ବାରିପଦା ୨୨/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବୈଶିଙ୍ଗାରୁ ରୂପସା ପଯ୍ୟନ୍ତ ଲମ୍ବିଯାଇଥିବା ରାସ୍ତା ଆଜିର ନୁହେଁ । ମୟୂରଭଞ୍ଜ ଷ୍ଟେଟ ସମୟରୁ ଏହି ରାସ୍ତା ମହାରାଜା ରୂପସା ରେଲୱେ ଜଙ୍କସନକୁ ଯୋଗାଯୋଗ ନିମନ୍ତେ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ଏହା ପୂର୍ବ ବିଭାଗ ଅଧିନକୁ ଆସିଛି । ମୟୂରଭଞ୍ଜର ତତ୍କାଳୀନ ମହାରାଜା ଯେଉଁ ରାସ୍ତାକୁ ଗୁରୁତ୍ଵ ପ୍ରଦାନ କରିଆସୁଥିଲେ ସେହି ରାସ୍ତା ଏବେ ଅବହେଳିତ ଅବସ୍ଥାରେ ଥିବାରୁ ବହୁ ପୁରୁଖା ବ୍ୟକ୍ତି ବର୍ତ୍ତମାନ ଶାସନ ବ୍ୟବସ୍ଥାକୁ ସମାଲୋଚନ କରିଛନ୍ତି । ଏହି ରାସ୍ତା ଉପରେ ନିର୍ଭର କରି ସାଧାରଣ ଜନତା ରେଳ ଯୋଗେ କଲିକତା ତଥା ଅନ୍ୟାନ୍ୟ ସ୍ଥାନକୁ ରେଳଗାଡ଼ିରେ ଯିବା ଆସିବା କରୁଥିଲେ । ଏହି ରାସ୍ତାର ଗୁରୁତ୍ଵ ରହିଥିବା ବେଳେ ଏହି ରାସ୍ତାର ଉନ୍ନତିକରଣ ନିମନ୍ତେ ବିଭାଗ ପକ୍ଷରୁ ଅବହେଳା ପ୍ରଦର୍ଶନ କରାଯାଉଥିବାରୁ ଜନସାଧାରଣ ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ସରକାରକୁ ସମାଲୋଚନା କରିଛନ୍ତି । ରୁପସାଠାରେ ଏଫସିଆଇ ଗୋଦାମ ରହିଥିବାବେଳେ ସେଠାରୁ ଜିଲ୍ଲାର ବିଭିନ୍ନ ବ୍ଲକକୁ ଚାଉଳ ଓ ଗହମ ମାଲବାହୀ ଟ୍ରକ ଯୋଗେ ଆସିଥାଏ । ଏତଦ୍ ବ୍ୟତୀତ ଏହି ରାସ୍ତା ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତାର ମାନ୍ୟତା ବହନ କରୁଥିବାବେଳେ ତାଙ୍କୁ ବାରମ୍ବାର ଅବହେଳା କରାଯିବା ଅତ୍ୟନ୍ତ ଦୁଃଖଦ ବିଷୟ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି । ବିଧାୟକ , ସାଂସଦ ତଥା ସରକାରୀ କଳ ଏହି ରାସ୍ତାକୁ ଅଣଦେଖା କରିବା ଫଳରେ ଐତିହ୍ୟ ସମ୍ପୂର୍ଣ୍ଣ ଏହି ରାସ୍ତାର ଗୁରୁତ୍ଵ କମିବାରେ ଲାଗିଛି । ୨୦୦୯/୧୦ ମସିହାରେ ତତ୍କାଳୀନ ବଡସାହି ବିଧାୟକ ମନୋରଞ୍ଜନ। ସେଠୀଙ୍କ ସମୟରେ ଏହି ରାସ୍ତା ଜାତୀୟ ବିପତ୍ତି ପାଣ୍ଠିରୁ ମଞ୍ଜୁର ହୋଇଥିବା ଅନୁଦାନ ନିର୍ମାଣ ଆରମ୍ଭ ହୋଇଥିଲା । ସେ ସମୟରେ ଏହି ରାସ୍ତାକାମ ସଠିକ ଭାବେ ନିର୍ମାଣ ନହେବା ଓ ନୀମ୍ନମାନର ହେବା ଅନୁଭବ କରି ସମାଜସେବୀ ଅରବିନ୍ଦ ସାହୁ ସେ ସମୟରେ ବିଭାଗୀୟ ଅଧିକାରୀଙ୍କ ଜିଲ୍ଲା କାର୍ୟ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ପରେ ଯେନତେନ ପ୍ରକାରେ ରାସ୍ତା ନିର୍ମାଣ ହେଲା ମାତ୍ର ଏହି ରାସ୍ତା ସଠିକ୍ ଭାବେ ତିଆରି ନହେବା ଯୋଗୁଁ ରାସ୍ତାର ଅବସ୍ଥା ଅଳ୍ପ ଦିନ ମଧ୍ୟରେ ଖରାପ ହୋଇଗଲା । ବିଭାଗ ପକ୍ଷରୁ କେବଳ ପେଚମାରୀ କାମ ସାରିଦେଲେ ଫଳରେ ରାସ୍ତାରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତାରେ ବାଇକ ଠାରୁ ଆରମ୍ଭ କରି ୧୦ ଚକିଆ ଯାନ ଅହରହ ଚାଲିଥିବା ବେଳେ ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ସାଧାରଣ ଲୋକ ଯିବା ଆସିବା ମଧ୍ୟ ବାଧାପ୍ରାପ୍ତ ହେବାରେ ଲାଗିଛି । ଏହି ରାସ୍ତା ଯଦି ମରାମତି ନ ହୁଏ ତେବେ ପୁଣିଥରେ ଅନଶନରେ ବସିବାକୁ ସମାଜ ସେବୀ ପ୍ରସ୍ତୁତ ହୋଉଥିବା ଜଣାଯାଇଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ସହ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା ।
ବୈଶିଙ୍ଗା-ରୂପସା ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା
|
July 22, 2020 |