ବାରିପଦା, ୧୮.୦୧.୨୦୨୧(ସନ୍ଧାନ ନିଉଜ୍):- ବାରିପଦା ସହରର ବାସିନ୍ଦାଙ୍କ ଜୀବନକୁ ନେଇ ବିଦ୍ୟୁତ ବିଭାଗର ସାଂଘାତିକ ଓ ବେପରୁଆ କାର୍ଯ୍ୟକଳାପ ପଦାକୁ ଆସିଛି । ସହରର ବିଭିନ୍ନ ସ୍ଥାନରେ ଏଲଟି ଲାଇନ ତାରଗୁଡିକ ଗଛରେ ବନ୍ଧା ହୋଇ ଝୁଲୁଥିବା ବେଳେ ତାରଗୁଡିକ ଭୂଇଁରୁ ଅନ୍ତତଃ ପକ୍ଷେ ପନ୍ଦର ଫୁଟ ଉଚ୍ଚରେ ଟଣାଯିବାର ଥିଲେ ମଧ୍ୟ ମାତ୍ର ୬/୭ ଫୁଟ ଉଚ୍ଚରେ ରହିଛି। ସେହିପରି ଅଧିକାଂଶ ବିଦ୍ୟୁତ ସସନଗୁଡିକ ବିନା ତାର ବାଡ ଘେରରେ ଖୋଲାଖୋଲିଭାବେ ବିପଦପୂର୍ଣ୍ଣ ସ୍ଥିତିରେ ରହିଛି । ଯାହା ଫଳରେ ସାଧାରଣ ଲୋକଙ୍କ ସମେତ ଗୋରୁଗାଈ, ବୁଲା କୁକୁର ଆଦିଙ୍କ ଜୀବନ ବିପଦପୂର୍ଣ୍ଣ ହୋଇ ରହିଛି। ତାର ବଦଳ କରାଯିବା ଓ ନୂତନ ଖୁଣ୍ଟ ବଦଳାଯିବା ବାହାନାରେ ୪ ଘଣ୍ଟାରୁ ୮ ଘଣ୍ଟା ବିଦ୍ୟୁତ କାଟ କରାଯାଉଛି । ଏଥିସହିତ ମାସର ପ୍ରାୟ ପ୍ରତ୍ୟେକ ସପ୍ତାହରେ ବିଦ୍ୟୁତ ଗ୍ରୀଡ ମରାମତି ଆଳରେ ପୂର୍ବାହ୍ନ ୮ଟାଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ଏକ ରୁଟିନ କାର୍ଯ୍ୟ ପରିଣତ ହୋଇଗଲାଣି । ଏପରିକି ଠିକାଦାରମାନଙ୍କ ଦ୍ବାରା ତାର ବଦଳ ଓ ନୂତନ ଖୁଣ୍ଟ ବଦଳ କରାଯିବା ବାହାନାରେ ମଧ୍ୟ ଚାରି ଘଣ୍ଟାରୁ ଆଠ ଘଣ୍ଟା ପର୍ଯ୍ୟନ୍ତ କୌଣସି ସୂଚନା ଦିଆ ନ ଯାଇ ବିଦ୍ୟୁତ କାଟ କରି ଦିଆଯାଉଛି। ଏହା ବାଦେ ମାସର ପ୍ରତ୍ୟେକ ରାତି ଓ ଦିନବେଳାରେ ମଧ୍ୟ ବିଭିନ୍ନ ବିଦ୍ୟୁତ ସେକ୍ସନରେ ଅଘୋଷିତ ବିଦ୍ୟୁତ କାଟ ହେଉଛି । ବିଦ୍ୟୁତ ଗ୍ରାହକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ରିସିଂ ମିଟରଗୁଡିକ ଭନ୍ନତମାନର ହୋଇ ନ ଥିବାରୁ ଅଧିକ ରିଫି ଉଠୁଥିବାରୁ ଗ୍ରାହକଙ୍କୁ ଅଧୁକ ଦେୟ ଦେବାକୁ ପଡୁଛି। ଏହି ବିଦ୍ୟୁତ ମିଟର ବାବଦ ଭଡା ମାସକୁ ୪୦ ଟଙ୍କା ହିସାବରେ ୫ ବର୍ଷ ପର୍ଯ୍ୟନ୍ତ ଆଦାୟ କରିବାର ନିୟମ ରହିଛି । କିନ୍ତୁ ଉକ୍ତ ନିୟମକୁ ଖୁଲାପ କରାଯାଇ ୫ ବର୍ଷ ପରେ ମଧ୍ୟ ବର୍ଷ ବର୍ଷ ଧରି ଭଡା ଆଦାୟ ଚାଲିଥିବା ଯୋଗୁଁ ଏହି ଅର୍ଥ ଘରୋଇ କମ୍ପାନୀର ତହବିଲକୁ ଯାଉଥିବାର ପ୍ରକାଶ। ସହରର ସମ୍ବେଦନଶୀଳ ଅଂଚଳଗୁଡିକରେ ଏଲଟି ଲାଇନ ତାରଗୁଡିକ ଭୂଇଁଠାରୁ ୫ରୁ ୬ ଫୁଟ ଉପରେ ଝୁଲି ରହିଥିବା ଏବଂ ଅଧିକାଂଶ ଭଙ୍ଗାଦଦରା ବିଦ୍ୟୁତ ଖୁଣ୍ଟଗୁଡିକୁ ମାସ ମାସ ଧରି ବଦଳ କରାଯାଉ ନ ଥିବାରୁ ବିପଦପୂର୍ଣ୍ଣ ସ୍ଥିତିରେ ରହିଛି । ସହର ଅଶ ସମ୍ବେଦନଶୀଳ ସ୍ଥାନ କମଳାନେହେରୁ ବାଳିକା ହାଇସ୍କୁଲ, ନିକଟରେ ଥିବା ସାଇବିଦ୍ୟାମନ୍ଦିର ଦୁଇଟି ହଷ୍ଟେଲ, ୧୭ ନମ୍ବର ୱାର୍ଡ ବିଜୟରାମଚନ୍ଦ୍ରପୁରର ଏଲଟି କେବୁଲ ଲାଇନ, ମୁର୍ଗାବାଡିର ରାସ୍ତା ପାର୍ଶ୍ୱରେ ତାର ଝୁଲି ଗଛରେ ବିପଦପୂର୍ଣ୍ଣ ଅବସ୍ଥାରେ ବନ୍ଧାଯାଇଥିବାର ଦେଖାଯାଇଛି । ତତସହିତ ସହରର ଅନ୍ୟାନ୍ୟ ସ୍ଥାନ ଭଳି କମଳାନେହେରୁ ବାଳିକା ହାଇସ୍କୁଲ ନିକଟରେ ମଧ୍ୟ ଏଲଟି ଲାଇନ ଓ ୧୧ କେଭି ଲାଇନର ତାର ଏକ ଭଙ୍ଗା ଖୁଣ୍ଟ ଦେଇ ଟଣାଯାଇଛି । ରାଜ୍ୟ ସରକାର ଓ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଚୟ ପାଇଁ ଗ୍ରାହକମାନଙ୍କୁ ସଚେତନତା କରାଇବା ନିମିତ୍ତ ବିଭିନ୍ନ ସଭାସମିତିମାନ ଆୟୋଜନ କରୁଛନ୍ତି । କିନ୍ତୁ ଅପରପକ୍ଷରେ ସହରର ବିଭିନ୍ନ ଷ୍ଟ୍ରିଟ ଲାଇନ ଦିନ ଦିନ ଧରି ଦିନବେଳା ଜଳି ରହୁଥିବାର ଦେଖାଯାଉଛି। ଗତ ୧୨ ତାରିଖ ଦିନ ବିଜୟରାମଚନ୍ଦ୍ରପୁର ଏବଂ ଆଜି ରବିବାର ମଧ୍ୟ ବାଘରାରୋଡର ସମସ୍ତ ଅଂଚଳରେ ଏବଂ ରବି ସିନେମା ହଲ ନିକଟ ବାଲାଜୀ ରେଷ୍ଟୁରେଣ୍ଟଠାରୁ ମାର୍କେଟ ପର୍ଯ୍ୟନ୍ତ ଟ୍ରିଟ ଲାଇଟ୍ଗୁଡିକ ଜଳୁଥିବାର ଦେଖାଯାଉଥିଲା । ଏପରି ମାସକର ପ୍ରତ୍ୟେକ ଦିନ ଦିନାବେଳା କେଉଁ ନା କେଉଁ ଅଂଚଳରେ ଷ୍ଟ୍ରିଟ ଲାଇଟଗୁଡିକ ଜଳୁଥିବାର ଦେଖାଯାଉଛି । ବାରିପଦା ବିଦ୍ୟୁତ ବିଭାଗର ପରିଚାଳନାଗତ ବ୍ୟବସ୍ଥା ଏପରିଭାବେ ବିଗିଡିଯାଇଛି ଯେ ବିଦ୍ୟୁତ ବିଭାଗର ଯନ୍ତ୍ରପାତି ଓ ଆବଶ୍ୟକୀୟ ସରଞ୍ଜାମ ଯଥା ଟ୍ରାନ୍ସଫର୍ମର, ତାର ଆଦି ମହଜୁତ ରଖୁବା ପାଇଁ ଥିବା ଖୋଲା ଜାଗାଟିରେ ଗଛପତ୍ର ଉଠି ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ ସରଞ୍ଜାମ ଖତ ଖାଇବାକୁ ବସିଲାଣି । ଏହା ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୁପକ୍ଷଙ୍କ ବେପରୁଆ ପରିଚାଳନାଗତ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ମୟୂରଭଞ୍ଜ ଜିଲା ସବୁ ଦୃଷ୍ଟିରୁ ଅବହେଳିତ ହେଉଥିବାର ଅଭିଯୋଗ ହେଉଥିବା ବେଳେ ଜନଜୀବନର ଜୀବନରେଖା କୁହାଯାଉଥିବା ବିଦ୍ୟୁତ ଶକ୍ତି ପରିଚାଳନା ବିଭାଗର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଏହି ବିଭାଗରେ ଆବଶ୍ୟକ ହେଉଥିବା କର୍ମଚାରୀଙ୍କର ଘୋର ଅଭାବ ରହିଛି। ସହରରେ ୩୫ ହଜାରରୁ ଉଦ୍ଧର ବିଦ୍ୟୁତ ଗ୍ରାହକମାନଙ୍କର ଲାଇନ ସମସ୍ୟା ସମାଧାନ ପାଇଁ ଫିଲ୍ମରେ ମରାମତି ପାଇଁ ସର୍ବନିମ୍ନ ଆବଶ୍ୟକ ରହିଥିବା ମୋଟ ୨୪୦ ଜଣ ସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କ ସ୍ଥଳେ ମାତ୍ର ୬୫ ଜଣରେ କାର୍ଯ୍ୟ ଚାଲିଛି । ଏଥିରୁ ବିଦ୍ୟୁତ ସମସ୍ୟାର ସମାଧାନ କିଭଳି ହେଉଥିବ ତାହା ସହଜରେ ଅନୁମେୟ। ଏଣୁ ବିଦ୍ୟୁତ ବିଭାଗ ଏହି ସବୁ ଦିଗ ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଭବିଷ୍ୟତରେ ଅଶାନ୍ତ ଓ ଅସନ୍ତୋଷ ବାରିପଦା ବିଦ୍ୟୁତ ସହକ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ପ୍ରସ୍ତୁତ ହେଉଛନ୍ତି ।
ବିଦ୍ୟୁତ୍ ବ୍ୟବସ୍ଥାର ବିଚିତ୍ର ସ୍ଥିତି!
|
January 18, 2021 |
