ବାଲିଗୁଡା, , 14/10 (ସନ୍ଧାନ ନ୍ୟୁଜ୍) :- ସୋମବାର ରାତ୍ରରୁ ଅଵିଶ୍ରାନ୍ତ ଭାବେ ଲଗାଣ ବର୍ଷା ଲାଗି ରହିବା ଫଳରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ଜନ ଜୀବନ କୁ ଅସ୍ତବ୍ୟସ୍ତ କରିଛି। ତୁହା କୁ ତୁହା ଲଗାଣ ବର୍ଷା ହେବାରୁ ଲୋକେ ଭୟ ଓ ଆତଙ୍କ ରେ ଅଛନ୍ତି। ବାଲିଗୁଡାର ଆଖପାଖ ଅଞ୍ଚଳରେ ପ୍ରବାହିତ ଛୋଟ ବଡ଼ ନଦୀ ଦୁଇ କୂଳ ଛୁଇଁଥିଲେ ମଧ୍ୟ ଏହା ବିପଦ ସଂକେତ ତଳେ ପ୍ରଭାବିତ ହେଉଛି।ତଥାପି ନଈ କୁଳିଆ ଲୋକେ ପୂର୍ବ ବନ୍ୟା କଥାକୁ ଭୁଲିନପାରି ଭୟ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ତଳିଆ ବସ୍ତି ବାସିନ୍ଦାଙ୍କ କଥା କହିଲେ ନସରେ।ବ୍ୟବସାୟୀ ମାନେ ବନ୍ୟା ଭୟର ପ୍ରମାଦ ଗଣିଲେଣି। ସହର ମଧ୍ୟରେ ବିଭିନ୍ନ ସାହି ବସ୍ତି ରେ ନର୍ଦ୍ଦମା ଓ ବିଲ ପାଣି ପ୍ରବେଶ କରି ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଚାଷଜମି,ରାସ୍ତା ଘାଟ,ନଈ ନାଳ ବର୍ଷା ଜଳରେ ଭର୍ତ୍ତି ହୋଇପଡିଛି।ବାଲିଗୁଡା କୁ ସଂଯୋଗ କରୁଥିବା କିଛି ଅଞ୍ଚଳର ରାସ୍ତା ଉପରେ ପ୍ରାୟ ଦୁଇ ଫୁଟରୁ ଅଧିକ ବର୍ଷା ଜଳ ପ୍ରଭାହିତ ହେବାରୁ ଯାନବାହନ ଚଳାଚଳ ରେ ବ୍ୟଘାତ ସୃଷ୍ଟି ହୋଇଛି।ଏ ଲଗାଣ ବର୍ଷା ସମସ୍ତ ବର୍ଗ ପାଇଁ ଦୁଃଖ ନେଇ ଆସିଛି। ହେଲେ ସରକାରୀ ହିସାବ ରେ କୌଣସି ସ୍ଥାନରେ ସେପରି କ୍ଷୟକ୍ଷତି ହୋଇନଥିବା ବେଳେ ପ୍ରଶାସନ ପକ୍ଷରୁ ବନ୍ୟା ଆଶଙ୍କା କରି ସମସ୍ତ ପ୍ରସ୍ତୁତି କରିଥିବା ସୂଚନା ମିଳିଛି।



