ନୂଆଦିଲ୍ଲୀ, ୨୮/୧୧ (ସନ୍ଧାନ ନିୟୁଜ) : ଇଣ୍ଡୋନେସିଆରେ ଗତ ଅକ୍ଟୋବର ୨୯ ତାରିଖରେ ଲାୟନ୍ ଏୟାର୍ ଲାଇନ୍ସ ବିମାନ ଦୁର୍ଘଟଣାରେ ୧୮୯ ଜଣ ମୃତ୍ୟୁ ମୁଖରେ ପଡ଼ିଥିଲେ। ବିମାନଟି ଉଡ଼ାଣ ଭରିବାର କେଇ ମିନିଟ୍ ପରେ ସମୁଦ୍ର ଭିତରେ ଖସି ପଡ଼ିଥିଲା।
ଏହି ଦୁର୍ଘଟଣାର ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି କି ବିମାନ ଚଳାଉଥିବା ଭାରତୀୟ ପାଇଲଟ୍ ଭବ୍ୟ ସୁନେଜା ଶେଷ ପର୍ଯ୍ୟନ୍ତ ଦୁର୍ଘଟଣା ଏଡ଼େଇବା ଲାଗି ପ୍ରୟାସ କରିଥିଲେ। କିନ୍ତୁ ସେ ସଫଳ ହୋଇ ପାରି ନ ଥିଲେ। ଦୁର୍ଘଟଣାଗ୍ରସ୍ତ ବୋଇଂ ୭୩୭ ମ୍ୟାକ୍ସ ଜେଟର ଅଟୋମ୍ୟାଟିକ୍ ସେଫ୍ଟି ସିଷ୍ଟମ୍ ଭୁଲ୍ ସଂକେତ ଦେବାରୁ ବିମାନଟି ତଳ ମୁହାଁ ହେବା ଆରମ୍ଭ କରିଥିଲା। ହଠାତ ଏପରି ହେବା ଦେଖି ସୁନେଜା ବିମାନକୁ ନିୟନ୍ତ୍ରଣରେ ରଖିବା ଲାଗି ସବୁ ପ୍ରକାର ଉଦ୍ୟମ କରିଥିଲେ। ମାତ୍ର ସେ ଅସଫଳ ହେବାରୁ ବିମାନଟି ତଳମୁହାଁ ହୋଇ ସମୁଦ୍ରରେ ଖସି ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ମାତ୍ର ୧୩ ମିନିଟ୍ ସମୟ ଭିତରେ ୨୪ ଥର ବିମାନଟି ସେଫ୍ଟି ସିଷ୍ଟମ୍ର ଭୁଲ୍ ସଂକେତ ଯୋଗୁଁ ତଳ ମୁହାଁ ହୋଇଥିଲା।
ଇଣ୍ଡୋନେସିଆର ନ୍ୟାସ୍ନାଲ୍ ଟ୍ରାନ୍ସପୋର୍ଟେସନ ଅଥରିଟି ପକ୍ଷରୁ କରାଯାଇଥିବା ତଦନ୍ତରେ ପ୍ରକାଶ ପାଇଛି କି ଏହି ଘଟଣାର ଦିନକ ପୂର୍ବରୁ ଆଉ ଏକ ବୋଇଂରେ ଠିିକ୍ ଏଭଳି ସମସ୍ୟା ଦେଖା ଦେଇଥିଲା ଓ ଏହାର ପାଇଲଟ୍ ଭିନ୍ନ ଏକ ପ୍ରକ୍ରିୟା ମାଧ୍ୟମରେ ବିମାନଟିକୁ ନିୟନ୍ତ୍ରଣକୁ ଆଣିଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟଙ୍କୁ ଏହି ପ୍ରକ୍ରିୟା ବିଷୟରେ ଜଣାଇଥିଲେ ମଧ୍ୟ ସେ କାହିଁକି ଏହାର ପ୍ରୟୋଗ କରି ନ ଥିଲେ ସେ ନେଇ ଅନୁସନ୍ଧାାନ ଚାଲିଛି।



