କନ୍ଧମାଳ,16/10. (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା):- ବିଜେଡ଼ି ବିରୋଧରେ ଏକ ଅଭିଯୋଗ କରି କନ୍ଧମାଳ ବିଜେପି ପକ୍ଷରୁ ଏକ ଅଭିଯୋଗ ପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଉକ୍ତ ଦାବିପତ୍ର ଗ୍ରହଣ କରିଛନ୍ତି। ବିଜେପିର ଅଭିଯୋଗ ପ୍ରକାରେ , ଫୁଲବାଣୀ ପୌରାଞ୍ଚଳରେ ଉଷାସର୍ଭେ ପରେ ବହୁ ବର୍ଷ ଧରି ସରକାରୀ ଜମିରେ ରହି ଆସୁଥିବା ଲୋକଙ୍କୁ ପଟ୍ଟା ବଣ୍ଟନ ବେଳେ ବିଜେଡ଼ି ଦଳର ପୂର୍ବତନ କାଉନସିଲର ଓ ନେତମାନେ ଉପସ୍ଥିତ ହୋଇ ପଟ୍ଟା ବଣ୍ଟନ କରିଛନ୍ତି। ତାହା ସଂପୂର୍ଣ୍ଣଭାବେ ଆଇନ ତଥା ଗଣତନ୍ତ୍ର ବିରୋଧି ଓ ନିର୍ବାହୀ ଅଧିକାରୀଙ୍କ ଦଳିୟ ମନୋଭାବକୁ ପ୍ରତିବିମ୍ବିତ କରିଛି ବୋଲି ବିଜେପି ଅଭିଯୋଗ କରିଛି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯିବା ସହିତ ଗତ ଦିନରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଦିଆଯାଉଥିବା ଫ୍ର-ରେସନ୍ ପାଇଁ ବିଜେଡ଼ି ଦଳର ପୂର୍ବତନ କାଉନସିଲର ନିଜ ଘରେ ରେସନକାର୍ଡ଼ ଵଣ୍ଟନ କରାଯାଉଥିବା ସଂପର୍କରେ ମଧ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ପୁଣି ଥରେ ଏଭଳି ପରିସ୍ଥିତି ଉପୁଜିଥିବା ମଧ୍ୟ ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ସେହିଭଳି ପୌର ପରିଷଦରେ ନିର୍ମାଣ କାର୍ଯ୍ୟଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ଓ ଏହି କାର୍ଯ୍ୟ ଗୁଡ଼ିକ ଡ଼ିପାର୍ଟମେଣ୍ଟାକ୍ ସ୍ୱାର୍ଡ଼ ଭାବରେ କାଗଜପତ୍ରରେ ଦର୍ଶାଯାଇ ବିଜେଡ଼ି ଦଳର କର୍ମୀମାନେ କାର୍ଯ୍ୟ କରୁଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଏଭଳି ସ୍ଥଳେ ତୁରନ୍ତ ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ , ଯୋଗାଣ ନିରୀକ୍ଷକ ଓ ଯନ୍ତ୍ରୀ ମାନଙ୍କୁ ତୁରନ୍ତ ବଦଳି କରିବା ପାଇଁ ଭାରତୀୟ ଜନତା ପାର୍ଟି ଦାବି କରୁଛି ବୋଲି ଉଲ୍ଲେଖ କରାଯାଇଛି। ବିଜେପିର ପୂର୍ବତନ ଜିଲା ସଭାପତି ଲିଙ୍ଗରାଜ ଦଳବେହେରାଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତା ଭଗବାନ ମହାନ୍ତି , ସୁଧାଂଶୁ ଗୁରୁ , ତପନ ପାଢୀ ,ରମେଶ କୁମାର ମହାନ୍ତି , ଅଜିତ୍ କୁମାର ପଟନାୟକ , ସୁଶାନ୍ତ କୁମାର ମହାନ୍ତି , ଚନ୍ଦ୍ର ଶେଖର ପଣ୍ଡା , ପରେଶ ମହାପାତ୍ର ଓ ଅନ୍ୟମାନେ ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ନକଲ ରାଜ୍ୟପାଳ , ସାଧାରଣ ଯୋଗାଣ ବିଗାଗ ସଚିବ , ନଗର ଉନ୍ନୟନ ବିଭାଗ ସଚିବଙ୍କୁ ମଧ୍ୟ ପ୍ରେରଣ କରାଯାଇଥିବାର ଉଲ୍ଲେଖ ରହିଛି।
ବିଜେଡ଼ି ବିରୋଧରେ ବିଜେପିର ଅଭିଯୋଗ: ଜିଲା ପ୍ରଶାସନକୁ ଅଭିଯୋଗ ପତ୍ର ପ୍ରଦାନ
|
October 16, 2020 |
