ଧର୍ମଶାଳା, ୧୨/୧୦ (ସନ୍ଧାନ ନିଉଜ) : ଚଳିତ ବର୍ଷ ମଇ ମାସ ୩ ତାରିଖରେ ବାତ୍ୟା ‘‘ଫନି’’ ରାଜ୍ୟରେ ଧର୍ମଶାଳା ତହସିଲରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ଏହି ତହସିଲ ଅଧିନ ୧୧ ଗୋଟି ସର୍କଲର ୬ ହଜାର ୩୦୪ କ୍ଷତିଗ୍ରସ୍ତଙ୍କୁ ଯାଜପୁର ଜିଲ୍ଲାପାାଳ ରଞ୍ଜନ କୁମାର ଦାସଙ୍କ ନିଦେ୍ର୍ଦଶ କ୍ରମେ ୨ କୋଟି ୮ ଲକ୍ଷ ୭୮ ହଜାର ୧୦୦ ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି । ଏହି ଅର୍ଥ ଚଣ୍ଡିଖୋଲସ୍ଥିତ ଆକ୍ସିସ ବ୍ୟାଙ୍କ୍ରେ ଜମା କରାଯାଇଛି । ପର୍ଯ୍ୟାୟକ୍ରମେ ଉକ୍ତ ବ୍ୟାଙ୍କ୍ରୁ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ଜମାଖାତାରେ ଟଙ୍କା ଜମା କରାଯାଇଛି । ଆଜି ସୁଦ୍ଧା ୧୫ ଶହ କ୍ଷତିଗ୍ରସ୍ତ ଗୃହକର୍ତାଙ୍କ ନାମ ଖାତାରେ ଜମା କରାଯାଇଛି । ଆସନ୍ତା ସପ୍ତାହକ ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ଖାତାରେ ଟଙ୍କା ଜମା କରିଦିଆଯିବ ବୋଲି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ତେବେ ତହସିଲର ୧୧ ସର୍କଲ ମଧ୍ୟରୁ ବାଙ୍କ ସାହି ସର୍କଲରେ ସର୍ବାଧିକ ୧୫୮୧ ଜଣ ଓ ନାକପୋଲ ସର୍କଲର ସର୍ବନିମ୍ନ ୧୨୦ ଜଣ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଚିହ୍ନଟ କରାଯାଇଛି । ଫନି ବାତ୍ୟାରେ ୩୯୯୨ କଚ୍ଚାଘର, ୩୩୮ ଟି କୁଡିଆଘର, ୧୯୭୪ ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥି ମଧ୍ୟରୁ ୨୪ ଟି ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ତାଲିକାରେ ଦର୍ଶାଯାଇଛି । ତହସିଲ ପକ୍ଷରୁ ଫନୀ କ୍ଷତିଗ୍ରସ୍ତ ଲୋକଙ୍କୁ ଉଚିତ୍ ମୂଲ୍ୟାଙ୍କନ କରାଯାଇଥିବା ବେଳେ ଆଉ ଅନେକ ବଂଚିତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଏଥିରେ ସାମିଲ କରିବାକୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା କିଷାନ ପଣ୍ଡା ଦୃଢ଼ ଭାବରେ ଦାବି କରିଛନ୍ତି ।
ବାତ୍ୟା ‘‘ଫନି’’ ବିପନ୍ନ ସହାୟତା ଅର୍ଥ ମଞ୍ଜୁର
|
October 12, 2019 |


