ନୂଆଦିଲ୍ଲୀ, ୨୪/୪(ସନ୍ଧାନ ନିୟୁଜ) : ଏବେ ବି ମେଲେରିଆ ଏକ ବଡ଼ ରୋଗ ବୋଲି ଜଣା ଯାଉଥିବା ବେଳେ ଏ ନେଇ ବିଶ୍ୱର ପ୍ରଥମ ଟିକା ବଜାରକୁ କରାଯାଇଛି । ମଲାଓ୍ୱି ପ୍ରଥମେ ଏହାକୁ ଲଞ୍ଚ କରିବାକୁ ଚାହୁଁଥିବା ବେଳେ ଏହି ନିଷତ୍ତିକୁ ସ୍ୱାଗତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପାଇଲଟ୍ ଯୋଜନା ଆକାରରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ଏହି ଟିକାର ନାଁ ରହିଛି ଆର୍ଟିଏସ୍, ଏସ୍ । ୨ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁଙ୍କୁ ଏହି ଟିକା ଦିଆ ଯାଇ ପାରିବ। ପ୍ରଥମେ ଏହାକୁ ମଲାଓ୍ୱିରେ ଲଞ୍ଚ କରାଯାଇଥିବା ବେଳେ ଏହାକୁ ଆଗାମୀ ସପ୍ତାହରେ କେନିଆ ଏବଂ ଘାନାରେ ଲଞ୍ଚ କରାଯିବ ବୋଲି ଜଣା ପଡ଼ିଛି ।
ମେଲେରିଆ ଏବେ ବି ଏକ ସାଂଘାତିକ ରୋଗ ଭାବରେ ଗଣା ଯାଉଥିବା ବେଳେ ପ୍ରତି ୨ମିନିଟ୍ରେ ଜଣେ ଶିଶୁ ମେଲେରିଆରେ ମୃତ୍ୟୁବରଣ କରୁଥିବା ଦାବି ହୋଇ ଆସୁଛି । ଆଫ୍ରିକାରେ ପ୍ରତି ବର୍ଷ ୨,୫୦,୦୦୦ଶିଶୁ ମେଲେରିଆରେ ମୃତ୍ୟୁବରଣ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ୫ବର୍ଷରୁ କମ ଶିଶୁମାନେ ଏହି ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । ସାରା ବିଶ୍ୱରେ ପ୍ରତି ବର୍ଷ ୪,୩୫,୦୦୦ହଜାର ଶିଶୁ ଏହି ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଥିବା ଜଣା ପଡ଼ିଛି ।
ବିଗତ ୧୫ବର୍ଷ ମଧ୍ୟରେ ମେଲେରିଆକୁ ରୋକିବା ପାଇଁ ଅନେକ ଉପାୟ ଆପଣା ଯାଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏହାର ବିଶେଷ ଲାଭ ଦେଖିବାକୁ ମିଳି ନାହିଁ । ଏହାକୁ ମୂଲପୋଛ କରିବା ପାଇଁ ନୂଆ ଚିକିତ୍ସାର ଆବଶ୍ୟକତା ଥିବା ବେଳେ ଆର୍ଟିଏସ୍, ଏସ୍ ଟିକା ସେହି କାମ କରିବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ।