ସୁନ୍ଦରଗଡ, ୦୧/୦୭/୨୦ (ସନ୍ଧାନ ନିଉଜ) : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି ବହିଷ୍କୃତ । ଆଇଆଇସିଙ୍କୁ କାର୍ଯ୍ୟରୁ ବହିଷ୍କାର କଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏନେଇ ଡିଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି । ବୀରମିତ୍ରପୁରରେ ଜୁନ 14 ତାରିଖରେ ଏହି ଘଟଣା ଘଟିଥିଲା । ଏହାପରେ ନାବାଳିକାକୁ ବିଶ୍ରା ଚାଇଲ୍ଡ ଲାଇନରେ ରଖାଯାଇଥିଲା । ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଚାଇଲଡ ଲାଇନ ଯାଇଥିବାବେଳେ ନାବାଳିକାର ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଇଥିଲେ ।ସେଠାରେ ନାବାଳିକା ଜଣକ ସିଡବ୍ଲୁସି ସମ୍ମୁଖରେ ଏ ବାବଦରେ ନିଜ ବୟାନ ଦେଇଥିଲେ । ଏହାପରେ ସୁନ୍ଦରଗଡ ଡିସିପିଓଙ୍କ ପକ୍ଷରୁ ରାଏବଗା ଥାନାରେ ବୀରମିତ୍ରପୁର ବଡବାବୁ ଓ ଡାକ୍ତରଙ୍କ ସମେତ ଛଅ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।ସେପଟେ ରାଜ୍ୟ ସରକାର ଏସମ୍ପର୍କରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ସମେତ ପୋଲିସ ପ୍ରଶାସନକୁ ଘେରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ଉଭୟ ଦଳ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ନିନ୍ଦା କରିବା ସହିତ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ ।
ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣା: ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି ବହିଷ୍କୃତ
|
July 1, 2020 |