ବାରିପଦା,୨୮/୧ (ସନ୍ଧାନ ନିଉଜ୍): ନିର୍ମାଣାଧୀନ ବିଜୁସେତୁ ଟନେଲ ଦବି କାର୍ଯ୍ୟରତ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର। ଏହି ଦୁଃଖଦ ଘଟଣାକୁନେଇ ଶ୍ରମିକ ଉତ୍ତେଜନା ପ୍ରକାଶ ପାଇ କାର୍ଯ୍ୟ ପରିଚାଳନା କରୁଥିବା ୨ ସୁପରଭାଇଜର ସାଥୀ ଶ୍ରମିକଙ୍କ ଆକ୍ରମଣରେ ଆହତ। ତେବେ ବିପଦପୂର୍ଣ୍ଣ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ସେତୁ ନିର୍ମାଣ ଠିକା ନେଇଥିବା ଠିକାଦାର ସେଫ୍ଟଟି କିଟ୍ସ ଯୋଗାଇ ନ ଦେବା ସାଙ୍ଗକୁ କାର୍ଯ୍ୟର ତଦାରଖ ଦାୟିତ୍ବରେ ଥିବା ସରକାରୀ ସଂସ୍ଥାର ଯନ୍ତ୍ରୀ ଏବଂ ଅଧିକାରୀମାନେ ନଜରଆନ୍ଦାଜ କରିଥିବାରୁ ଆଜି ଏକ ଦୁଃଖଦ ଘଟଣା ଘଟି ଜଣେ ଶ୍ରମିକର ଦୟନୀୟ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟଜଣେ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର ହୋଇଛି।ଯାହାକୁ ନେଇ କାର୍ଯ୍ୟରତ ସାଥୀ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶପାଇ ମୃତ୍ୟୁ ପାଇଁ ଠିକାଦାର, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଦାୟିକରି ତୁରନ୍ତ ସେମାନଙ୍କୁ ଗିରଫ କରାଯିବା ସହିତ ମୃତକ ଏବଂ ଆହତଶ୍ରମିକଙ୍କ ପରିବାରକୁ ଶ୍ରମଆଇନ ଅନୁସାରେ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି।
ତେବେ ଘଟଣାଟି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବେତନଟୀ ଥାନା ଅଧୀନରେ ବାରିପଦା ରୁ ପ୍ରତାପପୁର ଯାଇଥିବା ଉରା ନାଳରେ ହେଉଥିବା ବିଜୁସେତୁ ନିର୍ମାଣ ସ୍ଥଳରେ ଘଟିଛି। ପ୍ରାପ୍ତସୂଚନା ଅନୁଯାୟୀ ଉରାଚନ୍ଦାବିଲା ଠାରେ ନିର୍ମାଣାଧୀନ ବିଜୁସେତୁର ଏକ ଟନେଲ ତଳକୁ ନ ଦବି ଅଟକି ରହିଥିଲା। ଯାହାକୁନେଇ ନୟାନ୍ତ ହୋଇପଡିଥିଲେ କାର୍ଯ୍ୟରତ ଶ୍ରମିକମାନେ।ଏହାର କାରଣ ଦେଖିବା ପାଇଁ ତଳକୁ ଓହ୍ଲାଇ ଥିଲେ ଦୀପକ ସିଂ ଏବଂ ଶତ୍ରୁଘ୍ନ ମଳିକ। ମାତ୍ର ତଦାରଖ କରୁଥିବା ସମୟରେ ଅଚାନକ ଟନେଲ ଦବିଯାଇଥିଲା। ଏବଂ ଜଳ ଉପରକୁ ଉଠିଯିବାରୁ ଉଭୟ ଦୀପକ ଏବଂ ଶତ୍ରୁଘ୍ନ ଜଳରେ ବୁଡି ଯାଇଥିଲେ। ଏହି ସମୟରେ ଦୀପକ ସିଂ ର ମୃତ୍ୟୁ ହୋଇଥିଲା ବେଳେ ଶତ୍ରୁଘ୍ନକୁ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତକ ଦୀପକ (୩୨) ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଧାନଶୋଳ ଓ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର ଶତ୍ରୁଘ୍ନ ମଳିକ ରାଜଘାଟ ଅଞ୍ଚଳର ବୋଲି ଜଣାପଡିଛି। ପରେ ଘଟଣାସ୍ଥଳରେ ସାଥୀ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ପରିଚାଳନା ଦାୟିତ୍ବ ତୁଲାଉଥିବା ସୁପରଭାଇଜର ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ବାବୁଲା ନାଏକଙ୍କ ଉପରେ ଆକ୍ରମଣ କରିଥିଲେ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରି ଗୁରୁତ୍ତର ଓ ଆହତ ମାନଙ୍କୁ PRM ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇ ଘଟଣାର ଅଧିକ ତଦନ୍ତଜାରୀ ରଖିଥିବା ଜଣାପଡ଼ିଛି।ତେବେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକୁ ବିଭାଗ ପକ୍ଷରୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ସବୁ ମହଲରେ ଏବେ ପ୍ରମୁଖ ଆଲୋଚନାର ବିଷୟ ପାଲଟି ନିର୍ମାଣାଧୀନ ବିଜୁସେତୁ କାର୍ଯ୍ୟର ନିର୍ଦ୍ଧାରିତ ମାନକୁ ଯାଞ୍ଚ କରାଯିବା ଆବଶ୍ୟକତା ରହିଛି ବୋଲି ମଧ୍ୟ ମତପ୍ରକାଶ ପାଉଛି। ଅନ୍ୟପଟେ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଏଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନଥିବା ଜଣାପଡ଼ିଛି।



