ଢେଙ୍କାନାଳ, ୧୨/୦୧ /୨୦୧୨ (ସନ୍ଧାନ ନିଉଜ): ଫିଲ୍ମ ଷ୍ଟାଇଲ୍ରେ ମୁଖାପିନ୍ଧା ବନ୍ଧୁକଧାରୀ ବ୍ୟାଙ୍କରୁ ପ୍ରାୟ କୋଟିଏ ଟଙ୍କାର ଲୁଟ୍ କରିଛନ୍ତି । ଢେଙ୍କାନାଳ ରାସୋଳ ଥାନା ନିକଟରେ ଥିବା ଓଡି଼ଶା ଗ୍ରାମ୍ୟ ବ୍ୟାଙ୍କରୁ ଅପରାହ୍ନ ସମୟରେ ଦୁଇ ବୁଲେଟ୍ରେ ଚାରି ଦୁର୍ବତ୍ତ ଆସି ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ସୁନା ମିଶାଇ କୋଟିଏ ଟଙ୍କାର ସମ୍ପତି ଲୁଟ୍ କରିଛନ୍ତି।
ଲୁଟ୍ କରିବା ପୁର୍ବରୁ ଡକାୟତ ମାନେ ବ୍ୟାଙ୍କ କ୍ୟାସିୟର ଏବଂ ଫିଲ୍ଡ ଅଫିସରଙ୍କୁ ମାରଣାସ୍ତ୍ର ଦେଖାଇ ମାଡ଼ ମାରି କର୍ମଚାରୀଙ୍କୁ ଭୟଭିତ କରିଥିଲେ। ଏହା ପରେ ସମସ୍ତ କର୍ମଚାରୀଙ୍କୁ ଗୋଟିଏ କକ୍ଷରେ ବନ୍ଦକରି ଲକର୍ରୁ ଟଙ୍କା, ସୁନା ଲୁଟ୍ କରିବା ସହିତ ହାର୍ଡ ଡିସ୍କ ମଧ୍ୟ ଲୁଟି ନେଇଛନ୍ତି ଦୁର୍ବତ୍ତ।
ଖବର ପାଇ ରାସୋଳ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ବ୍ୟାଙ୍କ କର୍ମଚାରୀଙ୍କୁ ଉଦ୍ଧାର କରିବା ସହିତ ଆହାତଙ୍କୁ ମେଡିକାଲରେ ପଥମିକ ଚିକିତ୍ସା କରାଇ ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।