ବହଳଦା ଥାନା ଘେରିଲେ ଗ୍ରାମବାସୀ

Spread the love

ବହଳଦା, ୩୦/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) : ମୟୂରଭଞ୍ଜ ଜିଲା ବହଳଦା ଥାନା ଅନ୍ତର୍ଗତ କୁଲଗୀ ଗ୍ରାମର କାରୁବନ୍ଧକୁ ଯାଉଥିବା ରାସ୍ତାକୁ ଅବରୋଧ‌ କରାଯିବା ଘଟଣାକୁ ବିରୋଧ କରି କୁଲଗୀ ଗ୍ରାମର ଶହଶହ ଲୋକ ଆଜି ରାତିରେ ବହଳଦା ଥାନା ଘେରାଉ କରିଛନ୍ତି । ବନ୍ଧକୁ ରାସ୍ତା ଯୋଗାଣ ଦାବି କରୁଥିବା ଗ୍ରାମର ନିରୀହ ଲୋକଙ୍କ ନାମରେ ବହଳଦା ଥାନାରେ ମିଛ ଅଭିଯୋଗ କରାଯିବା ଘଟଣାର ସେମାନେ ତୀବ୍ର ପ୍ରତିବାଦ କରିଛନ୍ତି । ଏନେଇ ସମଗ୍ର କୁଲଗୀ ଗ୍ରାମର ଲୋକଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମର ଶହଶହ‌ ଲୋକ ପୁରୁଷ ପୁରୁଷ ଧରି ବ୍ୟବହାର କରି ଆସୁଥିବା ଉକ୍ତ କାରୁବନ୍ଧକୁ ଯାଉଥିବା ରାସ୍ତାକୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ‌ ପୂର୍ବ ଭଳି ଛଡାଯିବା ସହ ନିରୀହ ଗ୍ରାମବାସୀଙ୍କ ନାମରେ ବହଳଦା ଥାନାରେ ମିଛ ଅଭିଯୋଗ କରିଥିବା : ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଡାକିବା ଦାବିରେ ମଙ୍ଗଳବାର ରାତିରେ କୁଲଗୀ ଗ୍ରାମର ପୁରୁଷ,‌ ମହିଳା ଓ ଛୋଟ ଛୋଟ ପିଲା ହାଡ଼ଭଙ୍ଗା ଶୀତକୁ ଖାତିର ନକରି ବହଳଦା ଥାନାରେ ପହଞ୍ଚିଥିଲେ । ଏନେଇ ବହଳଦା ଥାନା ପରିସରରେ ଆଇଆଇସି ଓ ବହଳଦା ତହସିଲଦାରଙ୍କ ସାଙ୍ଗକୁ ସ୍ଥାନୀୟ ସରପଞ୍ଚ ଓ ଜିଲାପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ରହି ସମବେତ କୁଲଗୀ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ରାତି ପ୍ରାୟ ନଟା ବେଳେ ଘଟଣାସ୍ଥଳରେ ଏସଡିପିଓ ମଧ୍ୟ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ତେବେ‌ ରାତି ପ୍ରାୟ ସାଢେ ୯ଟା ବେଳେ ଘଟଣା ସମ୍ବନ୍ଧରେ ସମବେତ କୁଲଗୀ ଗ୍ରାମବାସୀଙ୍କ ସହ ପୁଲିସ ଓ ପ୍ରଶାସନର ଆଲୋଚନା ପରେ ଲୋକମାନେ ନିଜ ଗ୍ରାମକୁ ଫେରି ଯାଇଛନ୍ତି । ସେପଟେ କୁଲଗୀ ଗ୍ରାମବାସୀଙ୍କ କାରୁବନ୍ଧକୁ ସର୍ବସାଧାରଣଙ୍କ ନିମନ୍ତେ ରାସ୍ତା ଦାବି ପ୍ରତି‌ ସାଧାରଣରେ ମଧ୍ୟ ବ୍ୟାପକ ଜନସମର୍ଥନ ଥିବା ପରିଲକ୍ଷିତ ହୋଇଛି ।

Related Posts

About The Author

Add Comment