ବିନା ପଂଜିକରଣରେ ଆସିଥିବା ବସ୍ ଜବତ

Spread the love

ଭଦ୍ରକ, ୦୫/୦୫/୨୦ (ସନ୍ଧାନ ନିଉଜ) : ସରକାରୀ ପଂଜିକରଣ କରି ଜିଲାକୁ ଶହ ଶହ ପ୍ରବାସୀ ଓଡ଼ିଆ ଆସୁଛନ୍ତି। କିଏ ସୁରଟରୁ ଫେରୁଛି ତ କିଏ ଆନ୍ଧ୍ର, ତାମିଲନାଡୁ ଏବଂ ବେଙ୍ଗାଲୁରରୁ ଜିଲାକୁ ଫେରୁଛନ୍ତି। ଏସବୁ ସତ୍ୱେ ଗଳାବାଟ ଦେଇ ବହୁ ପ୍ରବାସୀ ଜିଲା ଭିତରକୁ ପସିଆସିଥିବା ଭଳି ଖବର ଏବେ ଜିଲା ପ୍ରଶାସନର ଚିନ୍ତା ବଢେଇ ଦେଇଛି। ରବିବାର ସୁଦ୍ଧା ଜିଲାକୁ ସୁରଟ, ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ ଏବଂ ବେଙ୍ଗାଲୁର ପ୍ରଭୃତି ଅଂଚଳରୁ ୨୯୦ ଜଣ ପ୍ରବାସୀ ଫେରିଆସିଛନ୍ତି। ଶୁକ୍ରବାର ରାତିରେ ସୁରଟରୁ ଗୋଟିଏ ବସ୍‌ରେ ଜିଲାକୁ ୩୮ ଜଣ ପ୍ରବାସୀ ଫେରିଆସିଥିବାବେଳେ ଶନିବାର ରାତିରେ ୫ଟି ବସ୍‌ରେ ୨୫୨ ଜଣ ଜିଲାକୁ ଫେରି ଆସିଛନ୍ତି। ପ୍ରଶାସନିକ ବ୍ୟବସ୍ଥା ଅନୁଯାୟୀ ଏହି ଲୋକଙ୍କୁ ଜିଲାର ଭଣ୍ଡାରିପୋଖରୀ ଠାରେ କରାଯାଇଥିବା ସିଙ୍ଗଲ ୱଇଣ୍ଡୋ କଣ୍ଟାକ୍ଟ ସେଣ୍ଟରକୁ ନିଆଯାଇ ସେମାନଙ୍କ କାଉନସେଲିଂ କରାଯାଇ ସେମାନଙ୍କ ଅଂଚଳକୁ ପଠାଯିବାର ବ୍ୟବସ୍ଥା କରାଯାଇଛି। ନିଜ ଅଂଚଳରେ ସ୍ଥାନୀୟ ସରପଞ୍ଚ ଏବଂ ଲୋକାଲ ମେଡିକାଲ ଅଫିସରଙ୍କ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରାଯାଇ ସେମାନଙ୍କୁ ପଂଚାୟତ କ୍ୱାରେନଟାଇନ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଶନିବାର ରାତିରେ ଜିଲାକୁ ୫ଟି ବସ୍‌ରେ ଆସିଥିବା ୨୫୨ ଜଣ ଲୋକଙ୍କ ମଧ୍ୟରୁ ଗୋଟିଏ ବସ୍ ଭଣ୍ଡାରିପୋଖରୀ ସ୍ଥିତ ପ୍ରଶାସନିକ କଣ୍ଟାକ୍ଟ ଟ୍ରେସିଂ କେନ୍ଦ୍ରକୁ ନଆସି ସିଧା ଜିଲା ଭିତରକୁ ପଶି ଆସିଥିଲା। ୫୦ ରୁ ଉର୍ଦ୍ଧ୍ୱ ପ୍ରବାସୀଙ୍କୁ ଧରି ଆସିଥିବା ବସ୍‌ଟି ଭଦ୍ରକ-ଆରଡି ରାସ୍ତାର ଆରଡି ଛକ, ଅନ୍ନପାଳ ଛକ, ଅସୁରାଳି ଛକ ଦେଇ ଆରଡି ନିକଟସ୍ଥ ବେତାଳିଗାଁ ଉଦ୍ଦେଶ୍ୟରେ ଯାଉଥିବାବେଳେ ଏହି ରାସ୍ତାର କୋଠାର ଛକ ନିକଟରେ ଧୁଷୁରୀ ପୋଲିସ୍ ହାତରେ ଧରାପଡିଥିଲା। କୋଠାର ଛକ ନିକଟରେ ବସ୍‌ଟି କିଛି ଲୋକଙ୍କୁ ଗାଡିରୁ ଓହ୍ଲାଇଥିବାବେଳେ ପୋଲିସ୍ ହାତରେ ଧରାପଡିଥିଲା। ଗାଡି ଏବଂ ଏଥିରେ ଆସିଥିବା ପ୍ରବାସୀଙ୍କ କାଗଜପତ୍ର ଯାଞ୍ଚ ବେଳେ ବସ୍‌ଟି ଜିଲା ପ୍ରଶାସନର ବିନା ଅନୁମୋଦନରେ ଜିଲାକୁ ବେଆଇନ୍ ଭାବେ ପ୍ରବେଶ କରିଥିବା ଜଣାପଡିଥିଲା। ପରେ ପୋଲିସ୍ ଗାଡିକୁ ଫେରାଇବା ସହିତ ଓହ୍ଲାଇଥିବା ଲୋକଙ୍କୁ ବସ୍‌ରେ ଭଣ୍ଡାରିପୋଖରୀ ସ୍ଥିତ କଣ୍ଟାକ୍ଟ ଟ୍ରେସିଂ କେନ୍ଦ୍ରକୁ ଆଣିଥିଲା। ଏହି ଘଟଣା ପରେ ଜିଲା ପୁଲିସ୍ ପ୍ରଶାସନକୁ ଏଥିନେଇ ଅଧିକ ସତର୍କ ହେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଜିଲାର ପ୍ରବେଶପଥ ଆଖୁଆପଦା ଏବଂ ରାଣୀତାଲ ଠାରେ ପୋଲିସ୍ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରିଦିଆଯାଇଛି। ବୈଧ ପ୍ରମାଣପତ୍ର ନଥାଇ ଜିଲାକୁ ପ୍ରବେଶ କରୁଥିବା ଯେ କୌଣସି ଯାନବାହନ ଉପରେ କଡା ନଜର ରଖିବାକୁ କୁହାଯାଇଛି। ଗୋଟିଏ ପଟରେ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ସବୁମତେ ପ୍ରୟାସ ଜାରି ରଖିଥିବାବେଳେ ଲୁଚାଛପାରେ ଏବଂ ଗଳାବାଟ ଦେଇ ଜିଲା ତଥା ରାଜ୍ୟକୁ ପ୍ରବେଶ କରିବା ଦୁର୍ଭାଗ୍ୟ ଜନକ ବୋଲି ସାଧାରଣ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Related Posts

About The Author

Add Comment