ଦେବକୁଣ୍ଡ, 31/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ଉଦଳା ତହସିଲ ଅଞ୍ଚଳରେ ବଢୁଛି ଲଘୁ ଖଣିଜ ଲୁଟ୍ ବାଲି, ମାଙ୍କଡ଼ା ପଥର, ମୋରମ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବାରେ ବିଫଳ ହେଉଛି ପ୍ରଶାସନ ଦେନିକ ଟ୍ରକ ଓ ଟ୍ରାକ୍ଟର ଯୋଗେ ଖୋଲାଖୋଲି ଖଣିଜ (ମୁଖ୍ୟତଃ ବାଲି) ଚାଲାଣ ହେଉଛି। ୨ଦିନ ତଳେ ଉଦଳା ଥାନା ଛକ ନିକଟରେ ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲା ତହସିଲ ପ୍ରଶାସନ ଟ୍ରାକ୍ଟରରେ କାଗଜପତ୍ର ଠିକ୍ ଥିଲା । ତେବେ ବାଲି ଚାଲାଣ ରସିଦରେ ଟ୍ରାକ୍ଟର ନମ୍ବର ଭୁଲ ଲେଖାଥିବା ଯୋଗୁଁ ୧୦ ହଜାର ଟଙ୍କା ଫାଇନ କଟାଯାଇଥିଲା । ହେଲେ ଏ ସବୁ କେବଳ ନାଁକୁ ମାତ୍ର ଚଢ଼ଉ ବାସ୍ତବରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ଲୁଟ୍ ହେଉଛି ଓ ସରକାରଙ୍କ ତହବିଲ ଖାଲି ପଡୁଛି। ସୂଚନା ଅନୁଯାୟୀ, ଏହି ତହସିଲ ଅଧୀନ ୧୧ଟି ଲଘୁ ଖଣିଜ ଖାଦାନ ଥିବା ବେଳେ ୩ଟି ଖାଦାନର ନିଲାମ ଅବଧି ସରିନାହିଁ। ଯେଉଁ ୮ଟି ଖାଦାନର ଅବଧି ସରିଛି ପୁନଃ ନିଲାମ ନହେବା ଯାଏ ସେଠାରୁ ଖଣିଜ ଉତ୍ତୋଳନ ବେଆଇନା। ହେଲେ ଉକ୍ତ ସମସ୍ତ ଖାଦାନରୁ ମନଇଚ୍ଛା ବାଲି, ପଥର ଉଠାଉଛନ୍ତି ମାଫିଆ। ବାଟସାରା ଚୋରା ଚାଲାଣ ହେଉଥିବା ଗାଡ଼ିକୁ ସୁରକ୍ଷା ଦେବା ପାଇଁ କିଛି ଗୁଣ୍ଡାଶ୍ରେଣୀୟ ଲୋକଙ୍କୁ ନିୟୋଜିତ କରାଯାଉଛି। ଏ ସମ୍ପର୍କରେ ଅଧିକାରୀମାନଙ୍କୁ ପଚରିବାରୁ ଉକ୍ତ ଖାଦାନଗୁଡ଼ିକୁ ପ୍ରଶାସନ ବନ୍ଦ କରିଦେଇଛି। କୀ ଭୀ ରାତିରେ କିମ୍ବା ଛୁଟି ଦିନମାନଙ୍କରେ ବାଲି ଉହେଉଛି । ସୂଚନା ଥିଲେ ପ୍ରଶାସନ ଚଢ଼ଉ କରୁଛି ବୋଲି କହୁଛନ୍ତି ଅଧିକାରୀ। ସେପଟେ ସ୍ଥାନୀୟ ଅଞ୍ଚଳରେ ବାଲିଟ୍ରିପ୍ ଦର ଆକାଶଛୁଆଁ ହେଲାଣି। ବେପାରୀଙ୍କ କହିବା କଥା, ସବୁ ସ୍ତରରେ ବଟି ଦେଇ ବାଲି ଉଠାଯାଉଛି। ତେଣୁ ବାଲି ଦର ବୃଦ୍ଧି ପାଉଛି। ଜିଲ୍ଲା ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଅଧିକାରୀ ଓ ଶକ୍ତ ଟିମ୍ ପ୍ରସ୍ତୁତ କରି ଚଢ଼ଉ ଜୋଦାର୍ କଲେ ହିଁ ଚୋରା କାରବାର ବନ୍ଦ ହୋଇପାରିବ ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି।
ବନ୍ଦ ପଡ଼ିଥିବା ଖାଦାନରୁ ଲୁଟ୍
|
October 31, 2020 |


