ବିଜୁ ପରିବାର ଆନୁଗତ୍ୟକୁ ନେଇ ଧର୍ମଶାଳା ବି.ଜେ.ଡିରେ ଲଢେଇ

Spread the love

ଯାଜପୁର,୧୪/୧୧ (ସନ୍ଧାନ ନିୟୁଜ/ଇତିଶ୍ରୀ ଦାସ ) ରାଜ୍ୟସଭାରେ କ୍ରସଭୋଟ ଅଭିଯୋଗରେ କଳ୍ପତରୁ ଦାସଙ୍କୁ ଦଳରୁ ସସପେଣ୍ଡ କରିଥିଲେ ବି.ଜେ.ଡି ସୁପ୍ରୀମୋ ନବୀନ ପଟ୍ଟନାୟକ । ନବୀନ ଅନୁଗତ ଭାବେ ଏହି ନିଷ୍ପତ୍ତିକୁ ସମର୍ଥନ କରି ଦୀର୍ଘବର୍ଷ ହେଲା କଳ୍ପତରୁ ପରିବାରର ବିରୋଧର ଶୀକାର ହୋଇ ଆସୁଛନ୍ତି ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ । ଏହାର ଜବାବରେ ସତୀଶଙ୍କ ନେତୃତ୍ୱରେ ମଧ୍ୟ ଧର୍ମଶାଳାର କ୍ଷମତାକେନ୍ଦ୍ର ସାଜିଥିବା କଳ୍ପତରୁ ପରିବାର ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ନିୟମିତ ବିରୋଧ ଚାଲିଛି । ଏବେ ବିଜୁ ପରିବାରର ଆନୁଗତ୍ୟକୁ ମୂଳ ପ୍ରସଙ୍ଗ କରି ସତୀଶଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଜନସମ୍ପର୍କ କରାଯିବା ଏବଂ ନବୀନଙ୍କ ନେତୃତ୍ୱ ସପକ୍ଷରେ ପ୍ରଚାର କରାଯିବା ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି ।

କୋଣାର୍କ ଟିଭି, ଘଙ୍ଗାପାଟଣା, ଯାରକା ଜଙ୍ଗଲ ଜମି, ଇଛାଧୀନ କୋଟା, ପ୍ଲଟ ଫ୍ଲାଟ ଦୁର୍ନିତି, ଡି ବ୍ରଦର୍ସ, ଚିଟଫଣ୍ଡ ଲିଙ୍କ ନେଇ ସି.ବି.ଆଇ ଜେରା , ପାହାଡ ପର୍ବତ ହରିଲୁଟ, ଉନ୍ନୟନ କାର୍ଯ୍ୟରେ ଦୁର୍ନିତି ଆଦି ବହୁ ଦୁର୍ନିତି ପ୍ରସଙ୍ଗରେ ଛନ୍ଦି ହୋଇ ପଡିଥିବା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପ୍ରତି ଲୋକେ ମୁହଁ ଫେରେଇଲେଣି । ଯେଉଁଥିପାଇଁ ଗତ ପଂଚାୟତ ନିର୍ବାଚନରେ ବିରୋଧୀ ଦଳ ନିଷ୍କ୍ରିୟ ଥାଇ ବି ଧର୍ମଶାଳାରେ ବିଜୁ ଜନତା ଦଳର ଭୋଟ ପ୍ରାୟ ୪୦ ହଜାର ହ୍ରାସ ପାଇଛି । ଏଣେ ୨୦୧୪ ବି.ଜେ.ଡି ଟିକେଟ ଲବିରେ ଥିବା ବିଜୁ ଯୁବ ଜନତାର ପ୍ରାକ୍ତନ ରାଜ୍ୟ ସାଧାରଣ ସଂପାଦକ ସତୀଶ ବିଶ୍ୱାଳ ବିଭିନ୍ନ ଗାଁରେ ଜନସଂପର୍କ କରି ବିଜୁ ପରିବାର ସପକ୍ଷରେ ପ୍ରଚାର ଜୋରଦାର କରିଛନ୍ତି । ଉଭୟ ବିଜୁବାବୁ ଓ ନବୀନବାବୁ ଜୀବନଯାକ ଦୁର୍ନିତି ବିରୋଧରେ ଲଢେଇ କରିବା ସହ ବିଜୁବାବୁ ରାଜ୍ୟବାସୀଙ୍କ ପାଇଁ ନିଜର ସମ୍ପତ୍ତି ବିକ୍ରି କରିଛନ୍ତି । ହେଲେ ଦୁର୍ନିତି ଭ୍ରଷ୍ଟାରଚାର କରି କୋଟି କୋଟି ଟଙ୍କାର କଳାଧନର ମାଲିକ ହୋଇଥିବା ନେତା କଦାପି ନବୀନବାବୁଙ୍କ ଅନୁଗାମୀ ହୋଇ ନପାରେ । ବିଜୁବାବୁଙ୍କ ବିଶ୍ୱାସରେ ବିଷ ମିଶାଇ କୋଣାର୍କ ଟିଭିକୁ ଡୁବାଯିବା, ରାଜ୍ୟସଭାରେ ନବୀନବାବୁଙ୍କୁ ପ୍ରତାରଣା କରାଯାଇ କ୍ରସଭୋଟ କରିଥିବା ପରିବାର ବିଜୁ ପରିବାରର ଅନୁଗତ ନୁହନ୍ତି । ବିଜୁବାବୁ ତାଙ୍କ ଜୀବଦଶାରେ କେବେ ବି ନିଜ ପୁଅଙ୍କୁ ବିଧାୟକଟିଏ କରିବାକୁ ଚେଷ୍ଟା ତ ଦୂରର କଥା ଚିନ୍ତା ବି କରି ନଥିଲେ । ହେଲେ ଆମ ଧର୍ମଶାଳାରେ ବାପା କ୍ଷମତାରେ ଥାଇ ବି.ଜେ.ଡି ନାମରେ ପୁଅକୁ ବିଧାୟକ କରିବା ପରେ ଭାଇକୁ ଚେୟାରମ୍ୟାନ କରାଗଲା । ଧର୍ମଶାଳା ଅଂଚଳର ନହୋଇ ବି ଧର୍ମଶାଳାରେ କ୍ଷମତାରେ ରହିବା ଫଳରେ ଧର୍ମଶାଳାରେ କେହି ଯୋଗ୍ୟ ନାହାନ୍ତି ବୋଲି ପ୍ରମାଣ କରାଯାଉଛି । ତେଣୁ ବିଜୁ ପରିବାରକୁ ଭଲ ପାଉଥିବା ପ୍ରତ୍ୟେକ କର୍ମୀ ଏଭଳି ନେତାଙ୍କୁ ବିରୋଧ କରିବା ହିଁ ବିଜୁ ପରିବାର ପ୍ରତି ବାସ୍ତବ ଆନୁଗତ୍ୟ ବୋଲି ଜେନାପୁର ପଂଚାୟତର ବ୍ରହ୍ମପୁରରେ ଅନୁଷ୍ଠିତ ଜନସଂପର୍କ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ମତ ପ୍ରକାଶ କରିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଦଇତାରୀ-ପାରାଦ୍ୱୀପ ଏକ୍ସେପ୍ରେସ ହାଇୱେ ନିର୍ମାଣ କରିଥିଲେ ବୋଲି ଧର୍ମଶାଳାର କବାଟବନ୍ଧରୁ କଣ୍ଟିଗଡିଆ ପର୍ଯ୍ୟନ୍ତ ୨୦ ପଂଚାୟତର ଲୋକେ ଜୀବନ ଜୀବିକା ପାଇବା ସହ ପରିଚୟ ପାଇଛନ୍ତି । ତେଣୁ ବିଜୁ ପରିବାର ଆମ ଅଞ୍ଚଳ ପାଇଁ ସର୍ବମାନ୍ୟ ଏବଂ ପୂଜ୍ୟ । ନବୀନ ପଟ୍ଟନାୟକ ସର୍ବଦା ଓଡିଆ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ଦୁର୍ନିତି ଓ ଭ୍ରଷ୍ଟାଚାରକୁ ବିରୋଧ କରିଛନ୍ତି । ତେଣୁ ବି.ଜେ.ଡି ପ୍ରତ୍ୟେକ ସଚ୍ଚା ଅନୁଗତ ଦୁର୍ନିତିଗ୍ରସ୍ତ ନେତାଙ୍କୁ ବିରୋଧ କରି ନିଜକୁ ସଚ୍ଚା ନବୀନ ଅନୁଗତ ପ୍ରମାଣ କରିବାକୁ ଆହ୍ୱାନ ଦେଇ ସିଧାସଳଖ ଧର୍ମଶାଳା ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି । ଧର୍ମଶାଳାର ଅଂଜିରା, ଭେଜିଗୋଠ, ବିଚ୍ଛାଖଣ୍ଡୀ ନୂଆସାହି, ଏରସଣ୍ଡା ଆଦି ବିଭିନ୍ନ ସ୍ଥାନରେ ସତୀଶଙ୍କ ଜନସପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉ କି, ତକ୍ରାଳୀନ ବି.ଜେ.ଡି ରାଜ୍ୟସଭା ପ୍ରାର୍ଥୀ ଅନଙ୍ଗ ଉଦୟ ସିଂଦେଓ ପରାଜିତ ହେବା ପରେ ତକ୍ରାଳୀନ ଧର୍ମଶାଳା ବିଧାୟକ କଳ୍ପତରୁ ଦାସଙ୍କୁ କ୍ରସଭୋଟ କରିଥିବା କାରଣରୁ ବି.ଜେ.ଡି ସୁପ୍ରୀମୋ ନବୀନ ପଟ୍ଟନାୟକ ଦ୍ୱାରା ସସପେଣ୍ଡ ହୋଇଥିଲେ । ସେ ସମୟରେ ଧର୍ମଶାଳାର ଯୁବନେତା ତଥା ବିଜୁ ଯୁବ ଜନତାର ପ୍ରାକ୍ତନ ରାଜ୍ୟ ସାଧାରଣ ସଂପାଦକ ସତୀଶ ବିଶ୍ୱାଳ ନବୀନଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ପରୋକ୍ଷରେ କଳ୍ପତରୁଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିଥିଲେ ।

Related Posts

About The Author

Add Comment