ଯାଜପୁର, ୦୫/୦୮/୨୦୨୦ (ସନ୍ଧାନ ନିଉଜ) କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ର ଶ୍ରୀ ସିଦ୍ଧ ବଳଦେବଜୀଉ ଙ୍କର ମନ୍ଦିରରେ ଝୁଲଣ ଯାତ୍ରା ଉତ୍ସବ ସମ୍ପୂର୍ଣ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି |
ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଆରମ୍ଭ ହୋଇଥିବା ଝୁଲଣ ଯାତ୍ରା ଗତ 3 ତାରିଖ ଦିନ ଉଦଯାପିତ ହୋଇଯାଇଛି | ସନ୍ଧ୍ୟା ଆଳତୀ ପରେ ରାଧାକୃଷ୍ଣଙ୍କୁ ଝୁଲଣ ମଣ୍ଡପ ରେ ବିଜେ କରାଯାଇ ଠାକୁରଙ୍କୁ ସେଠାରେ ଭୋଗ କରାଯିବା ସହ ଆଳତୀ ଏବଂ ଚାମରଆଲଟ କରାଯାଇଥାଏ | ମଠମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବେଶ କଟକଣା ଯୋଗୁଁ ଚଳିତ ବର୍ଷ ବିନା ଭକ୍ତଙ୍କ ସମାଗମରେ ଝୁଲଣ ପର୍ବ ସମ୍ପୂର୍ଣ ନିୟମ ପୂର୍ବକ ଅନୁଷ୍ଠିତ ହୋଇଛି | ମନ୍ଦିରର ସ୍ଥାୟୀ ପୂଜାରୀ ଧୀରେନ୍ଦ୍ର ଶତପଥିଙ୍କର ସହଯୋଗ ପାଇଁ ଏଭଳି ଏକ ଘଡ଼ି ସନ୍ଧି ମୁହୂର୍ତରେ ଭି ଏହି ପର୍ବ ପାଳନ ସମ୍ଭବ ହୋଇପାରିଲା | ମନ୍ଦିରର ଟ୍ରଷ୍ଟି ବିନୋଦ କୁମାର ଦାଶଙ୍କର ନେତୃତ୍ୱରେ ସାମାଜିକ ଦୂରତାକୁ ପ୍ରାଥମିକତା ଦିଆଯାଇ ସବୁ ନୀତିକ୍ରାନ୍ତିର ଆୟୋଜନ କରାଯାଇଥିଲା |



