ବାତ୍ୟା ଅଞ୍ଚଳରେ ଆର୍ବିଆଇର ବ୍ୟାଙ୍କିଙ୍ଗ ସ୍ଥିତି ସମୀକ୍ଷା ;ସଂଧ୍ୟା ୬ଟା ଯାଏ ମିଳିବ ବ୍ୟାଙ୍କ ସେବା, ଚିରାଫଟା ନୋଟ ଗ୍ରହଣ ହେବ ହ
ବାତ୍ୟା ଅଞ୍ଚଳରେ ଆର୍ବିଆଇର ବ୍ୟାଙ୍କିଙ୍ଗ ସ୍ଥିତି ସମୀକ୍ଷା ;ସଂଧ୍ୟା ୬ଟା ଯାଏ ମିଳିବ ବ୍ୟାଙ୍କ ସେବା, ଚିରାଫଟା ନୋଟ ଗ୍ରହଣ ହେବ ହ
Manas Kumar Rout |
May 9, 2019 |

ଭୁବନେଶ୍ୱର, ୯/୫ (ସନ୍ଧାନ ନିୟୁଜ): ବାତ୍ୟାରେ ନୋଟ୍ ଚିରାଫଟା କିମ୍ବା ନଷ୍ଟ ହୋଇ ଯାଇଥିଲେ ଏଥି ଲାଗି ଚିନ୍ତା କରିବାର ନାହିଁ। ଏହାକୁ ବ୍ୟାଙ୍କଗୁଡିକ ଗ୍ରହଣ କରିବେ। ବ୍ୟାଙ୍କଗୁଡ଼ିକ ସବୁ ଚିରାଫଟା ନୋଟ ଗ୍ରହଣ କରିବା ସହ ବିନିମୟ ମୂଲ୍ୟ ପ୍ରଦାନ କରିବେ। ସେହିଭଳି ଅଧିକ ନଷ୍ଟ ହୋଇ ଯାଇଥିବା କିମ୍ବା ପୋଡି ଯାଇଥିବା ନୋଟକୁ ଲୋକମାନେ ଆର୍ବିଆଇ କାର୍ଯ୍ୟାଳୟରେ ବଦଳାଇ ପାରିବେ ବୋଲି ଏହାର ଆଞ୍ଚଳିକ ନିର୍ଦ୍ଦେଶକ ମହେଶ ମଲ୍ଲ ବୁଧବାର ଏଠାରେ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।
ବାତ୍ୟାପରବର୍ତ୍ତୀ ବ୍ୟାଙ୍କିଙ୍ଗ ସେବାର ସ୍ଥିତି ସମ୍ପର୍କରେ ଏଠାରେ ସମୀକ୍ଷା କରାଯାଇଛି। ଫନୀ ପ୍ରଭାବିତ ଅଞ୍ଚଳଗୁଡିକରେ ବ୍ୟାଙ୍କ ସେବା ଯୋଗାଣ ଉପରେ ଆର୍ବିଆଇ ଗୁରୁତ୍ୱାରୋପ କରିଛି। କ୍ଷତିଗ୍ରସ୍ତ ୧୪ଟି ଜିଲାରେ ଗ୍ରାହକମାନେ ଅଧିକ ୨ ଘଣ୍ଟା ବ୍ୟାଙ୍କ ସେବା ଲାଭ କରି ପାରିବେ। ଅର୍ଥାତ ବ୍ୟାଙ୍କଗୁଡିକ ୬ ଟା ଯାଏ ଖୋଲା ରହିବ ବୋଲି ମଲ୍ଲ କହିଛନ୍ତି। ଅପରାହ୍ନ ୪ଟା ଯାଏ ପୂର୍ବରୁ ବ୍ୟାଙ୍କ ସେବା ଚାଲୁଥିବା ବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ବିଚାର କରି ଏଭଳି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।
ଅପରପକ୍ଷରେ ଗ୍ରାମାଞ୍ଚଳ ଲୋକଙ୍କ ସୁବିଧା ପାଇଁ ଏଟିଏମ୍ ଭ୍ୟାନ ସୁବିଧା କରାଯିବ ବୋଲି ସେ କହିଛନ୍ତି। ଏହାବାଦ ଗ୍ରାମାଞ୍ଚଳରେ ଅଧିକ ପିଓଏସ୍ ମେଶିନ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ବାତ୍ୟା ପ୍ରଭାବିତ ସ୍ଥାନଗୁଡିକରେ ୫୦% ଏଟିଏମ୍ କାର୍ଯ୍ୟକ୍ଷମ ରହିଛି। ବ୍ୟାଙ୍କଗୁଡିକରେ ପର୍ଯ୍ୟାପ୍ତ ପରିମାଣର ନଗଦ ମଧ୍ୟ ଉପଲବ୍ଧ ଅଛି। ଏଣୁ ଏ ନେଇ କୌଣସି ଭୟଭୀତ ନ ହେବାକୁ ଲୋକଙ୍କୁ ଆର୍ବିଆଇ ପକ୍ଷରୁ ନିବେଦନ କରାଯାଇଛି। ବ୍ୟାଙ୍କଗୁଡିକ ସେମାନଙ୍କ ମୌଳିକ ବ୍ୟାଙ୍କିଙ୍ଗ ସେବାକୁ ନିଜର ବିଜନେସ କଣ୍ଟିନ୍ବିଟି ପ୍ଲାନ ଜରିଆରେ ବଜାୟ ରଖିବା ନେଇ ସଚେତନ କରାଯାଇଛି।
Related Posts
About The Author