ବୁଲବୁଲ ରଚିଲା ତାଣ୍ଡବ ବ୍ୟାପକ କ୍ଷତି, ବିଦ୍ୟୁତ୍ଖୁଣ୍ଟ ପଡ଼ି ଏନଡ଼ିଆରଏଫ ଇନ୍ସପେକ୍ଟର୍ ଗୁରୁତର

Spread the love

ଭଦ୍ରକ,୦୯/୧୧ (ସନ୍ଧାନ ନିୟୁଜ): ସୁପରସାଇକ୍ଲୋନିକ ଷ୍ଟର୍ମ ବୁଲବୁଲ ଭଦ୍ରକ ଜିଲ୍ଲାରେ ତାଣ୍ଡବ ରଚିଛି । ଚାନ୍ଦବାଲି, ବାସୁଦେବପୁର, ଭଦ୍ରକ ବ୍ଳକ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ସମୟରେ ବାସୁଦେବପୁର ନାୟକାଣିଡ଼ିହ ଠାରେ ଏନଡ଼ିଆରଏଫ ଟିମ୍ର ଜଣେ ଇନ୍ସପେକ୍ଟର ମନୋରଂଜନ ପ୍ରସାଦ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ ବୁଲବୁଲ ପ୍ରଭାବରେ ଏକ ବଡ଼ ଗଛ ଭାଙ୍ଗି ବାସୁଦେବପୁର ବ୍ଳକ୍ ଅର୍ନ୍ତଗତ ନାୟକାଣିଡ଼ିହ ଥାନା ଉପରେ ପଡ଼ିରହିଥିଲା । ଗଛକୁ କାଟି ସଫା କରୁଥିବା ସମୟରେ ଏକ ବିଦ୍ୟୁତ୍ଖୁଣ୍ଟି ଇନ୍ସପେକ୍ଟର ଶ୍ରୀ ପ୍ରସାଦଙ୍କ ମୁଣ୍ଡ ଉପରେ ପଡ଼ିଯାଇଥିଲା । ପ୍ରଥମେ ଶ୍ରୀ ପ୍ରସାଦଙ୍କୁ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓ ଶେଷରେ ଗୁରୁତରା ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବୁଲବୁଲ୍ ପ୍ରଭାବରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବାବେଳେ, ଆଜି ମଧ୍ୟ ପ୍ରବଳ ପବନ ସାଙ୍ଗକୁ ବର୍ଷା ଲାଗି ରହିଥିଲା । ଫଳରେ ବଜାର ଜନଶୂନ୍ୟ ହୋଇ ପଡ଼ିଥିଲା । ବାତ୍ୟା ପ୍ରଭାବରେ ଗତ ରାତିରୁ ପ୍ରାୟ ଜିଲ୍ଲାର ଅଧିକଂଶ ସ୍ଥାନରେ ବିଦ୍ୟୁତ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଭଦ୍ରକ ବ୍ଳକର ଏରଡ଼ା, ସାବରଙ୍ଗ, ଗୋରାମାଟି, ଜଳଙ୍ଗା, କାଉପୁର, ରମ୍ଭିଳାସମେତ ବିଭିନ୍ନ ପଞ୍ଚାୟତରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି । ଏନଡ଼ିଆରଏଫ, ଅଗ୍ନିଶମବାହିନୀ ଓ ଓଡ଼୍ରାଫ ଟିମର ଜବାନମାନେ ଗଛକୁଡ଼ିକୁ କାଟି ସଫା କରୁଛନ୍ତି । ଜିଲ୍ଲାର କେତେକ ସ୍ଥାନରେ ଚାଳଘର ମଧ୍ୟ ମାଟିରେ ମିଶିଛି । ତେବେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ସୂଚନା ଅନୁଯାୟୀ ଆଜି ସକାଳେ ଧାମରା ନିକଟରେ ଭୁଟୁଭୁଟି ପ୍ରବଳ ପବନରେ ଓଲଟି ପଡ଼ିଥିଲା । ଚାନ୍ଦବାଲି ତହସିଲଦାରଙ୍କ ଉପସ୍ଥିତିରେ ଓଡ଼୍ରାଫ ଟିମର ଜବାନମାନେ ସ୍ଥାନୀୟ ମତ୍ସଜୀବୀଙ୍କ ସହାୟତାରେ ବୁଡ଼ିଯାଉଥିବା ୮ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଧାମରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେହିପରି ଜିଲ୍ଲାରେ ହଜାର ହଜାର ଏକର ଧାନ ଚାଷ ଜମି ନଷ୍ଟ ହୋଇଛି ।

Report- R Nayak

Related Posts

About The Author

Add Comment