ବସ୍ତାନିରେ କରୋନା ଡୋରି, ବିଲରେ ବିଦ୍ୟାର୍ଥୀ!

Spread the love

ରାଉରକେଲା,୨୭/୦୭ (ସନ୍ଧାନ ନିଉଜ) : ସୁନ୍ଦରଗଡ଼ ଜିଲାରେ କରୋନା ସଂଖ୍ୟା ହଜାର ଆଡକୁ ମୁହାଁଇଲାଣି, ସେହିପରି ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ମଧ୍ୟ କରୋନା ପଜେଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥଳେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ିରେ ତାଲା ଝୁଲୁଛି । ବିଶେଷ କରି ଗ୍ରାମାଚଂଳର ଗରିବ ଓ ମଧ୍ୟବିତ ଶ୍ରେଣୀର ବିଦ୍ୟାର୍ଥୀ ମାନେ ପଢାରୁ ନିବୃତ ରହି ବର୍ତମାନ ଘର କାମରେ ନିୟୋଜିତ ହେଉଥିବା ଦେଖିବାକୁ ମିଳିଛି । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା କାରଣରୁ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଏବେ ବିଦ୍ୟାଳୟ ବଦଳରେ ବିଲ, ବାଡ଼ି ବଗିଚାରେ ପରିବାର ସହ କାର୍ଯ୍ୟରତ ଥିବା ଦେଖିବାକୁ ମିଳୁଛି । ଛାତ୍ରଛାତ୍ରୀଙ୍କ ବହି ବସ୍ତାନିରେ ଡୋରି ବାନ୍ଧିଛି କରୋନା, ବିଲରେ ଜୀବନ ଜୀବିକା ସହ ସଂଘର୍ଷ କରୁଛନ୍ତି ଏଭଳି ଅନେକ ଗ୍ରାମାଚଂଳ ବିଦ୍ୟାର୍ଥୀ । ଯାହାଙ୍କର ବୟସ ୧୦ରୁ ୧୪ ବର୍ଷ ବୟସ ମଧ୍ୟରେ । ବିଦ୍ୟାର୍ଥୀ ମାନେ ବିଲରେ ପରିବାରକୁ ସାହାଯ୍ୟ କରିବା, ମାଛ ଧରିବା ଆଦି କାଯ୍ୟରେ ନିୟୋଜିତ ରହୁଛନ୍ତି । ଯଦିଓ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି, ମାତ୍ର ଗ୍ରାମାଚଂଳରେ ଇଂଟରନେଟର ଅଭାବ ଓ ସମସ୍ତଙ୍କ ପାଖରେ ନାମିଦାମୀ ମୋବାଇଲ ସେଟ ଉପଲବ୍ଧ ନଥିବାରୁ ଛାତ୍ରଛାତ୍ରୀ ମାନେ ଏହି ସୁବିଧାରୁ ବଂଚିତ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଲାଠିକଟା ବ୍ଲକର ନୂଆଟୋଲି ଅଂଚଳରେ ରହୁଥିବା କିଛି ବିଦ୍ୟାର୍ଥୀ ଶାଗ, ଜଙ୍ଗଲୀ ଛତୁ ଆଦି ଜଙ୍ଗଲରୁ ସଂଗ୍ରହ କରିବା ପରେ ଏହାକୁ ନିକଟ ବଜାରରେ ବିକି ପରିବାର ପାଇଁ ଦୁଇ ପଇସା ଓ ପେଟ ପାଇଁ ଦୁଇ ଓଳି ଅନ୍ନ ଯୋଗାଡ଼ କରୁଛନ୍ତି । ଅପରପକ୍ଷରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିବା କାରଣରୁ କୋମଳମତି ଛାତ୍ରଛାତ୍ରୀ ମାନେ ନିରୁପାୟ ହୋଇ ପରିବା ହାଟରେ ଅଜା, ଆଈଙ୍କୁ ସାହାଯ୍ୟ କରୁଛନ୍ତି । କରେନା ମହାମାରୀର ପ୍ରଭାବ ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଥିବା ବେଳେ, ବିଶେଷ କରି ଗ୍ରାମାଚଂଳର ବିଦ୍ୟାର୍ଥୀ  ମାନଙ୍କୁ ବହୁଳ ଭାବରେ ପ୍ରଭାବିତ କରିଛି ବୋଲି ଗ୍ରାମାଂଚଳର କିଛି ଅଭିଭାବକ ମତ ରଖିଛନ୍ତି । ବିଦ୍ୟାଳୟ କେବେ ଖୋଲିବ, ପୁଣିଥରେ କାନ୍ଧରେ ବହି ବସ୍ତାନି ପକାଇ ଏହି କୋମଳମତି ଛାତ୍ରଛାତ୍ରୀ କେବେ ବିଦ୍ୟାଳୟ ଯିବେ, ତାହା  ହୁଏତ ସେମାନଙ୍କୁ ଜଣାନାହିଁ, ମାତ୍ର ପରିବାର ସାଙ୍ଗରେ ବିଲବାଡ଼ିରେ ସମୟ ଅତିବାହିତ କରିବା ସେମାନଙ୍କ ଦୈନଦିନ ଜୀବନଶୈଳୀର ଏକ ଧାରା ପାଲଟି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Related Posts

About The Author

Add Comment