ରାଉରକେଲା/ ଲାଠିକଟା, ୦୨/୦୯ (ସନ୍ଧାନ ନିଉଜ) : ରାଜ୍ୟ ମହାମାରୀ କରୋନା ସାଙ୍ଗକୁ ଉପକୂଳବର୍ତୀ ଜିଲା ଗୁଡ଼ିକରେ ଦାଉ ସାଜିଛି ବନ୍ୟା । ବନ୍ୟା ବିଭିଷୀକାରେ ଫସି ରହିଛି ଶହଶହ ଗ୍ରାମ ଓ ହଜାର ହଜାର ଲୋକ । ବିଶେଷ କରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱର ଆଦି ଜିଲାରେ ବନ୍ୟାଯୋଗୁ ଅନେକ ଲୋକ ଘୋର ଅସୁବିଧାରେ କାଳ କାଟୁଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ, ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ବସବାସ କରୁଥିବା ପୁରୀ, ବାଲେଶ୍ୱର, ଜଗତସିଂହପୁର, ପାରାଦୀପ, ଭଦ୍ରକ, କେନ୍ଦ୍ରାପଡ଼ା, ଆଳି, ପଟ୍ଟାମୁଣ୍ଡାଇ ଆଦି ଅଂଚଳର ବ୍ୟକ୍ତି ମାନେ ଗ୍ରାମରେ ବସବାସ କରୁଥିବା ସେମାନଙ୍କ ବନ୍ଧୁ ପରିଜନଙ୍କ ପାଇଁ ଚିନ୍ତିତ ଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗରେ ଲକ୍ ଡାଉନ ଯୋଗୁ ପୂର୍ବତଟ ରେଳବାଇର କିଛି ଟ୍ରେନ ବନ୍ଦ ଥିବା କାରଣରୁ ରାଉରକେଲାରୁ ସମସ୍ତ ଟ୍ରେନ ଚଳାଚଳ କରୁନାହିଁ । ସେହିପରି ରାଉରକେଲାକୁ ଦୁରଗାମୀ ବସସେବା ମଧ୍ୟ ଅନ୍ୟ ଜିଲାକୁ ସ୍ୱାଭାବିକ ହୋଇ ପାରିନାହିଁ । ଏପରିସ୍ଥଳେ ନିଜ ନିଜ ସମ୍ପର୍କୀୟ ମାନଙ୍କ ପାଖରେ ପହଂଚି ସେମାନଙ୍କୁ ସାହାଯ୍ୟ କରିବା ସମ୍ଭବପର ହୋଇପାରୁ ନାହିଁ ବୋଲି ସ୍ଥାନୀୟ ବାଲିଯୋଡ଼ି ଅଂଚଳରେ ରହୁଥିବା ବାଲେଶ୍ୱର ଜିଲା ଅନ୍ତର୍ଗତ ଭୋଗରାଇ ବ୍ଲକର ମୂଳନିବାସୀ ଅଜୟ କୁମାର ପଣ୍ଡା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ, ଗତ ମାର୍ଚ୍ଚ ମାସରେ ଲକ ଡାଉନ ଘୋଷଣା ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ପରିବାର ନିଜ ପୈତୃକ ଗ୍ରାମକୁ ଚାଲି ଯାଇଥିଲେ । ପରେ ଅନଲକ ପରେ ଜୀବନ ଜୀବିକା ସାମାନ୍ୟ ଭାବେ ସ୍ୱାଭାବିକ ହୋଇଥିଲେ ସୁଦ୍ଧା ବନ୍ୟା ତାଣ୍ଡବ ଯୋଗୁ ରାଉରକେଲାକୁ ଫେରି ଆସିବାକୁ ରାହା ପାଉନାହାନ୍ତି । ରାଉରକେଲା ସହର ସହିତ ସେମାନଙ୍କ ଜୀବିକା ଯୋଡ଼ି ହୋଇଥିବା ବେଳେ, କରୋନା ମହାମାରୀ ଓ ବନ୍ୟାର ପ୍ରକୋପ ସେମାନଙ୍କ ଆଗରେ ବାଟ ଓଗାଲିଛି! ବନ୍ୟାରେ ଫସି ରହିଥିବା ପରିଜନଙ୍କ ସହ କେବଳ ସୋସିଆଲ଼ ମିଡ଼ିଆ ଯେପରି ହ୍ୱାଟସ ଆପ, ଭିଡ଼ିଓ କରି ମୋବାଇଲ ଦ୍ୱାରା ସିଧାସଳଖ ସମ୍ପର୍କ ଯୋଡ଼ି ରାଉରକେଲାରେ ବସବାସ କରୁଥିବା ଉପକୂଳ ଅଂଚଳର ମୂଳବାସିନ୍ଦା ମାନେ ବନ୍ଧୁ, ପରିଜନଙ୍କ ହାନିଲାଭ ବୁଝୁଛନ୍ତି ।
ବନ୍ୟା ପ୍ରଭାବିତ ବନ୍ଧୁ କୁଟୁମ୍ବଙ୍କ ଚିନ୍ତାରେ ସହରବାସୀ
|
September 2, 2020 |
