ଚେଷ୍ଟର ଲି ଷ୍ଟ୍ରିଟ, ୩/୭ (ସନ୍ଧାନ ନିୟୁଜ ): ଓପନର ଜନି ବେୟାରଷ୍ଟୋଙ୍କ ଶତକ (୧୦୬ ରନ୍, ୯୯ ବଲ, ୧୫ ଚୌକା, ୧ ଛକା) ବଳରେ ବୁଧବାର ଆଇସିସି ବିଶ୍ୱକପ୍ର ଆୟୋଜକ ଇଂଲଣ୍ଡ ପ୍ରଥମ ଇନିଂସରେ ୩୦୫ ରନ୍ କରିଛି। ଟିମ୍ ନିର୍ଦ୍ଧାରିତ ୫୦ଓଭରରେ ୮ଟି ଓ୍ଵିକେଟ୍ ହରାଇ ୩୦୫ ରନ୍ କରିବା ପରେ ନ୍ୟୁଜିଲାଣ୍ଡକୁ ୩୦୬ ରନ୍ ଟାର୍ଗେଟ ମିଳିଛି।
ଚେଷ୍ଟର ଲି ଷ୍ଟ୍ରିଟସ୍ଥିତ ରିଭରସାଇଡ୍ ଷ୍ଟାଡିୟମରେ ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପନର ଜସନ ରଏ (୬୦ ରନ୍, ୬୧ ବଲ, ୮ ଚୌକା) ଓ ବେୟାରଷ୍ଟୋ ପ୍ରଥମ ଓ୍ଵିକେଟ୍ ପାଇଁ ୧୨୩ ରନ୍ ଯୋଡ଼ିଥିଲେ। ଜସନ ରଏ ଆଉଟ୍ ହେବା ପରେ ବେୟାରଷ୍ଟୋ ଦ୍ୱିତୀୟ ଓ୍ଵିକେଟ୍ରେ ଜୋଏ ରୁଟ (୨୪ ରନ୍)ଙ୍କ ସହିତ ୭୧ ରନ୍ ଭାଗିଦାରୀ ହୋଇଥିଲେ। ଜେମସ୍ ନୀଶମଙ୍କ ବଲ ମିଚେଲ୍ ସଣ୍ଟନରଙ୍କୁ କ୍ୟାଚ୍ ଦେଇ ରଏ ଆଉଟ୍ ହୋଇଥିବା ବେଳେ ଟ୍ରେଣ୍ଟ ବୋଲଟ୍ଙ୍କ ବଲ୍ ଟମ୍ ଲଥାମ୍ଙ୍କୁ କ୍ୟାଚ ଦେଇ ରୁଟ୍ ପାଭଲିଅନ୍ ଫେରିଥିଲେ।
ଇଂଲଣ୍ଡ ତୃତୀୟ ଓ୍ଵିକେଟ୍ ଭାବେ ବେୟାରଷ୍ଟୋଙ୍କୁ ହରାଇଥିଲା। ସ୍କୋର ୨୦୬ ରନ୍ରେ ମଟ୍ଟ ହେନରୀଙ୍କ ଦ୍ୱାରା ବେୟାରଷ୍ଟୋ ଆଉଟ୍ ହୋଇଥିଲେ। ମାତ୍ର ୧୧ ରନ କରି ଜୋସ୍ ବଟଲର ଆଉଟ୍ ହୋଇଥିଲେ। ସ୍କୋର ୨୧୪ ରନ୍ରେ ସେ ଟ୍ରେଣ୍ଟ ବୋଲଟ୍ଙ୍କ ବଲ ଅଧିନାୟକ କେନ୍ ଓ୍ଵିଲିୟମସନ୍ଙ୍କୁ କ୍ୟାଚ ଦେଇ ଆଉଟ୍ ହୋଇଥିଲେ। ଇଂଲଣ୍ଡ ୨୪୮ ରନ୍ରେ ବେନ୍ ଷ୍ଟୋକସ୍(୧୧ ରନ୍)ଙ୍କୁ ହରାଇଥିଲା। ସଣ୍ଟନରଙ୍କ ବଲ ହେନରୀଙ୍କୁ କ୍ୟାଚ୍ ଦେଇ ଷ୍ଟୋକସ୍ ଆଉଟ୍ ହୋଇଥିଲେ।
ସ୍କୋର ୨୫୯ ରନ୍ରେ କ୍ରିସ୍ ଓ୍ଵକସ୍ (୪ ରନ୍), ୨୭୨ ରନ୍ରେ ଇଅନ୍ ମୋର୍ଗାନ (୪୨ ରନ୍, ୪୦ ବଲ, ୫ ଚୌକା) ଓ ୩୦୧ ରନ୍ରେ ଆଦିଲ ରସିଦ (୧୬ ରନ୍)ଆଉଟ୍ ହୋଇଥିଲେ। ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲଟ୍, ମଟ୍ଟ ହେନରୀ ଓ ଜେମସ୍ ନୀଶମ ୨-୨ ଓ୍ଵିକେଟ ନେଇଥିବା ବେଳେ ମିଚେଲ ସଣ୍ଟନ୍ର ଓ ଟିମ୍ ସାଉଦୀ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଉଥିଲେ।