ନୂଆଦିଲ୍ଲୀ, ୨୮/୨(ସନ୍ଧାନ ନିୟୁଜ) : ପାକିସ୍ତାନ ଗତ ବୁଧବାର ପୂର୍ବାହ୍ନରେ ଭାରତୀୟ ବାୟୁସେନାର ଗୋଟିଏ ମିଗ୍-୨୧ ଲଢ଼ୁଆ ବିମାନ ଉପରେ ଆକ୍ରମଣ କରି ତାକୁ ଯେପରି ଧ୍ୱଂସ କଲା ଓ ସଂପୃକ୍ତ ମିଗ୍-୨୧ର ପାଇଲଟ ସ୍କ୍ଵାଡର୍ନ ଲିଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବନ୍ଦୀ କରି ନିଜ ପାରିବା ପଣିଆର ପ୍ରମାଣ ଦେଖାଇବାର ପ୍ରଚେଷ୍ଟା କରୁଥିଲା; ତାହା ଏବେ ତା’ ପାଇଁ ବୁମେରାଂ ହୋଇଛି। ଏବଂ ଏହି ଘଟଣାରେ ଏବେ ନିଜ ଜାଲରେ ଛନ୍ଦି ହୋଇ ଯାଇଛି ପାକିସ୍ତାନ।
ଉଲ୍ଲେଖଯୋଗ୍ୟ, ପାକିସ୍ତାନ ମାଟିରେ ଭାରତୀୟ ବାୟୁସେନା ପକ୍ଷରୁ ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍ କରାଗଲା ସେଥିରେ ପ୍ରତିହିଂସା ପରାୟଣ ହୋଇ ପାକିସ୍ତାନ ଭାରତୀୟ ଆକାଶ ସୀମା ମଧ୍ୟରେ ପାକ୍ ଅଧିକୃତ କଶ୍ମୀର (ପିଓକେ) ନିକଟରେ ଉଡ଼ୁଥିବା ଭାରତୀୟ ବାୟୁସେନାର ଏହି ମିଗ୍-୨୧ ବିମାନ ଉପରେ ଆକ୍ରମଣ କରିଥିଲା। ତେବେ, ଏହି ଆକ୍ରମଣ ପାଇଁ ପାକିସ୍ତାନ ବାୟୁସେନା ଆମେରିକା ନିର୍ମିତ ଏଫ୍-୧୬ ଯୁଦ୍ଧ ବିମାନ ସହ ମିଗ୍-୨୧ ଯୁଦ୍ଧ ବିମାନକୁ ଧ୍ୱଂସ କରିବା ଆମେରିକା ନିର୍ମିତ ଏଆଇଏମ୍-୧୨୦-ସି-୫ କ୍ଷେପଣାସ୍ତ୍ରର ବ୍ୟବହାର କରିଥିଲା।
ଏହାର ପ୍ରମାଣ ପାଇବା ପରେ ଭାରତ ଏବେ ଏହି ଘଟଣାକୁ ବିଶ୍ୱ ସମୁଦାୟ ଦୃଷ୍ଟିକୁ ଆଣିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜର ତୀବ୍ର ଅସନ୍ତୋଷ କରିବା ସହ ଏସଂପର୍କରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଏହାର ଜବାବ ମାଗିଛନ୍ତି।
କାରଣ ଚୁକ୍ତି ମୁତାବକ ଆମେରିକା ନିର୍ମିତ ଏଫ୍-୧୬ ଯୁଦ୍ଧ ବିମାନ ଓ ଏଆଇଏମ୍-୧୨୦-ସି-୫ କ୍ଷେପଣାସ୍ତ୍ରକୁ କେବଳ ମାତ୍ର ଯୁଦ୍ଧ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବ୍ୟବହାର କରିପାରିବ ନାହିଁ ପାକିସ୍ତାନ। ତେବେ, ଚୁକ୍ତିର ସର୍ତ୍ତକୁ ଖିଲାପ କରି ପାକିସ୍ତାନ ଏହାକୁ ନିଜର ପ୍ରତିଶୋଧ ପୂରଣ ବ୍ୟବହାର କରି ଯେପରି ଢ଼ଙ୍ଗରେ ଭାରତର ପ୍ରତିରକ୍ଷା ସଂପତ୍ତିକୁ ନଷ୍ଟ କଲା ଓ ବିନା ଯୁଦ୍ଧରେ ଜନବସତି ଥିବା ସ୍ଥାନରେ ଏହାର ପ୍ରୟୋଗ କଲା, ତାହା ଜାଣିବା ପରେ ଆମେରିକା ପାକିସ୍ତାନ ଉପରେ କ୍ଷୁବ୍ଧ ହେବା ସହ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କୁ ଏହାର ଜବାବ୍ ମାଗିଛି।



