ରାଉରକେଲା,୨/୯ (ସନ୍ଧାନ ନିଉଜ) : ବିଗତ କିଛି ଦିନ ଲଗାଣ ବର୍ଷାରେ ଦକ୍ଷିଣ ରାଉରକେଲା ସମେତ ସାରନଗରୀର ବିଭିନ୍ନ ବସ୍ତି ଅଂଚଳରେ ପରିବେଶ ପୂର୍ତିଗନ୍ଧମୟ ହୋଇପଡ଼ିଛି । ବର୍ଷା ହେବା ଯୋଗୁଁ ଅଳିଆ ଆବର୍ଜନା ଏଣେତେଣେ ଜମା ରହୁଛି । ଡ଼୍ରେନେଜ ବ୍ୟବସ୍ଥା ଠିକ ନରହିବା କାରଣରୁ ଅଳିଆ ଡ଼୍ରେନରୁ ବାହାରି ପାରୁ ନାହିଁ । ଅପରପକ୍ଷରେ କେତେକ ବସ୍ତିରେ ଡ଼୍ରେନେଜ ଜଳ ନିଷ୍କାସନ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ଦକ୍ଷିଣ ରାଉରକେଲାର ହାଟିଙ୍ଗଟୋଲାବସ୍ତି,କଇଁଥାବସା,ଟାଙ୍ଗରପାଲି,ଜଲଦା,ନବକୃଷ୍ଣନଗର ମନ୍ଦିର ତଳ ବସ୍ତି ଆଦିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । କେତେକ ବସ୍ତି ଓ ସାରନଗରୀ ଡ଼ି ବ୍ଲକ ନିକଟରେ ମଇଁଷି ତଥା ଘୁଷୁରୀ ପଲଙ୍କ ଆଡ୍ଡା ଜମି ରହୁଛି । ଫଳରେ ଅଂଚଳରେ ଡ଼େଙ୍ଗୁ ଓ ମେଲେରିଆର ଭୟ ବୃଦ୍ଧି ପାଉଛି ।ପ୍ରଶାସନ ପକ୍ଷରୁ ଏହି ବସ୍ତି ଗୁଡ଼ିକର ଆବର୍ଜନା ସଫା କରାଯାଉନାହିଁ ବୋଲି ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ମଶା ମରା ଓøଷଧ ମଧ୍ୟ ବିଭିନ୍ନ ବସ୍ତି ଅଂଚଳରେ ସିଂଚନ କରାଯାଉନାହିଁ । ବର୍ତମାନ ବିଭିନ୍ନ ବସ୍ତିରେ ଭୂତାଣୁ ଜନିତ ଜ୍ୱର ବୃଦ୍ଧି ପାଇଛି । ବସ୍ତିର ରାସ୍ତା ଗୁଡ଼ିକ କାଦୁଅ ପଚପଚ ହୋଇଥିବା କାରଣରୁ ଦୂର୍ଷିତ ପରିବେଶରେ ବସ୍ତି ବାସ୍ିନ୍ଦାମାନଙ୍କୁ ରହିବାକୁ ପଡ଼ୁଛି । ଏଥିପ୍ରତି ପ୍ରଶାସନର ଉଚ୍ଚ କର୍ତୁପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଦାବି କରାଯାଇଛି ।
Report- S Nayak



