ବିଶ୍ୱସ୍ତରୀୟ କ୍ୟାନ୍‌ସର ହସ୍ପିଟାଲ୍‌ର ଠିକଣା ବଦଳିଛି

Spread the love

ବାରିପଦା, 05.02.2021 (ସନ୍ଧାନ ନିଉଜ୍ ):- ବିଶ୍ୱସ୍ତରୀୟ କ୍ୟାନ୍‌ସର ହସ୍ପିଟାଲ୍‌ର ଠିକଣା ବଦଳିଛି । ବାରଙ୍ଗ ନୁହେଁ, ଜଟଣୀ ଇନ୍‌ଫୋସିଟି-୨ ନିକଟରେ ହେବ ଟାଟା ଷ୍ଟେଟ୍‌ ଅଫ୍‌ ଦ ଆର୍ଟ କ୍ୟାନ୍‌ସର ଟ୍ରିଟମେଣ୍ଟ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର । ଏଥିପାଇଁ ଜମି ଚିହ୍ନଟ ବି ସରିଲାଣି । କେବଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାକି ରହିଛି । ବାରଙ୍ଗ ରତାଗଡ଼ଠାରେ ୨ ବର୍ଷ ତଳେ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ପଡ଼ିଥିବାବେଳେ ପ୍ରକଳ୍ପ ପାଇଁ ସମସ୍ୟା ହେବାରୁ ଟାଟା ରାଜି ହେଉନି । ମୁମ୍ବାଇ ଟାଟା ମେମୋରିଆଲ୍‌ ହସ୍ପିଟାଲ ଭଳି ବାରଙ୍ଗରେ କ୍ୟାନ୍‌ସର ହସ୍ପିଟାଲ କରିବାକୁ ୨୦୧୯ ଫେବ୍ରୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ଦେଇଥିଲେ । ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍‌ ରତନ ଟାଟା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ୨ ବର୍ଷ ପରେ ଜମି ଓ ଅନ୍ୟ କେତେକ ବୈଷୟିକ କାରଣରୁ ବାରଙ୍ଗରେ ହସ୍ପିଟାଲ କରିବାକୁ ରାଜି ହେଉନି ଟାଟା । ତେଣୁ ଜଟଣୀ ଇନ୍‌ଫୋସିଟି-୨ ନିକଟରେ ବିଶ୍ୱସ୍ତରୀୟ କ୍ୟାନ୍‌ସର ହସ୍ପିଟାଲ କରିବାକୁ ସରକାର ଏକପ୍ରକାର ନିଷ୍ପତ୍ତି ନେଇ ସାରିଛନ୍ତି । ଏଥିପାଇଁ ଜମି ଚିହ୍ନଟ ସରିଛି । ରାଜ୍ୟ ସରକାର ହସ୍ପିଟାଲ ପାଇଁ ଜଟଣୀରେ ୨୦ରୁ ୨୫ ଏକର ଜମି ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦେବେ । ସବୁ ପ୍ରକ୍ରିୟା ସରିଥିବାବେଳେ ଖାଲି ରାଜ୍ୟ ସରକାର ଅନୁମୋଦନ ବାକି ରହିଛି । ପୂର୍ବ ପ୍ରସ୍ତାବିତ ହସ୍ପିଟାଲ ନିର୍ମାଣ ପାଇଁ ୫ ବର୍ଷରେ ୮୦୦ କୋଟିରୁ ଅଧିକ ଖର୍ଚ୍ଚ ହେବାକୁ ଥିବାବେଳେ ଏବେ ପ୍ରକଳ୍ପ ମୂଲ୍ୟ ବଢ଼ିଛି । ପୂର୍ବ ଯୋଜନା ଅନୁସାରେ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ରାଜ୍ୟ ସରକାର ଦେଇଥାନ୍ତେ । ବଳକା ୩୦୦ କୋଟି ଟାଟା ଟ୍ରଷ୍ଟ ଦେଇଥାନ୍ତା । ଏବେ ପ୍ରକଳ୍ପ ମୂଲ୍ୟ ୧୦୦୦ କୋଟିକୁ ଛୁଇଁଛି । କ୍ୟାନ୍‌ସରର ସବୁ ବିଶ୍ୱସ୍ତରୀୟ ଚିକିତ୍ସା ଏହି ହସ୍ପିଟାଲରେ ମିଳିବ । କେମୋ ଥେରାପି, ଇମ୍ୟୁନୋଥେରାପି, କ୍ୟାନ୍‌ସର ସର୍ଜରୀ, ରେଡିଏସନ୍‌ ଥେରାପି, ପେଟ ସିଟି, ଏଣ୍ଡୋସ୍କୋପି, ଡାଇଗ୍ନୋସିସ୍‌, କ୍ଲିନିକାଲ ପାଥୋଲୋଜି,ହିଷ୍ଟୋପାଥୋଲୋଜି , କ୍ରିଟିକାଲ କେୟାର, ଆଡ଼ଭାନ୍ସ ଇମାଜିଂ ଓ ଟେଲିମେଡିସିନ୍‌ ସେବା ମିଳିବ । ଖାଲି ରୋଗୀ ଚିକିତ୍ସା ନୁହେଁ, କ୍ୟାନ୍‌ସର ରୋଗର ବିଶ୍ୱସ୍ତରୀୟ ଗବେଷଣା ମଧ୍ୟ ଏଠାରେ ହେବ । କ୍ୟାନ୍‌ସରର ନୂଆ ନୂଆ ଚିକିତ୍ସାଠୁ ଆରମ୍ଭ କରି ଅନ୍ୟଦିଗକୁ ନୂଆ ଦିଶା ଦେବ ଜଟଣୀରେ ହେବାକୁ ଥିବା କ୍ୟାନ୍‌ସର ହସ୍ପିଟାଲ୍‌ । ଓଡ଼ିଶାରେ କ୍ୟାନ୍‌ସର ଚିକିତ୍ସାର ଭିତ୍ତିଭୂମି ସୁଦୃଢ଼ କରିବାକୁ ଟାଟା ସରକାରଙ୍କ ସହ ମିଶି କାମ କରିବାକୁ ଏମ୍‌ଓୟୁ (ବୁଝାମଣାପତ୍ର) ସ୍ୱାକ୍ଷର କରିଛି । ଟାଟା ଷ୍ଟେଟ୍‌ ଅଫ୍‌ ଦ ଆର୍ଟ କ୍ୟାନ୍‌ସର ଟ୍ରିଟମେଣ୍ଟ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ବାଦ୍‌ ୧୨୦ଟି ଗ୍ରୀନ୍‌ଫିଲ୍ଡ ହସ୍ପିଟାଲ ଖୋଲିବ । ଦ୍ୱିତୀୟ ସ୍ତରର ୭ଟି ହସ୍ପିଟାଲ ଖୋଲିବା ସହ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ମଧ୍ୟ ଆଧୁନିକରଣ ହେବ । ପ୍ରସ୍ତାବିତ ୭ଟି ଦ୍ୱିତୀୟସ୍ତରର କ୍ୟାନ୍‌ସର ହସ୍ପିଟାଲର କାମ ମଧ୍ୟ ଆଗେଇଲାଣି । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ବାରଙ୍ଗଠାରେ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଟାଟା କୁନ୍ଥକୁନ୍ଥ ହେଉଛି । ବିଭିନ୍ନ ବିଭିନ୍ନ ଦୃଷ୍ଟିକୋଣରୁ ଟାଟା ଚାହୁଁଛି, ହସ୍ପିଟାଲ ଜଟଣୀରେ ହେଉ । ଟାଟାର ଏ ସଂଶୋଧିତ ପ୍ରସ୍ତାବକୁ ଏକପ୍ରକାର ସବୁତ ସଙ୍କେତ ଦେଇଛନ୍ତି ସରକାର । ଇନ୍‌ଫୋସିଟି-୨ ନିକଟରେ ଜମି ମଧ୍ୟ ଚିହ୍ନଟ ସରିଛି । ଯାହା ଅନୁମାନ କରାଯାଉଛି ପ୍ରକଳ୍ପ ଅପେକ୍ଷାକୃତ ବିଳମ୍ବ ହେବ ।

Related Posts

About The Author

Add Comment