ସମ୍ବଲପୁର ୧୦/୦୯ (ସନ୍ଧାନ ନିଉଜ) : ଭଙ୍ଗାଘରେ ଚକା ଜହ୍ନ ଦେଖୁଛନ୍ତି ରଙ୍ଗବତୀ ଗାୟକ ପଦ୍ମଶ୍ରୀ ଡଃ. ଜିତେନ୍ଦ୍ରିୟ ହରିପାଳ । କାରଣ ବର୍ଷାରେ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳଙ୍କ ମାଟି ଘରଟି ଘରଭାଙ୍ଗିଯାଇଛି। ଗତ ସପ୍ତାହରେ ଲଗାଣ ବର୍ଷା ଯୋଗୁଁ ପଦ୍ମଶ୍ରୀଙ୍କ ଘରଟି ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ସାରା ବିଶ୍ବରେ ସୁନାମ ଅର୍ଜନ କରିଥିବା ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ରିୟ ହରିପାଳ ସମ୍ବଲପୁର ସହରର ଷ୍ଟେଷନ ପଡାରେ ରୁହନ୍ତି । ସେ ଅନେକ ସମ୍ବଲପୁରୀ ଗୀତରେ କଣ୍ଠଦାନ କରିବା ସହ ରଙ୍ଗବତୀ ଗୀତ ଗାଇ ବେଶ ସୁନାମ ଅର୍ଜନ କରିଛନ୍ତି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ହେଲେ ପଦ୍ମଶ୍ରୀଙ୍କ ବାସଗୃହ କଥା କହିଲେ ନସରେ । ଏକ ଚାଳ ଛପର ମାଟି ଘର, ଯେଉଁଠି ରହିଛି ମାତ୍ର 2ଟି କୋଠରୀ । ବର୍ଷା ଦିନରେ ଚାଳରୁ ଗଳିଥାଏ ପ୍ରବଳ ପାଣି ।
ଏଇ ଛୋଟ ଘର ଭିତରେ ରହିଆସୁଛନ୍ତି ପରିବାର ୧୧ ଜଣ ସଦସ୍ୟ। ତେଵେ ସମ୍ବଲପୁରରେ ପ୍ରବଳ ବର୍ଷା ହେବା ଫଳରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳଙ୍କ ଘର ରାତିରେ ଭାଙ୍ଗି ଯାଇଥିଲା। ପରିବାରରେ ଛୋଟ ଛୋଟ ଶିଶୁ ଥିଲେ ମଧ୍ୟ ସମସ୍ତେ ଅଳ୍ପକେ ବତ୍ତି ଯାଇଥିଲେ। ବର୍ତ୍ତମାନ ପରିବାର ଛୋଟ ପିଲା ସହ କିଛି ଲୋକ ନିଜର ଅବଶିଷ୍ଟ ଘରେ ରହୁଥିବା ବେଳେ କିଛି ପଡୋଶୀଙ୍କ ଘରେ ଆଶ୍ରୟ ନେଉଛନ୍ତି ।