ବାରିପଦା ୨୦/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କର ଜମାକାରୀଙ୍କୁ ସେମାନଙ୍କ ଜମା ଟଙ୍କା ଫେରାଇବା ପାଇଁ ଗତ ଜୁନ ୨୫ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଆଜି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଜଣିଆ ବିଚାରପତିଙ୍କ ଜୁନ ୨୫ର ଅନ୍ତରୀଣ ନିର୍ଦ୍ଦେଶ ବିରୋଧରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରୁଜୁ କରିଥିବା ରିଟ୍ ଅପିଲକୁ ବିଚାର ପାଇଁ ଗ୍ରହଣ କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କ, ରାଜ୍ୟ ସରକାର,କୋଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରାର ଓ ଡେପୁଟି ରେଜିଷ୍ଟ୍ରାରଙ୍କୁ ନୋଟିସ ଜାରି କରିଛନ୍ତି । ମାମଲାର ପରିବର୍ତ୍ତୀ ଶୁଣାଣି ଅଗଷ୍ଟ ୧୨ କୁ ଧାର୍ଯ୍ୟ କରାଯାଇଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ , ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ଆରବିଆଇ ୨୦୧୪ରେ ବ୍ୟାଙ୍କର ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଇଥିଲା । ୨୦୧୮ ରେ ଲାଇସେନ୍ସ ବାତିଲ ପ୍ରସଂଗକୁ ନେଇ ବ୍ୟାଙ୍କ ହାଇକୋର୍ଟଙ୍କ ଦ୍ବାରସ୍ଥ ସୋଇଥିଲା । ଜମାକାରୀଙ୍କ ଜମା ଟଙ୍କା ଫେରସ୍ତ ପାଇଁ ଅନ୍ତରୀଣ ମଧ୍ୟ ଦୟର କରାଯାଇଥିଲା । ଅନ୍ତରୀଣ ଆବେଦନକୁ ଆରବିଆଇ ପକ୍ଷରୁ ବିରୋଧ କରାଯାଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ବ୍ୟାଙ୍କ ପରିଚାଳନା ଦାୟିତ୍ବରେ ଥିବା କତ୍ତୃପକ୍ଷ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାରେ କିଛି ଆଇନଗତ ବାଧା ନାହିଁ । ମାମଲାର ଶୁଣାଣି କରି ଜୁନ୍ ୨୫ ରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଜମାକାରୀଙ୍କ ଉପଯୁକ୍ତ ଚିହ୍ନଟ କରି ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ୟାଙ୍କର ପରିଚାଳନା ଦାୟିତ୍ବରେ ଥିବା ବାରିପଦା ଏଡିଏମଙ୍କୁ ହାଇକୋର୍ଟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ମାମଲା ବିଚାରଧୀନ ଥିବା ବେଳେ ଜମାକାରୀଙ୍କୁ ଅର୍ଥ ଫେରସ୍ତ ଦିଆଯିବ ବୋଲି ଜୁନ୍ ୨୫ ର ରାୟରେ ସ୍ପଷ୍ଟ କରାଯାଇଥିଲା । କୋଭିଡ-୧୯ ସ୍ଥିତିରେ ଜମାକାରୀଙ୍କ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇଥିବା ରାୟରେ ଉଲ୍ଲେଖ କରାଯାଇଥିଲା । ବର୍ତ୍ତମାନ ୭୨ ହଜାର ଜମାକାରୀଙ୍କ ପ୍ରାୟ ୮୦ କୋଟି ଟଙ୍କା ବ୍ୟାଙ୍କରେ ଜମା ଥିବା କୁହାଯାଉଛି । କିନ୍ତୁ ଏହା ବିରୋଧରେ ରିଜର୍ଭ ବ୍ୟାଙ୍କ ଅଦାଲତକୁ ଯାଇଥିବା ବେଳେ ଦୁଇ ଜଣିଆ ଖଣ୍ଡପୀଠ ଏଭଳି ରହିତାଦେଶ ଦେଇଛନ୍ତି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।