ଚଣ୍ଡିଖୋଲ, ୧୭/୦୪/୨୨ (ସନ୍ଧାନ ନିଉଜ) ଖରାଦିନ ହେଉ ବା ବର୍ଷା ଦିନ ସମସ୍ତଙ୍କ ପାଇଁ ପାନୀୟ ଜଳ ନିତାନ୍ତ ଆବଶ୍ୟକ । ଏହି ପାନୀୟଜଳ ପାଇଁ ପ୍ରତିବର୍ଷ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହିପରି ବନ ବିଭାଗ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟ କରି ଜଙ୍ଗଲ ଭିତରେ ପୋଖରୀ ନିର୍ମାଣ କରୁଛି । ମାତ୍ର ଉଚ୍ଚିତ୍ ବୈଷୟିକ ଜ୍ଞାନ ନଥିବାରୁ ଜଙ୍ଗଲ ବିଭାଗ ଯେଉଁଟି ପାରୁଛି ସେଠାରେ ପୋଖରୀ ଖୋଳି ଦେଉଥିବାରୁ ଖରାଦିନରେ ସେଠାରେ ପାନୀୟ ଜଳର ଘୋର ଅଭାବ ଦେଖାଦେଉଛି । ଡାଳିଜୋଡା ବନାଂଚଳ ଅଧିନ ବୌରୀ ରେଞ୍ଜ ଅଧିନସ୍ଥ ଚଣ୍ଡିଖୋଲ ପରେଷ୍ଟ ଡିଭିଜନ କୁମାରସାହି ନିକଟସ୍ଥ ଜଙ୍ଗଲ ମଧ୍ୟରେ ବନପଶୁ ପକ୍ଷୀଙ୍କ ପାଇଁ ଏକ ପୋଖରୀ ଖୋଳାଯାଇଛି । ପାନୀୟଜଳର ଅଭାବରୁ ବନ୍ୟପଶୁ ଗୁଡିକ ଗ୍ରାମଆଡକୁ ଆସିଯିବା ଫଳରେ ବୁଲା କୁକୁର ଏବଂ ଆଦିବାସୀ ସମ୍ପଦ୍ରାୟର ଲୋକଙ୍କ ହାତରେ ପଡି ମୃତ୍ୟୁ ମୁଖରେ ପଡିଥାନ୍ତି । ଅନ୍ୟ ପଟରେ ଏଠାରେ ଦେଇ ଯାଇଥିବା ଦକ୍ଷିଣପୂର୍ବ ରେଳପଥ ପାରି ହୋଇ ହାଇଲେବେଲ କେନାଲକୁ ପାଣି ପିଇବାକୁ ଯିବା ସମୟରେ ରେଳ ଗାଡି ତଳକୁ ଆସି ନିଜର ଜୀବନ ହାରିଥାନ୍ତି । ଗତବର୍ଷ ଏହିଭଳି ଭାବରେ ଭାବରେ ଏକକାଳୀନ ୪ଟି ଖୁରିଙ୍ଗ ରେଳ ଚକା ତଳେ ପଡି ମୃତ୍ୟୁ ବରଣ କରିଥିଲେ । ଚଳିତ ବର୍ଷ ଗ୍ରୀଷ୍ମ ଅବକାଶର ଆରମ୍ଭରୁ ୪୦ଡିଂଗ୍ରୀ ଖରା ହେବା ଆରମ୍ଭ କରିସାରିଛି । ଏଭଳି ପରିସ୍ଥିତିରେ ଏହି ବନ୍ୟ ପଶୁପକ୍ଷୀଙ୍କ ନିମନ୍ତେ ଲକ୍ଷାଧିକ ଟଙ୍କା ବିିନିଯୋଗରେ ଖୋଳାଯାଇଥିବା ପୋଖରୀରେ ପାଣି ନଥିବାରୁ ବନ୍ୟ ପଶୁପକ୍ଷୀମାନେ ଗ୍ରାମ ଅଭିମୁଖେ ଅଗ୍ରସର ହେବାକୁ ଲାଗିଲେଣି । ଏହି ପାନୀୟ ଜଳ ନଥିବାରୁ ପୁଣି ସେମାନଙ୍କ ପାଇଁ ବିପଦ ସଙ୍କେତ ସୃଷ୍ଟି ହୋଇଛି । ଚଣ୍ଡିଖୋଲ ବନ ଅଧିନସ୍ଥ ଏହି ପୋଖରୀଟି ଏବେ ବନ୍ୟଜନ୍ତୁଙ୍କ କାର୍ଯ୍ୟରେ ଆସୁନି । ଫଳରେ ବିଭାଗ ଯେଉଁ ମହତ ଉଦେଶ୍ୟରେ ଏଠାରେ ପୋଖରୀଟି ଖୋଳିଥିଲେ ତାହା କାର୍ଯ୍ୟରେ ଲାଗୁନାହିଁ । ଉକ୍ତ ପୋଖରୀଟି ପାଇଁ ସରକାରୀ ଭାବରେ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇଥିଲେ ସୁଧା ତାହାର କୌଣସି ସୂଚନା ଫଳକ ସେଠାରେ ଲଗାଯାଇନାହିଁ । ଯଦି ବିଭାଗ ପକ୍ଷରୁ ଖୋଳାଯାଇଥିବା ଉକ୍ତ ପୋଖରୀ ପାଇଁ ନିକଟସ୍ଥ କୌଣସି ଜଳଉତ୍ସରୁ ଜଳ ଉଠାଇ, କିମ୍ଭା ସେଠାରେ ବୋରିଂ କରି ପୋଖରୀରେ ଜଳ ଭର୍ତ୍ତି କରାଗଲେ ତାହା ବନ୍ୟଜନ୍ତ ମାନେ ସୁବିଧାରେ ପାଣି ପିଇ ପାରିବେ ବୋଲି ବହୁ ପରିବେଶବିତ୍, ସମାଜସେବୀ ଏବଂ ବୁଦ୍ଧିଜିବୀ ମାନେ ମତ ପ୍ରକାଶ କରିଛନ୍ତି । ଏ ବିଷୟରେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଯୋଗଯୋଗ କରିଥିଲେ ସୁଧା ଯୋଗଯୋଗ ସମ୍ଭବ ହୋଇନଥିଲା ।
Copy right prohibited