ବାରିପଦା ଜଗନ୍ନାଥ ମନ୍ଦିର ଖୋଲିବ କେବେ?

Spread the love

ବାରିପଦା, ୧୬/୧୨/୨୦୨୦ (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା)- ବିଶ୍ୱର ବଡ଼ ଦେଉଳର ମାନ୍ୟତା ପାଇଥିବା ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗର ବୈଠକର ନିଷ୍ପତି ପରେ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ଆସନ୍ତା ଡିସେମ୍ବର ୨୩ ତାରିଖ ଠାରୁ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଉନ୍ମକୁ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଦ୍ବିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ଲାଭ କରିଥିବା ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ବଡ଼ଜଗନ୍ନାଥ ମନ୍ଦିର ଖୋଲିବା ନେଇ କୌଣସି ପ୍ରସ୍ତାବ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇନଥିବାରୁ ମୟୂରଭବାସୀ କେବେ ଜଗନ୍ନାଥଙ୍କୁ ଦର୍ଶନ କରିବେ ବନ୍ଦରେ ରହିଛନ୍ତି । ଐତିହାସିକଙ୍କ ମତରେ ପୁରୀଧାମ କଳାପାହାଡ଼ର ଆକ୍ରମଣରେ ଧ୍ବଂସ ପାଇଥିଲା ।
ସେତେବେଳେ ମୟରଭଞ୍ଜର ମହରାଜା ବୈଦ୍ୟନାଥ ଭଞ୍ଜଦେଓଙ୍କର ଜେଜେମା ତଥା ଜଗନ୍ନାଥ ଭଞ୍ଜଦେଓଙ୍କର ରାଣୀ ମନୀତ୍ ଉତ୍କଳ ଗଜପତି ପ୍ରତାପରୁଦ୍ରଙ୍କର କନିଷ୍ଠା କନ୍ୟା ଥିଲେ । ଏଣୁ ଜେଜେମାଙ୍କ ଠାରୁ ପୁରୀ ବଡ଼ଠାକୁର ଜଗନ୍ନାଥଙ୍କ ମହିମାରେ ଅନୁପ୍ରାଣିତ ବୈଦ୍ୟନାଥ ପରମ ବିଷ୍ଣୁଭକ୍ତ ଥିଲେ । ଏଣୁ କଳାପାହାଡ଼ର ପୁରୀ ମନ୍ଦିର ଧ୍ବଂସ ପରେ ଜଗନ୍ନାଥ ସଂସ୍କୃତି ରକ୍ଷା ପାଇଁ ସେ ବାରିପଦାରେ ଏକ ଜଗନ୍ନାଥ ମନ୍ଦିର ୧୫୭୦ ମସିହାରେ ନିର୍ମାଣ କରିବାର ପ୍ରୟାସ ଆରମ୍ଭ କରିଥିଲେ ଏବଂ ୧୫୭୫ ମସିହାରେ ଗୁଣ୍ଡିଚା ରଥଯାତ୍ରା ଦିନ ଏହି ମନ୍ଦିରଟି ପ୍ରତିଷ୍ଠା କରି ପୁରୀ ଅନୁରୁପ ତିନୋଟି ରଥ ଗଢ଼ି ରଥଯାତ୍ରା ଆରମ୍ଭ କରିଥିଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ପୁରୀ ଶ୍ରୀମନ୍ଦିର ଭଳି କେବଳ ନବକଳେବର ପରମ୍ପରାକୁ ବାଦଦେଇ ଅନ୍ୟାନ୍ୟ ସମସ୍ତ ରୀତି ନୀତି ପାଳିତ ହୋଇଥାଏ । ଏଣୁ ଏହି ମନ୍ଦିରର ରାଜ୍ୟ ତଥା ରାଜ୍ୟ ବାହାରେ ଭକ୍ତ ମାନଙ୍କ ନିକଟରେ ଗୁରୁତ୍ବ ରହିଛି । ଚଳିତବର୍ଷ ପୁରୀରେ କୋଭିତ୍ ନିୟମ ମାନି ରଥଯାତ୍ରା ପାଳିତ ହୋଇଥିବା ବେଳେ ଏଠାରେ ରଥଯାତ୍ରା ପାଳିତ ହୋଇପାରିଲା ନାହିଁ । ଯେଉଁ କଳାପାହାଡ଼ର କଳା କାରନାମା ଫଳରେ ପୁରୀ ମନ୍ଦିରର ରଥଯାତ୍ରା ବନ୍ଦ ହୋଇଯାଇଥିଲା ଏବଂ ରଥଯାତ୍ରାକୁ ପ୍ରଚଳନ କରିବା ପାଇଁ ବାରିପଦାରେ ମନ୍ଦିର ପ୍ରତିଷ୍ଠା କରାଗଲା ବୋଲି କୁହାଯାଉଥିଲା ବେଳେ ଏଠାରେ ଚଳିତବର୍ଷ ରଥଯାତ୍ରା ପାଳିତ ହୋଇ ନଥୁରୁ ମୟୂରଭଞ୍ଜ ବାସୀଙ୍କର ଷୋର ରହିଥିଲେ ମଧ୍ୟ ଶାନ୍ତଶିଷ୍ଟ ଅଧିବାସୀ ହିସାବରେ ତାହା ପ୍ରକାଶ ପାଇପାରିନଥିଲା । ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭିତ ବିଭିନ୍ନ ଜିଲ୍ଲାପାଳ ମାନଙ୍କୁ ସେମାନଙ୍କ ଅଂଚଳର ମନ୍ଦିର ଖୋଲିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରି ନିଷ୍ପତି ନେବା ପାଇଁ କୁହାଯାଇଥିଲା । ଇତି ମଧ୍ୟରେ ୨ମାସ ବିତି ଯାଇଥିଲ ମଧ୍ୟ ଆମ ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ କୌଣସି ଜିଲ୍ଲା ପ୍ରଶାସନ ତରଫରୁ ମନ୍ଦିର ଖୋଲାଯିବା ନେଇ
ନିଷ୍ପତି ହୋଇନାହିଁ । ଅପରନ୍ତୁ ପୁରୀ ମନ୍ଦିର ଖୋଲିବା ସେ ନେଇ ମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇସାରିଥିବା ବେଳେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିର ଖୋଲିବା ନେଇ ଖୁବ ଶୀଘ୍ର ନିଷ୍ପତି ହେବା ଆବଶ୍ୟକ ବୋଲି ସ୍ଥାନୀୟ ଭକ୍ତ ଓ ବୁଦ୍ଧିଜୀବି ମାନଙ୍କ ଦ୍ବାରା ମତ ପ୍ରକାଶ ପାଉଛି । ମନ୍ଦିର ପରିଚାଳନା କମିଟିର ସଭ୍ୟ ଦିନାର୍ଦ୍ଦନ ଦାସଙ୍କ ମତରେ ଯେହେତୁ ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ନିଷ୍ପତି ହେବାକୁ ବସିଲାଣି, ସେହି ଦୃଷ୍ଟିରୁ ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଖୁବ୍ ଶୀଘ୍ର ରାଜ୍ୟସରକାରଙ୍କୁ ପ୍ରସ୍ତାବ ପଠାଇବା ଆବଶ୍ୟକ । ପୁରୀ ଶ୍ରୀମନ୍ଦିରକୁ ସାରା ବିଶ୍ଵର ଭକ୍ତ ଆସୁଥିବାରୁ ସେଠାରେ ଅବର୍ଣ୍ଣନୀୟ ଭିଡ଼ ରହିଥାଏ । କିନ୍ତୁ ବାରିପଦା କ୍ଷେତ୍ରରେ ପ୍ରାୟ ସେଭଳି ଭିଡ଼ ରହୁନାହିଁ । ଏଣୁ କୋଭିଡ ନିୟମ ଅନୁଯାୟୀ ବାରିପଦାର ମନ୍ଦିର ଖୋଲାଯିବା ଆବଶ୍ୟକ । ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିରର ସେବାୟତ ତଥା ରାଜ୍ୟ ସେବାୟତ ସଂଘର ସଭାପତି କାମେଶ୍ଵର ତ୍ରିପାଠୀ ମନ୍ଦିର ଖୋଲିବା ନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି । ତାଙ୍କ ମତରେ
ସେବାୟତ ମାନଙ୍କର ପେଟପାଟଣାକୁ ଦୃଷ୍ଟି ଦେଇ ପୁରୀ ମନ୍ଦିର ଭଳି ବାରିପଦା ମନ୍ଦିର ଚଳିତ ମାସରୁ ଭକ୍ତ ମାନଙ୍କର ଦର୍ଶନ ପାଇଁ ଖୋଲାଯାଉ ବୋଲି କହିଛନ୍ତି । ଜଗନ୍ନାଥ ସଂସ୍କୃତି ପ୍ରଚାରକ ପ୍ରବଚକ ପଣ୍ଡିତ ଭାଗବତ ପଣ୍ଡା କୋଭିଡ ନିୟମ ମାନି ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିର ଭକ୍ତମାନଙ୍କ ପାଇଁ ଉଚ୍ଛୁକ୍ତ କରିବାରେ କୌଣସି ଅସୁବିଧା ହେବନାହିଁ କହିବା ସହ ମୟୂରଭଞ୍ଜ ବାସୀ ଦୀର୍ଘଦିନ ଧରି କାଳିଆ ଠାକୁର ଦର୍ଶନରୁ ବଂଚିତ ହୋଇଥିବାରୁ ଖୁବ୍ ଶୀଘ୍ର ଭକ୍ତଙ୍କୁ ଏହି ସୁଯୋଗ ମିଳିବା ଉଚିତ ବୋଲି ସେ କହିଛନ୍ତି । ଜଗନ୍ନାଥ ଭକ୍ତ ସୁରେଶ ସେନାପତି ମନ୍ଦିର ଖୋଲିବା ନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ସ୍ବାଗତ କରିଥିବା ବେଳେ ଦ୍ବିତୀୟ ଶ୍ରୀକ୍ଷେତ୍ର ଶ୍ରୀଶ…ହରିବଳଦେବଜୀଉଙ୍କ ବିଜେ ମନ୍ଦିର ଖୋଲିବାକୁ ଜିଲା ପ୍ରଶାସନ ନିଷ୍ପତି ନେବାକୁ ବିଳମ୍ବ ନ କରିବାକୁ ଅନୁରୋଧ କରିଛନ୍ତି ।

Related Posts

About The Author

Add Comment