ବାରିପଦା, ୦୨/୧୧ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)-ବାରିପଦା ସହରର କେନ୍ଦ୍ରସ୍ଥଳୀ ଜିଲା ସଦର ମହକୁମା ଡାକ୍ତରଖାନା(ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ)ର ୨୪ ଘଣ୍ଟିଆ ନିଦାନ ନିଃଶୁଳ୍ପ ରୋଗ ନିରୂପଣ ସେବା କେନ୍ଦ୍ର (ପୂର୍ବର ‘ମାତୃମଙ୍ଗଳ କେନ୍ଦ୍ର) ଠାରୁ ଡାକ୍ତରଖାନା ଛକ, ସରାଳି ପୋଲ, ସୁନଗଡିଆ ଟିଭି । ଡାକ୍ତରଖାନା, ରେଳଲାଇନ ଗଳାପୋଲ ଦେଇ ବାଟି କାରଖାନା ଛକ ପର୍ଯ୍ୟନ୍ତ ଥିବା ପ୍ରାୟ ଦୁଇ କିଲୋମିଟର ଲମ୍ବା ମୁଖ୍ୟ ପୌରାସ୍ତାର ଦୁରାବସ୍ଥା ସମସ୍ତଙ୍କ ପାଇଁ । ଅତ୍ୟନ୍ତ ଯନ୍ତ୍ରଣାଦୟକ । ଏହି ରାସ୍ତାଟି ୬ ନମ୍ବର, ୯ ନମ୍ବର, ୧୪ ନମ୍ବର ଓ ୨୦ ନମ୍ବର ୱାର୍ଡ ଦେଇ ଯାଇଛି । ପୌରପରିଷଦ ପରିଚାଳନାରେ ଥିବା ରାଜଦରବାର ସମୟର ଏହି ସର୍ବପୁରାତନ ରାସ୍ତାଟି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲର ସାତ ମହଲା, ତକତପୁରସ୍ଥିତ ଜିଲା କୃଷି କାର୍ଯ୍ୟାଳୟ ଶିକ୍ସଚଳ ଓ ଆଇଟିଆଇ ଏବଂ ଏମପିସି ଅଟୋ କଲେଜ, ବିଶ୍ୱବିଦ୍ୟାଳୟ ଆଇନ କଲେଜ ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସଂଯୋଗ ହୋଇଛି । ଏହି ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ଥିବାରୁ ସାଇକେଲ, ବାଇକ, ଚାରି ଚକିଆ ଯାନ ଆଦି ବିଭିନ୍ନ ଯାନ ସହିତ ପାଦଚଲା ବାଟୋଇମାନେ ବିଭିନ୍ନ ଦୁର୍ଘଟଣାରେ ସମ୍ମୁଖୀନ ହେଉଥିବାର ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଏହି ରାସ୍ତା ଦେଇ ଦିବାରାତ୍ର ଯାଆଆସ କରୁଥିବା ଲୋକମାନଙ୍କର ଗହଳି ଲାଗି ରହିଥିଲେ ମଧ୍ୟ ବର୍ଷକରୁ ଉର୍ଦ୍ଧ ସମୟ ଧରି ଏହି ରାସ୍ତାଟି ବାରମ୍ବାର ଦାବି ସତ୍ତ୍ବ ମରାମତି ହୋଇ ପାରୁ ନାହିଁ । ଏହି ରାସ୍ତାରେ ପ୍ରାୟ ପାଞ୍ଚ ଫୁଟ ଅନ୍ତରରେ ଖାଲଖମା ରହିଛି । ବର୍ଷା ହେବା ମାତ୍ରେ ଖାଲଖମାଗୁଡିକରେ ପାଣି ଜମା ହେବା ସହିତ ରାସ୍ତାପାର୍ଶ୍ଵ ନାଳନର୍ଦମାରୁ ଉଦ୍ବୃତ ଅଳିଆ ଆବର୍ଜନା ପୂର୍ଣ୍ଣ ମଇଳା ପାଣି ରାସ୍ତାରେ ପ୍ରବାହିତ ହୋଇଥାଏ। ବର୍ଷା ଛାଡି ଗଲା ପରେ ମଧ୍ୟ ଏହି ମଇଳା ପାଣି ବହୁ ଦିନ ପର୍ଯ୍ୟନ୍ତ ଖାଲଖମାଗୁଡିକରେ ଜମା ହୋଇ ରହିଥାଏ। ଏପରିକି ସୁନଗଡିଆ ସ୍କୁଲ ନିକଟରେ ଥିବା ରାସ୍ତାର କିଛି ଅଂଶ ଖାଲଢିପ ହୋଇ ନାଳ ସୃଷ୍ଟି ହୋଇଛି । ଯାହା ଫଳରେ ବିଶେଷତଃ ସନ୍ଧ୍ୟା ସମୟରେ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଖଣ୍ଡିଆଖାବରା ହେଉଛନ୍ତି । ବାରିପଦା ଷ୍ଟେସନବଜାର ପଟୁ ବାଟି କାରଖାନା ଛକକୁ ସଂଯୋଗ କରୁଥିବା ରାସ୍ତାଟିରେ ଦୀର୍ଘ ଦିନ ଧରି ପୋଲ କାମ ଚାଲିଥିବାରୁ ଷ୍ଟେସନବଜାର ଆଡୁ କୌଣସି ଲୋକେ ଏହି ରାସ୍ତା ଦେଇ ଯାଆଆସ କରି ପାରୁ ନାହାନ୍ତି । ଯାହାଫଳରେ ଉକ୍ତ ସେହି ଲୋକମାନେ ଡାକ୍ତରଖାନା ଛକ ଦେଇ କାଳିକାପୁର, ବାଘହାରୋଡ ଓ ତକତପୁର ଅଭିମୁଖେ ଯାଆଆସ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏପରିକି ଏହି ପୌର ରାସ୍ତାର ଠାଏଁ ଠାଏଁ ଅର୍ଥାତ୍ ରେଳ ଗଳାପୋଲ, ସାତ ମହଲା ରାସ୍ତା ପାର୍ଶ୍ବ ଆଦି ସ୍ଥାନରେ ଅଳିଆଆବର୍ଜନା ଜମା ହୋଇଥିବାର ସ୍ଥାନୀୟ ଅଧ୍ୟବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି । ସହରର ଏହିଭଳି ଏକ ମୁଖ୍ୟ ରାସ୍ତା ଅବହେଳିତ ହୋଇଥିବା ବେଳେ ଅନ୍ୟାନ୍ୟ ରାସ୍ତାଗୁଡିକର ଅବସ୍ଥା କିଭଳି ହୋଇଥିବା ତାହା ସହଜରେ ଅନୁମେୟ। ଏଣୁ ଏହି ରାସ୍ତା ସମସ୍ୟାର ତ୍ବରିତ ସମାଧାନ କରିବା ପାଇଁ ପଦକ୍ଷେପ ନେବା ସକାଶେ ଦଳମତ ନିର୍ବିଶେଷରେ ଜନସାଧାରଣଙ୍କ ପକ୍ଷରୁ ବିଭିନ୍ନ ସମୟରେ ଦୃଢ ଦାବି ହୋଇ ଆସୁଛି ।
ତାଜା ଖବର
- ଭାରତ–ଶ୍ରୀଲଙ୍କା ସମ୍ପର୍କ ପ୍ରାଗୈତିହାସିକ ସମୟରୁ ରହିଛି: ପୁରାତତ୍ତ୍ୱ ଗବେଷଣାର ବିଭିନ୍ନ ଦିଗ ଓ ନୂତନ ଦୃଷ୍ଟିକୋଣ” ବିଷୟକ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଯଖପୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ‘ଜନ ଆରୋଗ୍ୟ ସମିତି’ ବୈଠକ: ଡାକ୍ତର ଅଭାବରୁ ଆରମ୍ଭ କରି CSR ପାଣ୍ଠି ପର୍ଯ୍ୟନ୍ତ ଉଠିଲା ଗୁରୁତର ପ୍ରଶ୍ନ
- ସୁନ୍ଦରଗଡ଼ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ ସହିତ ତଳସରା ନିର୍ବାଚନ ମଣ୍ଡଳୀ ମଦରେ ଭାସୁଛି
- ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ବିଧାୟିକାଙ୍କ ଶୋକ
- ଥାଲକୁଡ଼ି ପୂର୍ତ୍ତ ବିଭାଗ ଡାକବଙ୍ଗଳା ବାଉଁଣ୍ଡରୀ ନିର୍ମାଣରେ ଅନିୟମିତତା ଅଭିଯୋଗ: କାମ ଶେଷ ପୂର୍ବରୁ ଫାଟିଗଲା କାନ୍ଥ, ତଦନ୍ତ ଦାବି
- ବଡ଼ ବଡ଼ିଆଙ୍କ ପାଇଁ ଟ୍ରାଫିକ ନିୟମ କଡାକଡି ସାଧାରଣ ଲୋକେ ଘଣ୍ଟା ଘଣ୍ଟା ଜାମର ଶିକାର ମଙ୍ଗଳପୁର ବଜାରରେ କେବେ ଦୂର ହେବ ଟ୍ରାଫିକ ସମସ୍ୟା ?
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଶେଷ ଯାତ୍ରାରେ ବି ସମସ୍ୟା, ସ୍ଵର୍ଗଦ୍ଵାରର ଜରାଜୀର୍ଣ୍ଣ ଅବସ୍ଥା, ମରାମତି ସହିତ ସ୍ବଚ୍ଛତା ଅଭାବରୁ ବିପଦପୂର୍ଣ୍ଣ ସ୍ଥିତି
- ନିମ୍ନ ଲିଙ୍କରେ କ୍ଲିକକରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ



