ଭୁବନେଶ୍ୱର, ୧୦/୧୨ (ସନ୍ଧାନ ନିୟୁଜ) ଆଜି ବିଜୁ ଜନତା ଦଳ ସଂସଦୀୟ ଦଳ ବୈଠକ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୧ ତାରିଖରେ ଶୀତକାଳୀନ ଅଧିବେଶନରେ ବିଜୁ ଜନତା ଦଳର ଆଭିମୁଖ୍ୟ ଓ ସଂସଦରେ ଉଠାଇବାକୁ ଥିବା ଓଡ଼ିଶା ସଂପର୍କିତ ପ୍ରସଂଗ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ପ୍ରଥମତଃ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଂଗ ସଂସଦରେ ଉଠାଇବ। ନୀତି ଆୟୋଗର ନିୟମକୁ ଆଳ କରି ଆମକୁ ଏହି ସୁଯୋଗରୁ ବଞ୍ଚିତ କରାଯାଉଥିବାରୁ ଏହା ଉପରେ ଓଡ଼ିଶା ତା’ର ଦାବି ଉପସ୍ଥାପନ କରିବ। ଭାରତୀୟ ଜନତା ପାର୍ଟି ତା’ର ନିର୍ବାଚନୀ ଇସ୍ତାହାରରେ କହିଥିଲା ଯେ ସ୍ୱାମୀନାଥନ କମିଟିକୁ ଲାଗୁ କରି ଚାଷୀଙ୍କ ଆୟ ଦୁଇଗୁଣ କରିବ ବୋଲି, ଯାହା ଅଦ୍ୟାବଧି ହେଲା ନାହିଁ। ଏହି ସମସ୍ୟା ସଂସଦରେ ଦୃଢ଼ତାର ସହିତ ଉଠାଯିବ। ଓଡ଼ିଶା ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ହେବା ପାଇଁ ପ୍ରସ୍ତାବ ପାରିତ ହୋଇଛି ଏବଂ ବିଜେଡିର ସାଂସଦ ଓ ବିଧାୟକମାନେ ବିଭିନ୍ନ ଦଳର ନେତାମାନଙ୍କ ସହିତ ଭେଟି ଏ ସଂପର୍କରେ ଆଲୋଚନା କରିବେ। ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଉଭୟ ସଦନରେ ଉପସ୍ଥାପନ କରାଯାଇ ମତାମତ ଲୋଡ଼ାଯିବାକୁ ବିଜୁ ଜନତା ଦଳ ନିଷ୍ପତ୍ତି ନେଇଛି। ବାତ୍ୟା ତିତ୍ଲି ଯୋଗୁ ଓଡ଼ିଶାର ଯେଉଁ କ୍ଷୟକ୍ଷତି ହୋଇଛି ତା’ର ଭରଣା କରିବା ପାଇଁ କେନ୍ଦ୍ର ସରକାର ଅଣଦେଖା କରିଛି। କେନ୍ଦ୍ରୀୟ ଟିମ୍ଓଡ଼ିଶା ଆସି ଦେଖିବା ପରେ ଅନେକ ପ୍ରଶଂସା କରିଛନ୍ତି। କିନ୍ତୁ ଅନ୍ୟ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଦେଲାବେଳେ ଓଡ଼ିଶାକୁ ଠିକ୍ଭାବେ ଦେଲେନାହିଁ। ଏ ବିଷୟରେ ମଧ୍ୟ ସଂସଦରେ ଦୃଷ୍ଟି ଆକର୍ଷଣ କରାଯିବ। ଅନୁସୂଚିତ ଜାତି ପିଲାଙ୍କ ଛାତ୍ରବୃତ୍ତି ବାବଦରେ ଯେଉଁ ଅର୍ଥ କାଟ୍ହୋଇଛି, ତାହା ନିଶ୍ଚିତ ଭାବେ ଅମାନବୀୟ ଏବଂ ଅନୁସୂଚିତ ଜାତି ପିଲାଙ୍କ ପ୍ରତି ପ୍ରତାରଣା। ଓଡ଼ିଶାର ବରପୁତ୍ର ବକ୍ସି ଜଗବନ୍ଧୁଙ୍କ ନାଁରେ ଟ୍ରେନ୍ଚଳାଚଳ କରିବା ପାଇଁ ରାଜ୍ୟ ଦାବି କରିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏ ବିଷୟରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ବକ୍ସି ଜଗବନ୍ଧୁଙ୍କ ଆନ୍ଦୋଳନକୁ ପ୍ରଥମ ସଂଗ୍ରାମ ବୋଲି କେନ୍ଦ୍ର ସରକାର କହୁଥିବା ବେଳେ ମାନ୍ୟତା ପ୍ରଦାନ କ୍ଷେତ୍ରରେ ଆନ୍ତରିକତା ଦେଖାଇନାହାନ୍ତି। କେନ୍ଦୁପତ୍ର ତୋଳାଳୀଙ୍କୁ ବର୍ତ୍ତମାନ ୧୮ ପ୍ରତିଶତ ଜିଏସ୍ଟି ଦେବାକୁ ପଡୁଛି। ୧୮%ରୁ ୫% କରିବାକୁ ବିଜେଡି ଦାବି କରିଥିଲା। ଏହାଦ୍ୱାରା ଅନେକ ଅନୁସୂଚିତ ଜନଜାତି ବର୍ଗର ଲୋକେ ଉପକୃତ ହୋଇପାରିବେ। ପୋଲାଭରମ୍ପ୍ରସଂଗରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ, ମହାନଦୀ ଟ୍ରିବ୍ୟୁନାଲ୍ଗଠନ ହେବା ପରେ ମନ୍ଥର ଗତି କାହିଁକି? ଟ୍ରିବ୍ୟୁନାଲ୍ର କାର୍ଯ୍ୟକାରିତା ଏବଂ ଓଡ଼ିଶାର ସ୍ୱାର୍ଥ କିଭଳି ରକ୍ଷା ହୋଇପାରିବ, ଆଦି ସମସ୍ୟା ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିବାକୁ ଆଜି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଦଳର ମୁଖପାତ୍ର ତଥା ସାଂସଦ ଶ୍ରୀ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି।
ବିଜେଡ଼ି ସଂସଦୀୟ ଦଳ ବୈଠକ : ସଂସଦରେ ଉପସ୍ଥାପନ ହେବ ୯ଟି ପ୍ରସଂଗ
|
December 10, 2018 |
