକାନରେ ନିୟୋଜିତ କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା, ଏବଂ ଗ୍ରାହକ ଓ ଅନ୍ୟମାନେ ଯେପରି ବିନା ମାସ୍କରେ ଦୋକାନକୁ ପ୍ରବେଶ ନକରନ୍ତି ତା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।ସେହିପରି କରୋନା ସଂପର୍କିତ ବ୍ୟବହାରଗତ ପରିବର୍ତ୍ତନ ଦିଗରେ ବିଭିନ୍ନ ବ୍ୟବସାୟିକ ଗୋଷ୍ଠୀ ଏବଂ ରାଉରକେଲା ଚାମ୍ବର ଅଫ କମର୍ସ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯିବା ଜରୁରୀ ବୋଲି ଉଭୟ ଅଧିକାରୀ ବୈଠକରେ ମତବ୍ୟକ୍ତ କରିଛନ୍ତି । ଯଦି କୌଣସି ଗ୍ରାହକ କିମ୍ବା ଦୋକାନୀ ଏସବୁ କଟକଣା ମାନିବାକୁ ରାଜି ନହେଲେ ତୁରନ୍ତ ପ୍ରଶାସନକୁ ଜଣାଇବା ଲାଗି ଅନୁରୋଧ କରାଯାଇଛି ।
ବ୍ୟବସାୟୀଙ୍କ ସହ ପ୍ରଶାସନର ବୈଠକ, ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱାରୋପ
|
June 20, 2020 |



