*ବେଦମତୀ ରାଵଣଙ୍କୁ କାହିଁକି ଅଭିଶାପ ଦେଲେ,ଇନ୍ଦ୍ର  ମେନକାକୁ ଅଭିଶାପ ଦେବାର କାରଣ କ’ଣ ଥିଲା ଓ ଋଷିମାନେ ଶିଶୁକନ୍ଯାଟିକୁ କେଉଁ ନାମରେ ନାମିତ କଲେ*

Spread the love

ଥରେ ଋଷି କୁଶଧ୍ଵଜ ବେଦଧ୍ଵନି କରୁଥିବା ବେଳେ ବେଦଧ୍ବନିର ଗମ୍ଭୀର ଶବ୍ଦ ମଧ୍ଯରୁ କନ୍ଯାଟିଏ ଜାତ ହେଲା । ଋଷି କୁଶଧ୍ଵଜ ଯୋଗବଳରେ ଜାଣି ପାରିଲେ ଯେ ସ୍ବୟଂ ମହାଲକ୍ଷ୍ମୀ ଯେ କି ରାଜା ଅମ୍ବରୀଶଙ୍କ କନ୍ଯା ଶ୍ରୀମତୀ ରୂପେ ଜନ୍ମଲାଭ କରିଥିଲେ, ଦେବର୍ଷି ନାରଦଙ୍କ ଅଭିଶାପ ହେତୁ ସେ ବର୍ତ୍ତମାନ ବେଦଧ୍ବନିରୁ ଜନ୍ମଲାଭ କରିଛି । ତେଣୁ ଋଷି କୁଶଧ୍ଵଜ ସେହି ଶିଶୁଟିକୁ ନିଜର ଝିଅକରି ପାଳିବାରେ ଲାଗିଲେ । ବେଦଧ୍ବନିରୁ ଜାତ ହୋଇଥିବାରୁ ଏହାର ନାମ ବେଦମତୀ ଦେଲେ । ବେଦମତୀ ବୃଦ୍ଧିଲାଭ କରି ଯୌଵନରେ ପଦାର୍ପଣ କରନ୍ତେ ତାଙ୍କୁ ମହାବିଷ୍ଣୁଙ୍କ ସହିତ ବିବାହ ଦେବା ପାଇଁ ଋଷି କୁଶଧ୍ଵଜ ନିଷ୍ପତ୍ତି ଗ୍ରହଣ କରିଥିଲେ । ଶମ୍ଭୁନାମକ ଦୈତ୍ଯ କୁଶଧ୍ଵଜଙ୍କ ପାଖକୁ ଆସି ଵେଦମତୀଙ୍କି ବିବାହ କରିବାକୁ ପ୍ରସ୍ତାବ ଦେଲା । କିନ୍ତୁ ଵେଦମତୀ ମହାବିଷ୍ଣୁଙ୍କୁ ବିବାହ କରିବ ବୋଲି କହି କୁଶଧ୍ଵଜ ଶମ୍ଭୁଦୈତ୍ଯକୁ ନାହିଁ କରିଦେଲା । ଏଥିରେ ଶମ୍ଭୁଦୈତ୍ଯ ନିରାଶ ହୋଇ ଭାରି ରାଗିଗଲା ଓ ନିଶାର୍ଦ୍ଧରେ ଆସି କୁଶଧ୍ଵଜଙ୍କୁ ହତ୍ଯାକଲା । କୁଶଧ୍ଵଜଙ୍କ ପତ୍ନୀ କୁଶଧ୍ଵଜଙ୍କ ଚିତାଗ୍ନିରେ ପ୍ରବେଶ କରି ଦେହତ୍ଯାଗ କଲେ । ତହୁଁ ବେଦମତୀ ମହାବିଷ୍ଣୁଙ୍କୁ ପତିରୂପେ ପାଇବା ପାଇଁ ହିମାଳୟକୁ ଯାଇ ସେଠାରେ ତପସ୍ଯାରେ ବସିଲେ ।*

*ଦିନେ ରାବଣ ପୁଷ୍ପକ ବିମାନରେ ଆକାଶ ମାର୍ଗରେ ଗଲାବେଳେ ରାବଣର ଦୃଷ୍ଟି ବେଦମତୀ ଉପରେ ପଡିଲା । ବେଦମତୀଙ୍କର କମନୀୟ ରୂପଲାବଣ୍ଯ ଦେଖି ରାବଣ କାମଜ୍ବାଳାରେ ଅସ୍ଥିର ହେଲା ଓ ସେଠାରେ ଉହ୍ଲାଇ ବେଦମତୀଙ୍କୁ ବିଵାହ କରିବ ଵୋଲି କହିଲା । ଵେଦମତୀ ମନାକରିବାରୁ ରାଵଣ ବଳତ୍କାର କରିଵା ଉଦ୍ଦେଶ୍ୟରେ ବେଦମତୀଙ୍କ କେଶ ଆକର୍ଷଣ କରିବାରୁ ବେଦମତୀ ନିଜର କେଶ ଛିଣ୍ଡାଇ ରାବଣ କବଳରୁ ମୁକ୍ତ ହେଲେ ଓ ରାବଣଙ୍କୁ କହିଲେ–ରେ ଦଶାନନ,ତୋ ସ୍ପର୍ଶରେ ଅପବିତ୍ର ହୋଇଥିବା ମୋ ଦେହକୁ ମୁଁ ବର୍ତ୍ତମାନ ତ୍ଯାଗ କରିବାକୁ ଯାଉଛି । ବର୍ତ୍ତମାନ ମୁଁ ତୋତେ ଏହି ଅଭିଶାପ ଦେଉଛି ଯେ ମୋର ପରବର୍ତ୍ତୀ ଜନ୍ମରେ ମୋ ହେତୁ ତୋର ପ୍ରାଣନାଶ ହେବ । ଦେଵର୍ଷି ନାରଦଙ୍କଠାରୁ ପରାମର୍ଶ ପାଇ ରାବଣ ଵେଦମତୀଙ୍କ ଶବକୁ ନଷ୍ଟ କରିଦେବା ଉଦ୍ଦେଶ୍ୟରେ ଚର ପଠାଇ ହିମାଳୟ ନିକଟରୁ ଲଙ୍କାଗଡକୁ ଅଣାଇଲା ଓ ଶବଟିକି ରାନ୍ଧି ତାକୁ ଖୁଆଇବା ପାଇଁ ନିଜ ପତ୍ନୀ ମନ୍ଦୋଦରୀଙ୍କି ନିର୍ଦ୍ଦେଶ ଦେଲା । ମନ୍ଦୋଦରୀଙ୍କ ପାଖରେ ନାରଦ ଏକାନ୍ତରେ ପହଞ୍ଚି ସେହି ଶବଟିକୁ ନରାନ୍ଧି ସମୁଦ୍ରରେ ଭସାଇଦେବା ପାଇଁ ପରାମର୍ଶ ଦେଲେ । ତେଣୁ ସେହି ଶବଟିକୁ ଗୋପନରେ ଗୋଟିଏ ସିନ୍ଦୁକ  ଭିତରେ ରଖି ମନ୍ଦୋଦରୀ ସେହି ସିନ୍ଦୁକକୁ ସମୁଦ୍ରରେ ଭସାଇଦେଲେ । ସେହି ସିନ୍ଦୁକଟି ସମୁଦ୍ରରେ ଭାସିଆସି କୂଳରେ ଲାଗିଲା ଓ ସମୁଦ୍ର ତଟରେ ଥିବା ବାଲି ମଧ୍ଯରେ ପୋତି ହୋଇ ପଡିଲା*

*ମିଥିଳାର ରାଜା ଜନକଙ୍କର କୌଣସି ସନ୍ତାନ ନ ଥିଲା । ପୁତ୍ରପ୍ରାପ୍ତି ଆଶାରେ ସେ ତପସ୍ଯା ଦ୍ବାରା ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଇଛାକଲେ । ତେଣୁ ସେ ମନ୍ତ୍ରୀମାନଙ୍କ ହାତରେ ରାଜ୍ଯଭାର ଦେଇ ତପସ୍ଯା କରିବା ପରେ ନିଜେ ଜନକ ତମସା ନଦୀରେ ସ୍ନାନ କରୁଥିବାବେଳେ ଆକାଶକୁ ଚାହିଁଦେଲେ । ସେତେବେଳେ ପରମା ସୁନ୍ଦରୀ ଅପ୍ସରା ମେନକା ଶାପମୁକ୍ତ ହୋଇ ମର୍ତ୍ତ୍ୟଭୂମିରୁ ସ୍ବର୍ଗଲୋକକୁ ଆକାଶ ମାର୍ଗରେ ଗମନ କରୁଥିଲା । ମେନକା ଅପ୍ସରାର ସୌନ୍ଦର୍ଯ୍ୟ ଦେଖି ଜନକ ମୋହିତ ହୋଇଗଲେ । ଭାବିଲେ ମୋର ଏହିପରି ଗୋଟିଏ ସୁନ୍ଦରୀ ଝିଅ ଥାନ୍ତା କି!*

*ଏହି ସମୟରେ ଆକାଶ ପଥରୁ ମେନକା କହିଲା–ହେ ରାଜର୍ଷି ଜନକ ! ମୁଁ ହେଉଛି ସ୍ବର୍ଗର ଏକ ଅପ୍ସରା । ମୋ ନାଆଁ ମେନକା । ତୁମ ହୃଦୟର ବ୍ଯଥା ମୁଁ ବୁଝିପାରିଛି । ତୁମ ମନକଥା ମୁଁ ଜାଣିପାରିଛି । ଇନ୍ଦ୍ରଙ୍କ ଅଭିଶାପ ହେତୁ ମୁଁ ମର୍ତ୍ତ୍ୟଭୂମିରେ ମାନୁଷୀରୂପେ ରହିଥିଲି । ବର୍ତ୍ତମାନ ମୁଁ ମୁକ୍ତି ପାଇ ସ୍ଵର୍ଗକୁ ଯାଉଛି । ହେ ଜନକ,ତୁମ୍ଭେ ନିଶ୍ଚୟ ଗୋଟିଏ ଝିଅ ପାଇବ ଯେ କି ମୋଠାରୁ ଶହେଗୁଣ ଅଧିକ ସୁନ୍ଦରୀ । ଜନକ ପଚାରିଲେ –ହେ ମେନକା,ଇନ୍ଦ୍ର ତୁମ୍ଭଙ୍କୁ କାହିଁକି ଅଭିଶାପ ଦେଇଥିଲେ । ମେନକା କହିଲା–ଦିନେ ଦେବସଭାରେ ଆମେ ଆଠଜଣ ଅପ୍ସରା ନୃତ୍ୟ କରୁଥିଲୁ । ସେଠାରେ ଗନ୍ଧର୍ବ ଚିତ୍ରସେନ ଉପସ୍ଥିତ ଥିଲା । ଚିତ୍ରସେନର ରୂପରେ ଆକୃଷ୍ଟହୋଇ ମୁଁ କାମଜ୍ବାଳାରେ ଅସ୍ଥିର ହେବାରୁ ଇନ୍ଦ୍ର ତାହା ଜାଣିପାରି ମୋତେ ଅଭିଶାପ ଦେଲେ–ଲୋ ମେନକା,ତୁ ପୁତ୍ରରୂପ ଦେଖି କାମାର୍ଥୀ ହେଲୁ । ତେଣୁ ମୁଁ ତୋତେ ଏହି ଅଭିଶାପ ଦେଉଛି ଯେ ତୁ ମର୍ତ୍ତ୍ଯଭୂମିରେ ମ୍ଲେଛ ରୂପରେ ଜାତ ହେବୁ । ଏହା ଶୁଣି ମୁଁ ସେଥିରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରିବାରୁ ଇନ୍ଦ୍ର କହିଲେ , ମର୍ତ୍ତ୍ଯରେ ମ୍ଲେଛ ରୂପେ କିଛିକାଳ କଟେଇଲା ପରେ ତୁ ଗିରିରାଜଙ୍କ ଦର୍ଶନ ପାଇଲାମାତ୍ରେ ମୁକ୍ତିଲାଭ କରି ସ୍ବର୍ଗକୁ ଆସିବୁ । ବର୍ତ୍ତମାନ ମୁଁ ସେଥିରୁ ମୁକ୍ତି ପାଇ ସ୍ବର୍ଗକୁ ଯାଉଛି । ହେ ରାଜନ,ତୁମ୍ଭେ ନିଶ୍ଚୟ ଗୋଟିଏ ପରମାସୁନ୍ଦରୀ ଝିଅ ପାଇବ । ଜନକ ପଚାରିଲେ– ହେ ମେନକା , ମୁଁ ଝିଅଟିକୁ ପାଇବି ବୋଲି ତୁମ୍ଭେ କିପରି ଜାଣିଲ ?*

*ମେନକା କହିଲା–ମୁଁ ସ୍ଵର୍ଗରେ ଥିଲାବେଳେ ଦିନେ ନାରଦ ଆସି ଇନ୍ଦ୍ରଙ୍କୁ କହିଲେ ଯେ କୁଶଧ୍ଵଜମୁନିଙ୍କ ଝିଅ ଵେଦମତୀ ଜନକ ରାଜାଙ୍କ ଝିଅ ହେଵ । ସମୁଦ୍ରର ଦକ୍ଷିଣ ତୀରରେ ଯେଉଁ ବାଲୁକାରାଶି ଵ୍ଯାପିଛି ସେହି ଵାଲି ଭିତରେ ବେଦମତୀଙ୍କ ଶବ ରହିଛି । ହେ ଜନକ,ତୁମ୍ଭେ ସୁବର୍ଣ୍ଣ ଲଙ୍ଗଳ ନେଇ ସେହି ବାଲିକି କର୍ଷଣ କର । ସେଥିରୁ ତୁମ୍ଭେ ଝିଅ ପାଇବ । ଏହାକହି ମେନକା ସ୍ବର୍ଗକୁ ଚାଲିଗଲା । ମେନକା କଥା ଶୁଣି ଜନକ ଭାରି ଆନନ୍ଦିତ ହେଲେ ଓ ସଙ୍ଗେ ସଙ୍ଗେ ସେଠାରୁ ଫେରିଆସି ମିଥିଳାରେ ଥିବା ନିଜ ଉଆସରେ ପହଞ୍ଚିଲେ ଓ ଯଜ୍ଞଦ୍ରବ୍ଯସବୁ ଯୋଗାଡକରି ରଖିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଲେ । ପାତ୍ରମନ୍ତ୍ରୀ ଓ ଋଷିମାନଙ୍କୁ ସଙ୍ଗରେ ନେଇ ଜନକ ରାଜା ମିଥିଳାରୁ ଦକ୍ଷିଣ ସମୁଦ୍ର ତଟକୁ ଯାଇ ଖୁବ ଭଲଭାବରେ ଯଜ୍ଞ ଆରମ୍ଭ କଲେ । ଯଜ୍ଞରେ ପୂର୍ଣ୍ଣାହୁତି ଦେଲାପରେ ଯଜ୍ଞ ସମାପ୍ତ ହେଲା । ସ୍ବର୍ଣ୍ଣ ଲଙ୍ଗଳକୁ ପୂଜା କରି ରାଜା ଜନକ ସେହି ସ୍ବର୍ଣ୍ଣ ଲଙ୍ଗଳରେ ଯଜ୍ଞ ସ୍ଥଳକୁ କର୍ଷଣ କଲେ । ଯଜ୍ଞଭୂମି କର୍ଷଣ କରୁ କରୁ ସ୍ଵର୍ଣ୍ଣ ଲଙ୍ଗଳର ମୁନ ମାଟିତଳେ ଗୋଟିଏ ସିନ୍ଦୁକ ଦେହରେ ବାଜିଲା । ସେହି ସିନ୍ଦୁକକୁ ମାଟିତଳୁ ବାହାର କରାଗଲା । ସେହି ସିନ୍ଦୁକକୁ ଖୋଲି ଦେଖିଲା ବେଳକୁ ସିନ୍ଦୁକ ଭିତରେ ଗୋଟିଏ କୁନି ଝିଅଟିଏ । ଭାରି ସୁନ୍ଦରୀ ଝିଅଟିଏ । ଦେହରୁ ସୁନାପରି ଜ୍ଯୋତି ବାହାରୁଛି । ମୁହଁଟି ଆକାଶର ଚାନ୍ଦପରି ସୁନ୍ଦର । ଗୋଟିଏ ଚାଉଳରେ ଗଢା । ଋଷିମାନେ ଝିଅଟିକି ଦେଖି ଭାରି ଆଶ୍ଚର୍ଯ୍ୟ ହେଲେ । ଭାବିଲେ କୌଣସି ଦେବୀ ଵୋଧହୁଏ ମର୍ତ୍ତ୍ଯରେ ଜନ୍ମ ନେଇଛନ୍ତି । ଋଷିମାନଙ୍କ ମଧ୍ଯରେ ବାଲ୍ମୀକି ଥିଲେ । ବାଲ୍କୀକିମୁନି ଝିଅଟିକି ଦେଖି କହିଲେ-ଇଏ ସାଧାରଣ ଝିଅ ନୁହେଁ । ସ୍ଵୟଂ ମହାଲକ୍ଷ୍ମୀ ନରକୁଳରେ ନାରୀରୂପେ ଜନ୍ମଲାଭ କରିଛନ୍ତି । ସେହି ଝିଅଟିକୁ ଜନକରାଜା ସ୍ନେହରେ କୋଳକୁ ନେଲାବେଳେ ଆକାଶରୁ ଦେଵତାମାନେ ପୁଷ୍ପବୃଷ୍ଟି କଲେ । ଯଜ୍ଞ ଶେଷପରେ ଋଷିମାନେ ଵିଦାୟନେଇ ନିଜ ନିଜ ଆଶ୍ରମକୁ ଫେରିଗଲେ ।*

*ପାତ୍ରମନ୍ତ୍ରୀ ପ୍ରଭୃତିଙ୍କୁ ସଙ୍ଗରେ ଘେନି ସେହି କନ୍ଯାଟିକୁ କାଖରେ କାଖେଇ ରାଜା ଜନକ ମିଥିଳାକୁ ଫେରି ଆସି ରାଣୀଙ୍କୁ ସେହି କନ୍ଯାଟିକୁ ଦେଇ କହିଲେ– ହେ ରାଣୀ, ଏହି କନ୍ଯାଟି ହେଉଛି ଆମ ଦୁହିଁଙ୍କୁ ପରମେଶ୍ବରଙ୍କର ମହତ ଦାନ । ଏହାକୁ ତୁମ୍ଭେ ଯତ୍ନର ସହିତ ପାଳନ କର । ରାଣୀ ମଧ୍ୟ ଯତ୍ନର ସହିତ ପାଳନ କଲେ । ଟିକି ଝିଅଟିର ଏକୋଇଶ ଦିନ ହେଲା । ଝିଅର ଏକୋଇଶିଆକୁ ରାଜା ଜନକ ସଵୁ ଋଷି ମାନଙ୍କୁ ନିମନ୍ତ୍ରଣ କଲେ । ଝିଅଟିର ନାମ କରଣ କରିବାକୁ  ଜନକରାଜା ଋଷିମାନଙ୍କୁ ଅନୁରୋଧ କଲେ । ଶିଶୁ କନ୍ଯାଟିକୁ ଦେଖି ସବୁଋଷି ବଡ଼ ଆନନ୍ଦ ଅନୁଭବ କଲେ । ଶିଶୁଟିର ନାମ କ’ଣ ହେଵା ଉଚିତ ସେ ଵିଷୟରେ ସଵୁଯାକ ଋଷି ଆପଣା ମଧ୍ୟରେ ଆଲୋଚନା କଲେ । ଋଷିମାନେ ରାଜା ଜନକଙ୍କୁ କହିଲେ–ଏହି ଶିଶୁ କନ୍ଯାଟି ଵିଦେହ ଦେଶରେ ଜାତ ହୋଇଥିଵାରୁ ଏହାର ନାମ ବୈଦେହୀ। ଵିଦେହ ଦେଶର ଅନ୍ଯନାମ ମିଥିଳା ହୋଇଥିବାରୁ ଏହାର ନାମ ମୈଥିଳୀ । ଲଙ୍ଗଳଗାରରୁ ଜାତ ହୋଇଥିବାରୁ ଏହାର ନାମ ସୀତା। ଜନକଙ୍କ ଝିଅ ହୋଇଥିବାରୁ ଏହାର ନାମ ଜନକୀ। ପୃଥିବୀ କୋଳରୁ ବାହାରିଥିବାରୁ ଏହାର ନାମ ପାର୍ଥିବୀ। ଯୋଜନେ ପର୍ଯ୍ୟନ୍ତ ଏହା ଦେହରୁ ସୁବାସ ଵିସ୍ତାର କରୁଥିବାରୁ ଏହାର ନାମ ଯୋଜନଗନ୍ଧା। ଉତ୍ସଵ ଶେଷରେ ଋଷିମାନେ ବିଦାହୋଇ ନିଜ ନିଜ ଆଶ୍ରମକୁ ଫେରିଗଲେ । ଆନନ୍ଦର ସହିତ ଜନକ ସୀତାଙ୍କୁ ନେଇ ରାଣୀଙ୍କ ହାତକୁ ବଢାଇଦେଲେ ।*

*ସମୟ ଗଡିଚାଲିଲା । ସୀତା ଧିରେ ଧିରେ ବଡ଼ହୋଇ ଯୌଵନରେ ପଦାର୍ପଣ କଲେ । ସୀତାଙ୍କର ଗୁଣାବଳୀ ଓ ରୂପଲାବଣ୍ଯ ଦେଖି ସୀତାଙ୍କ ପାଇଁ ଯଥାଯୋଗ୍ଯ ବରଟିଏ ପାଇବା ପାଇଁ ରାଜା ଜନକ ମନେ ମନେ ନାନା ଉପାୟ ଚିନ୍ତା କରିବାକୁ ଲାଗିଲେ । ଜନକଙ୍କ ରାଜବାଟିରେ ମହାଶକ୍ତିଶାଳୀ ଶିବଧନୁ ଥିଲା । ରାଜା ଜନକ ଶପଥକଲେ ଯେଉଁ ପୁରୁଷ ଏହି ଶିବଧନୁରେ ଗୁଣ ଦେଇ ପାରିବ ସୀତାଙ୍କୁ ସେ ତାକୁହିଁ ବିଭାଦେବେ । ସୀତାଙ୍କୁ ପାଇବା ପାଇଁ ମହାମହୀ ବୀରପୁରୁଷମାନେ ଆସି ଜନକଙ୍କୁ ଦେଖାକଲେ । ରାଜା ଜନକଙ୍କର ସେହି ଗୋଟିଏ କଥା । ଯେଉଁ ପୁରୁଷ ଶିବଧନୁରେ ଗୁଣ ଚଢାଇ ପାରିବ ସୀତା ତାକୁହିଁ ବିବାହ କରିବ । ବୀରମାନଙ୍କ ମଧ୍ୟରୁ କେହି ଶିବଧନୁକୁ ଦେଖୁ ଦେଖୁ ଭୟରେ ମୂର୍ଚ୍ଛିତ ହୋଇପଡିଲେ । କେହି ମହାବୀର ଧନୁକୁ ଟେକି ନ ପାରି କଚାଡି ହୋଇପଡିଲେ । ଧନୁକୁ ସୂତାଏ ସୁଦ୍ଧା ଟେକି ପାରିଲେ ନାହିଁ । ଗୁଣଦେବା ତ ଵହୁତ ଦୂରର କଥା । ଏହା ଦେଖି ଜନକ ବଡ଼ ଚିନ୍ତିତ ହୋଇପଡିଲେ । ଶିବଧନୁରେ ଗୁଣ ଚଢାଇବା ପାଇଁ ଏହି ବିଶାଳ ପୃଥିବୀରେ ଜଣେହେଲେ ବୀର ନାହାନ୍ତି । ତେଵେ ସେ ଏପରି ଏକ ଶପଥ କଲେ କାହିଁକି ? ଜନକ ବିମର୍ଶ ହୋଇପଡିଲେ ।*

Related Posts

About The Author

Add Comment