ଶ୍ରୀନଗର, ୧୧/୮ (ସନ୍ଧନ ନିଉଜ) : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘଟିବା ପରେ ଏଯାବତ୍ ସଂପୃକ୍ତ ଅଞ୍ଚଳର ସ୍ଥିତି ସ୍ୱାଭାବିକ ହୋଇପାରି ନାହିଁ। ଏହି କାରଣରୁ ଆସନ୍ତା ୧୭-୧୮ ତାରିଖରେ ହେବାକୁ ଥିବା ଅନେକ ବାହାଘର ପାଇଁ ଅତିଥିମାନଙ୍କୁ ଦିଆ ଯାଇଥିବା ନିମନ୍ତ୍ରଣକୁ ବାତିଲ୍ କରାଯାଇଛି। ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ଜଣାଶୁଣା ଖବରକାଗଜ ‘ଗ୍ରେଟ୍ର କଶ୍ମୀର’ର ପୃଷ୍ଠା ୩ରେ ‘ଇନ୍ଭିଟେସନ୍ କ୍ୟାନ୍ସେଲ୍ଡ’ ବୋଲି ବହୁ ବିଜ୍ଞାପନ ଦେଖିବାକୁ ମିଳିଛି। ଏହା ଏକ ସଂପୂର୍ଣ୍ଣ ନୂଆ କଥା। ପୂର୍ବରୁ କେଉଁ ବି ଖବରକାଗଜରେ ଏପରି ଭାବେ ନିମନ୍ତ୍ରଣ ବାତିଲ୍ ବିଜ୍ଞାପନ ଦେଖିବାକୁ ମିଳିନଥିଲା।
ଉଲ୍ଲେଖଯୋଗ୍ୟ, ଗତ ୫ ତାରିଖ ଦିନ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘୋଷଣା କରିବା ପରେ ସଂପୃକ୍ତ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି। ସେହିଦିନଠାରୁ ସଂପୃକ୍ତ ଅଞ୍ଚଳରେ ଇଣ୍ଟର୍ନେଟ୍, ଟେଲିଫୋନ୍ ସେବା ବାଧାପ୍ରାପ୍ତ ହେବା ସହ ବହୁ ସ୍ଥାନରେ କର୍ଫ୍ୟୁ ଜାରି ହୋଇଛି। ଏହି କାରଣରୁ ନିଜ ନିଜର ସଂପର୍କୀୟମାନଙ୍କ ସହ ଯୋଗାଯୋଗ ନକରିପାରୁଥିବା ବର-କନ୍ୟା ପକ୍ଷ ଖବରକାଗଜରେ ‘ଇନ୍ଭିଟେସନ୍ କ୍ୟାନ୍ସେଲ୍ଡ’ ବିଜ୍ଞାପନ ଦେଇଛନ୍ତି।