ଚନ୍ଦନେଶ୍ୱର, ୨୨/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ଭୋଗରାଇର ବାଜିତପୁର ପଞ୍ଚାୟତ ଅଧୀନ ସେହି ଗାଁରେ ଏକ ବ୍ୟକ୍ତିଗତ ଜାଗାରେ ସରକାରୀ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ବିରୋଧ ହୋଇଛି । ଖବର ପାଇ କଖଡ଼ା ଆରଆଇ ନିଶିକାନ୍ତ ସିଂ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଗୁରୁବାର ମାପଚୁପ ହୋଇ ଜାଗା ନିର୍ଭରଣ ହେବା ପରେ କାର୍ଯ୍ୟ ହେବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉତ୍ତେଜନା କମିଥିଲା । ମିଳିଥିବା ସୂଚନା ଅନୁଯାୟୀ; ବାଜିତପୁର ମୌଜା ଖାତା ନଂ ୧୩୩, ପ୍ଲଟ ନଂ ୯୫୧ରେ ସେହି ଗାଁର ଗୋବିନ୍ଦ ପାତ୍ରଙ୍କ ପୁଅ ସୁଧାକର, ପୀତାମ୍ବର, ଦିବାକରଙ୍କ ନାମରେ ୧୨ ଡିସିମିଲ ଜାଗା ରହିଛି । ମାତ୍ର ଉକ୍ତ ଜାଗା ସରକାରୀ ଅଣାବାଦି କହି ସରପଞ୍ଚ ପରିମଳ ଗିରି ସେଠାରେ ପାଇପ ଜଳ ବସାଇବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହେଉଛି । ଶନିବାର ଠିକାଦାର ସେଠାରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଥିଲେ । ପରିବାର ଲୋକେ ସରପଞ୍ଚଙ୍କୁ ଭେଟି କହିବା ପରେ ମଧ୍ୟ ସେ କିଛି ଶୁଣି ନଥିଲେ । ବାଧ୍ୟ ହୋଇ ସୋମବାର ପରିବାର ଲୋକେ କାମକୁ ବନ୍ଦ କରିଥିଲେ । ଏ ବାବଦରେ ଠିକାଦାରଙ୍କ ଠାରୁ ଖବର ପାଇ କଖଡ଼ା ଆରଆଇ ଘଟଣାସ୍ଥଳରେ ପହଞ୍ଚି ଜାଗାର ପଟ୍ଟାକୁ ଦେଖୁଥିଲେ । ଆସନ୍ତା ଗୁରୁବାର ମାପଚୁପ ହୋଇ ଜାଗା ଚିହ୍ନଟ ପରେ କାର୍ଯ୍ୟ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ସେଠାରୁ ସମସ୍ତ ଜିନିଷପତ୍ର ହଟାଇବାକୁ ଠିକାଦାରଙ୍କୁ କହିଥିଲେ । ଅପରପକ୍ଷରେ ଏ ବାବଦରେ ସରପଞ୍ଚ ଶ୍ରୀ ଗିରି କହନ୍ତି ୯୪୭ନଂ ପ୍ଲଟଟି ସରକାରୀ ଜାଗା ରହିଛି । ସେଠାରେ ମାଟି ପରୀକ୍ଷା କରାଯାଉଥିଲା ପରେ ଜାଗା ଚିହ୍ନଟ ହୋଇ କାର୍ଯ୍ୟ ଆରମ୍ଭ ହୋଇଥା‘ନ୍ତା ।
ବ୍ୟକ୍ତିଗତ ଜାଗାରେ ସରକାରୀ ପ୍ରକଳ୍ପକୁ ବିରୋଧ
|
December 22, 2020 |