ଯାଜପୁର ୦୨/୦୫ (ସନ୍ଧାନ ନିଉଜ) : ଯେକୌଣସି ବ୍ୟକ୍ତି ବାହାର ରାଜ୍ୟ ବା ଜିଲ୍ଲାରୁ ଆସୁଥିଲେ ସେମାନେ ନିଶ୍ଚିତ ଭାବେ ନାମ ପଞ୍ଜିକରଣ କରାଇ କ୍ୱାରେନଟାଇନରେ ରହନ୍ତୁ । ଏହାର ଉଲଘଂନ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ଯାଜପୁର ଜିଲ୍ଲା ପାଇଁ ନିଯୁକ୍ତ ନୋଡାଲ ଅଧିକାରୀ ହେମନ୍ତ କୁମାର ଶର୍ମା ସତର୍କ କରାଇ ଦେଇଛନ୍ତି । ଶନିବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା କରୋନା ସ୍ଥିତିର ସମୀକ୍ଷା କରି ଶ୍ରୀ ଶର୍ମା ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ପଞ୍ଜିକରଣ ପାଇଁ ପଂଚାୟତ ମାନଙ୍କରେ ସରଂପଚ, ଆଶା ଓ ଅଙ୍ଗନବାଡୀ କର୍ମୀମାନେ ଉତରଦାୟୀ ଭାବେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । କରୋନାକୁ ଲୁଚାଇଲେ ସେ ସଂପୃକ୍ତ ବ୍ୟକ୍ତି ସହ ତା’ର ପରିବାର, ଗ୍ରାମ ଓ ସମଗ୍ର ଅଂଚଳକୁ ସଂକ୍ରମିତ କରିବାର ଆଶଙ୍କା ରହୁଥିବାରୁ ଏହା ପ୍ରତ୍ୟେକଙ୍କ କାମ ଯେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୱାରେନଟାଇନ କରାଇବା ।
ସରକାର ସରପଂଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବାବେଳେ ସେମାନଙ୍କର ମଧ୍ୟ ଦାୟିତ୍ୱ ବଢ଼ିଯାଇଛି । ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପଞ୍ଜିକରଣ ସହ ରହିବାସ୍ଥଳ, ଉପଯୁକ୍ତ ରହଣି ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ, ବିଦୁ୍ୟତ, ରନ୍ଧାଖାଦ୍ୟ, ସୁରକ୍ଷା, ଚିକିତ୍ସା ଇତ୍ୟାଦି ପାଇଁ ମଧ୍ୟ ଉତରଦାୟୀ ଭାବେ କାର୍ଯ୍ୟ କରନ୍ତୁ । କୌଣସି ବ୍ୟକ୍ତି କ୍ୱାରେନଟାଇନ କେନ୍ଦ୍ରରୁ ଘରକୁ ଯିବା ଆସିବା କରିପାରିବେ ନାହିଁ କିମ୍ବା ତାଙ୍କ ସହ କେହି ମିଶିପାରିବେ ନାହିଁ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଆବଶ୍ୟକ ସ୍ଥଳେ ସି.ସି. ଟିଭି ବ୍ୟବସ୍ଥା କରାଯିବ ବୋଲି ସଚିବ ଶ୍ରୀ ଶର୍ମା କହିବା ସହ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି କୋଭିଡ୍ ହସପିଟାଲ, ଏନ୍ସି କଲେଜର କୋଭିଡ୍ କେୟାର କେନ୍ଦ୍ର ଭୁବନେଶ୍ୱରର ବ୍ୟବସ୍ଥା ସହ ତୁଳନୀୟ ବୋଲି କହିଥିଲେ । ଜିଲ୍ଲାରେ ବର୍ତମାନ ୫୭୧ଟି ଅସ୍ଥାୟୀ ଚିକିତ୍ସା ଶିବିର କରାଯାଇଛି ଓ ଏହାକୁ ଆହୁରି ବଢ଼ାଯାଉଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଥିଲେ । ଟି.ଏମ୍.ସି ଓ ପଂଚାୟତସ୍ତରରେ ବିଭିନ୍ନ ଟିମ୍ କରାଯାଇ କାର୍ଯ୍ୟ ପରିଚାଳନାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ୧୦ଗୋଟି କଣ୍ଟେନମେଣ୍ଟ ଜୋନ ଜିଲ୍ଲାରେ ବଳବତର ଥିବାବେଳେ ଯେଉଁଠାରେ ନୂଆ ପଜିଟିଭ ବାହାରୁଛି ତତ୍କ୍ଷଣାତ ସେ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।
ଅପରପକ୍ଷରେ ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ପଞ୍ଜିକରଣ ସହ ହାତରେ ଏକ ପରିଚୟ ସୂଚକ କାଳିଚିହ୍ନ ଦିଆଯିବ । ପ୍ରତ୍ୟେକ ବ୍ୟକ୍ତି ସଠିକ ଭାବେ କ୍ୱାରେନଟାଇନ ନିୟମମାନି ଚଳିବେ ବୋଲି ଘୋଷଣାନାମା ଦେବେ । ଏହାର ଉଲ୍ଲଘଂନ କ୍ଷେତ୍ରରେ ତାଙ୍କ ବିରୁଦ୍ଧରେ ଓ ଦାୟିତ୍ୱରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଶର୍ମା ସତର୍କ କରାଇ ଦେଇଛନ୍ତି । ଓଡିÿଶା ଅର୍ବାନ ହାଉସିଂ ମିଶନର ନିଦେ୍ର୍ଦଶକ ସୁରେଶ ଚନ୍ଦ୍ର ଦଳାଇ ବ୍ଲକସ୍ତରରେ ମେଡିକାଲ ଟିମ ଗଠନ କରାଯାଇ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରେଇବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକ ପରେ ଉଭୟ ଅଧିକାରୀ ଡୁବୁରୀ ସ୍ଥିତ, କୋଭିଡ ହସପିଟାଲକୁ ପରିଦର୍ଶନ କରିବା ସହ ରୋଗୀମାନଙ୍କର ସ୍ୱାସ୍ଥ୍ୟ, ଅନ୍ୟାନ୍ୟ ଆବଶ୍ୟକତା, ସମସ୍ୟା ଇତ୍ୟାଦି ସଂପର୍କରେ ପଚାରି ବୁଝିଥିଲେ । ଏହି ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ପ୍ରକଳ୍ପ ନିଦେ୍ର୍ଧଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଯାଜପୁର, ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସିଡିଏମଓ ଡା. ସୁଧାଶୁଂ ଶେଖର ବଳ, ଏ.ଡି.ଏମଓ ଡା. ପି.କେ.ନାଥଶର୍ମା, ଯାଜପୁର ପୌରନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।