ବାରିପଦା: ବର୍ଷାଦିନରେ ବୁଢାବଳଙ୍ଗ ନଦୀକୂଳିଆଙ୍କ ପଡିଛି ଭାଳେଣି ସରକାରଙ୍କ ଆଡ଼ିବନ୍ଧ ପ୍ରତିଶ୍ରୁତିକୁ ୭ ବର୍ଷ ବିତିଲା,ତଥାପି ନାମଗନ୍ଧ ନାହିଁ

Spread the love

ବାରିପଦା, ୨୦/୦୭/୨୦ (ସନ୍ଧାନ ନିଉଜ) : ନଦୀନାଳ ପରିବେଷ୍ଟିତ ବାରିପଦା ସହରରେ ବର୍ଷାଦିନରେ ବଢ଼ି ପାଣି ଜନବସତି ମଧ୍ୟକୁ ମାଡି ଆସି ବନ୍ୟାରେ ଭୟ ସୃଷ୍ଟି କରିଥାଏ। ଏହାର ପଶ୍ଚିମ ଦିଗରେ ସାଢେ ୩ କିଲୋମିଟର ବ୍ୟାପି ଥିବା ବୁଢାବଳଙ୍ଗ ନଦୀର ବନ୍ୟା ଦ୍ବାରା ପ୍ରାୟ ୪୦ ରୁ୫୦ ହଜାର ଲୋକେ ପ୍ରଭାବିତ ହୋଇଥାନ୍ତି। ୧୯୭୩ ମସିହାରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାର ୪୦ ବର୍ଷ ପରେ ୨୦୧୩ ଅକ୍ଟୋବର ୧୩ରେ ଫାଇଲିନ ବନ୍ୟାର କରାଳ ରୂପରେ ଜୀବନହାନୀ ୫୦କୋଟିରୁ ଉର୍ଦ୍ଧ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିଲା । ତତ୍ ସହିତ ୧୫ ହଜାରରୁ ଉର୍ଦ୍ଧ୍ଵ ପରିବାରଙ୍କ ବାସଗୃହ ସମେତ ଜିଲା ସଦର ମହକୁମା ବାରିପଦା ମୁଖ୍ୟ ହସ୍ପିଟାଲ(ବର୍ତ୍ତମାନର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସ୍ପିଟାଲ)ର ବ୍ୟାପକ କ୍ଷତି ଘଟିଥିଲା ଏବଂ୧,୬,୭,୮ ଓ ୯ ନମ୍ବର ୱାର୍ଡର ଜନସାଧାରଣ ଅଧିକ ପ୍ରଭାବିତ ହୋଉଥିଲେ। ଏହି ବନ୍ୟା ବିପରିତ୍ତ ସ୍ଥାୟୀ ପ୍ରତିକାର ପାଇଁ ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗର ତତ୍ କାଳୀନ ସଚିବ ସୁରେଶ ମହାପାତ୍ର ଏଠାକୁ ରାସ୍ତାରେ ଆସି ସହର ମଧ୍ୟରେ ପ୍ରବାହିତ ଜରାଳି ଓ ସରାଳି ନଦୀର ପୁନିଖଳନ ସହିତ ନଦୀର ଦୁଇ ଆଡିର ପଥର ପ୍ୟାଜିଂ, ବୁଢାବଳଙ୍ଗ ନଦୀର ଉପରମୁଣ୍ଡରେ ବ୍ୟାରେଳ ନିର୍ମାଣ ଏବଂ ଦାମୋଦରପୁରରୁ ସୁନାମୁହିଁ ପର୍ଯ୍ୟନ୍ତ ନଦୀର ବାମପର୍ଶ୍ବରେ ଆଡ଼ିବନ୍ଧ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଇତିମଧ୍ୟରେ ଦୀର୍ଘ ସାତ ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ଆନୁଷ୍ଟିତ ନିର୍ବାଚନଗୁଡିକରେ ରାଜନେତା ବୁଢାବଳଙ୍ଗର ଆର୍ଡିବନ୍ଧ ନିର୍ମାଣକୁ ଲଲିପପ୍ ପ୍ରତିଶ୍ରୁତି ଭଳି ବ୍ୟବହାର କରି ଆସୁଛନ୍ତି। ଏଠାକାର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବୃଦ୍ଧିଜୀବୀ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜନସେଚନ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଏହି ବନ୍ଧ ନିର୍ମାଣ ପାଇଁ ଦାବୀ ଓ ଆଲୋଚନା କରି ଆସୁଥିଲେ ମଧ୍ୟ ମୋତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଠ ନ୍ୟାୟରେ କେହି ଏହି ସମସ୍ୟାର ସମାଧାନକୁ ଗୁରୁତ୍ବ ଦେଇ ନ ଥିବା ଅଭିଯୋଗ ହେଉଛି। ବିଗତ ପାଞ୍ଚ ବର୍ଷ ମଧ୍ୟରେ ଜରାଳି ଓ ସରାଳି ନଦୀର ପଥର ପ୍ୟାଜିଂ କାର୍ଯ୍ୟାରମ୍ଭ ହୋଇଛି । କିନ୍ତୁ ତାହା ମଧ୍ୟ ଏଯାବତ ସଂପୂର୍ଣ୍ଣ ହୋଇ ପାରି ନାହିଁ । ୨୦୧୭ ମେ ମାସରେ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗର ତତ୍କାଳୀନ ସଚିବ ପ୍ରଦୀପ କୁମାର ଜେନାଙ୍କ ବାରିପଦା ଗସ୍ତ ଅବସରରେ ସ୍ଥାନୀୟ ବନ୍ୟପ୍ରପୀଡିତ ଅଞ୍ଚଳର କିଛି ବୁଦ୍ଧିଜୀବି ବୁଢାବଳଙ୍ଗ ଉପରମୁଣ୍ଡରେ ବ୍ୟାରେଜ ଓ ଆଡ଼ିବନ୍ଧ ନିର୍ମାଣର ଦାବି ସଂପର୍କରେ ଆଲୋଚନା କାଳରେ ସଚିବ ଖୁବଶୀଘ୍ର କାର୍ଯ୍ୟରମ୍ଭ ହେବ ବୋଲି ପ୍ରତିନିଧି ଦଳକୁ ଦେଇଥିବା ପ୍ରତିଶ୍ରୃତିରେ ହିଁ ରହିଯାଇଛି । ଏହି ଆଲୋଚନାର ଚାରି ବର୍ଷ ମଧ୍ୟରେ ଆଡ଼ିବନ୍ଧ ନିର୍ମାଣ ପାଇଁ ଜମି ଚିହ୍ନଟ କାର୍ଯ୍ୟ ହୋଇଥିଲେ ମଧ୍ୟ ବ୍ୟାରେକ ନିର୍ମାଣ କାର୍ଯ୍ୟ ନିମନ୍ତେ କୈାଣସି ଉଦ୍ୟମ ଆରମ୍ଭ ହୋଇ ନାହିଁ ।
ବନ୍ଧ ନିର୍ମାଣ ପାଇଁ ହୋଇଥିବା ସର୍ତ୍ତେ ଅନୁସାରେ ଦାମୋଦରପୁରରୁ ସୁନାମୁହିଁର ଦାମୋଦଘାଟ ପଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ଲମ୍ବ ୧୨ ମିଟର ଉଚ୍ଚ ଓ ୭୦ ମିଟର ଓସାରର ଆଡ଼ିବନ୍ଧ ନିର୍ମାଣ ପାଇଁ ସେ ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ୬୪ କୋଟି ଟଙ୍କାର ବ୍ୟୟ ବରଦା କରାଯାଇଥିବା କୁହାଯାଉଛି । କିନ୍ତୁ ଏହି ଟଙ୍କା ଖର୍ଚ୍ଚ ଅନୁମୋଦନ ହୋଇ ନ ଥିବାରୁ ଇତି ମଧ୍ୟରେ ବଜାର ଦର ଅନୁସାରେ ବନ୍ଧ ନିର୍ମାଣ ବ୍ୟୟ ଅଟକଳ ୫ କୋଟିରୁ ୬ କୋଟି ଟଙ୍କା ପଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ବୁଢାବଳଙ୍ଗ ନଦୀରେ ପ୍ରଥମ ପର୍ଯ୍ୟାୟରେ ୮ ନମ୍ବର ଓ୍ଵାର୍ଡ ଶିରିଡ଼ି ସାଇ ମନ୍ଦିରଠାରୁ ତଳମୁଣ୍ଡର ସୁନାମୁହିଁ ଦାମୋଦର ଘାଟ ପଯ୍ୟନ୍ତ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଶିରିଡ଼ି ସାଇ ମନ୍ଦିରଠାରୁ ଉପରମୁଣ୍ଡର ଟିପଟ୍ଅସ୍ତିଆ ଦେଇ ଦାମୋଦରପୁର ପଯ୍ୟନ୍ତ ବନ୍ଧ ନିର୍ମାଣ ପ୍ରସ୍ତାବ ରହିଛି । କିନ୍ତୁ ଏହି ପ୍ରସ୍ତାବ ଆକାଶ କଇଁଆ ଚିଲିକା ମାଛ ଭଳି ହୋଇଛି । କାରଣ ଏହି ବନ୍ଧ ନିର୍ମାଣ ପାଇଁ ୪୦ ପ୍ରତିଶତ ସରକାରୀ ଜମି ଆବଶ୍ୟକ ହୋଇଥିବା ବେଳେ ୬୦ ପ୍ରତିଶତ ବେସରକାରୀ ଜମିର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଆଡ଼ିବନ୍ଧ ନିର୍ମାଣ ପାଇଁ ୨୦ ପ୍ରତିଶତ ଅଧିକ ବେସରକାରୀ ଜମି ଗ୍ରହଣ କରାଯାଇ ପାରିବ ନାହିଁ । ଏଣୁ ବନ୍ୟା ପ୍ରପୀଡ଼ିତ ବାରିପଦାବାସୀ ଏହି ବନ୍ଧ ନିର୍ମାଣରେ ଅନିଶ୍ଚିତତା ଉପଲବ୍ଧି କରୁଥିଲେ ମଧ୍ୟ ଗତ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗ୍ରସ୍ତ ସମୟରେ ଏହି ବନ୍ଧ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ନିୟମର ପରିବର୍ତ୍ତନ ନିମନ୍ତେ ଅଧ୍ୟାଦେଶ ଜାରି କରିବାକୁ ଉଦ୍ୟମ କରିବେ ବୋଲି ବାରିପଦା ବାସୀଙ୍କ ପକ୍ଷରୁ ଆଶା ପୋଷଣ କରାଯାଇଛି ।
ସ୍ବତନ୍ତ୍ର ମୟୁରଭଞ୍ଜ ରାଜ୍ୟ ସମୟରେ ବୁଢ଼ାବଳଙ୍ଗର କେତେକ ଭୟାବହ ବନ୍ୟା ୧୯୦୦ ସେପ୍ଟେମ୍ବର ମାସରେ ଘଟିଥିବା ଏହି ବନ୍ୟାରେ ବହୁଳ ପରିମାଣରେ ଫସଲ ନଷ୍ଟ ହେବା ସହିତ ନଦୀକୂଳିଆ ଜମିରେ ବାଲିଚର ହେବାରୁ ଚାଷୀ ଜମିଗୁଡିକର ପ୍ରଭୃତ କ୍ଷତି ଘଟିଥିଲା । ତତ୍ ସହିତ ଜିଲ୍ଲାର ଛୋଟ ଛୋଟ ଜଳସେଚନ ବନ୍ଧ ସହିତ ପଳପଳା ନଦୀର ବାଲିଡିହା ବନ୍ଧ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ୧୯୨୭ -ଜୁଲାଇ ୨୯ ତାରିଖରେ ବାରିପଦା ସହରରେ ୭ ଇଞ୍ଚର ବାର୍ଷା ସହିତ ଜିଲ୍ଲାର ଅନ୍ୟାନ୍ୟ ତିନୋଟି ସବଡିଭିଜନରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଧନସଂପତ୍ତି ସହିତ ଫସଲ ନଷ୍ଟ ହୋଇଥିଲା । ୧୯୪୦ ଜୁଲାଇ ୧ ତାରିଖରେ ଏହି ବନ୍ୟାରେ ଜିଲ୍ଲାର ସମସ୍ତ ନଦୀ ଓ ନାଳରେ ପ୍ରବଳ ବନ୍ୟା ଆସିବା ସହିତ ବୁଢାବଳଙ୍ଗ ନଦୀର ବନ୍ୟା ପ୍ରଚୁର ଭାବରେ ଜନସାଧାରଣଙ୍କୁ କ୍ଷତିଗ୍ରସ୍ତ କରିଥିଲା ଏହାଫଳରେ ବହୁ ଗ୍ରାମ ସଂପୂର୍ଣ୍ଣ ଧୋଇଯାଇଥଲା । ୧୯୪୩ ଅଗଷ୍ଟ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଧରି ଜିଲ୍ଲାର ପ୍ରବଳ ବର୍ଷା ହେବା ଫଳରେ ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଅଭୁତ ପୂର୍ବ ବନ୍ୟା ପରିସ୍ଥିତି ଫଳରେ ଜିଲ୍ଲାରେ ୧୨୫ ଟି ଗ୍ରାମର ୮୪୪ ପରିବାରର ବାସଗୃହ ସଂପୂର୍ଣ୍ଣ ହୋଇଯାଇଥିଲା ।ତତ୍ ସହିତ ୧୬ ଜଣ ମନୁଷ୍ୟ ବନ୍ୟାରେ ମୃତ୍ୟୁ ମୁଖରେ ପଡିଥିବା ବେଳେ ୨୯୨ ଗୃହପାଳିତ ପଶୁ ମଧ୍ୟ ଭାସି ଯାଇଥିଲେ ।

Related Posts

About The Author

Add Comment