ନୂଆଦିଲ୍ଲୀ, ୨୨/୧୧(ସନ୍ଧାନ ନିୟୁଜ): ଦୁନିଆର ସବୁଠାରୁ ବଡ଼ ଏବଂ ଚର୍ଚ୍ଚିତ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମ ଫେସ୍ବୁକ୍ ଏକ ନୂଆ ଟୁଲ ଲଞ୍ଚ କରିଛି । ଏହି ଟୁଲର ନାମ ଟାଇମ୍ ମ୍ୟାନେଜ୍ମେଣ୍ଟ ଟୁଲ ରଖାଯାଇଛି । ଏହା ଫେସ୍ବୁକ୍ର ମୋବାଇଲ ଆପ୍ଲିକେସନରେ ଅଧିକ ସମୟ ବିତାଉଥିବା ବ୍ୟବହାରକାରୀଙ୍କୁ ଅଲର୍ଟ କରିବ ।
ଏହି ଟୁଲ ବ୍ୟବହାରକାରୀଙ୍କୁ ଆପ୍ଲିକେସନର ମେନ୍ୟୁରେ ଥିବା ‘ସେଟିଙ୍ଗ୍ସ ଆଣ୍ଡ ପ୍ରାଇଭେସି’ ଭିତରେ ୟୋର ଟାଇମ୍ ଅନ୍ ଫେସ୍ବୁକ୍ରେ ମିଳି ପାରିବ । ଏହି ଟୁଲ ମାଧ୍ୟମରେ ବ୍ୟବହାରକାରୀମାନେ ଦିନ ହିସାବରେ ରିମାଇଣ୍ଡର ଲଗାଇ ପାରିବେ । ଏହା ପରେ ଦେଇଥିବା ସମୟରେ ଫେସ୍ବୁକ୍ ତରଫରୁ ବ୍ୟବହାରକାରୀଙ୍କ ପାଖକୁ ଆଲର୍ଟ ଆସିଯିବ ।
ଉଦାହରଣ ସ୍ୱରୁପ, ଯଦି ଜଣେ ବ୍ୟବହାରକାରୀ ଅଧ ଘଣ୍ଟାରୁ ଅଧିକ ଫେସ୍ବୁକ୍ରେ ବିତାଇବାକୁ ଚାହୁଁ ନାହିଁ,ତେବେ ସେ ସେଟିଙ୍ଗ୍କୁ ଯାଇ ନିଜର ଟାଇମ୍ ଲିମିଟ୍ ସେଟ୍ କରି ପାରିବେ । ଯେତେବେଳେ ଦେଇଥିବା ସମୟ ସୀମାକୁ ଆପଣ ଅତିକ୍ରମ କରିବେ, ସେ ସମୟରେ ତୁରନ୍ତ ଆପଣଙ୍କ ପାଖକୁ ଆଲର୍ଟ ଆସିଯିବ । ଏହି ସମୟ ଅବଧିକୁ ଆପଣ ଚାହିଁଲେ ନିଜ ହିସାବରେ ବଦଳାଇ ପାରିବେ । ତେବେ ଏହି ସୁବିଧା ପାଇଁ ପ୍ରଥମେ ଗୁଗଲ ପ୍ଲେ ଷ୍ଟୋରରୁ ଫେସ୍ବୁକ୍ର ଲାଟେଷ୍ଟ ଭର୍ଜନ ଡ଼ାଉନ୍ଲୋଡ଼୍ କରନ୍ତୁ ।



