ଫେଲ ମାରିଲା ସରକାରଙ୍କ ଆମ ବ୍ୟାଙ୍କ ଯୋଜନା।

Spread the love

ଜେନାପୁର/,୧୪/୯ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲାର ପ୍ରାୟ ସମସ୍ତ ପଞ୍ଚାୟତ ରେ ଖୋଲା ଯାଇଥିବା ଆମ ବ୍ୟାଙ୍କ ଗୁଡ଼ିକରେ ତାଲା ଝୁଲି ରହିଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ଏହା ଭିତରେ ସରକାରୀ ସହାୟତା ଭାବେ ଯୋଗାଇ ଦିଆଯାଇଥିବା ବିଭିନ୍ନ ଉପକରଣ ଖରାପ ହୋଇ ଯାଇଥିବା ଜଣାପଡିଛି। ଦୀର୍ଘ ଦିନ ଧରି ବ୍ୟବହାର ନ ହେବା କାରଣରୁ ସରକାରଙ୍କ ଟଙ୍କା ଅଯଥା ନଷ୍ଟ ହେଉଛି। ସରକାର ଡିବିଟି ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ର ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଉଛନ୍ତି। ପାଖରେ ବ୍ୟାଙ୍କ ନ ଥିବାରୁ ହିତାଧିକାରୀ ମାନେ ଟଙ୍କା ଉଠାଇବା ପାଇଁ ହଇରାଣ ହେଉଥିବା ସରକାର ଙ୍କ ନଜର କୁ ଆସିଥିଲା।ବାର୍ଦ୍ଧକ୍ୟ ,ବିଧବା, ବିକଳାଙ୍ଗ ଭତ୍ତା, ଗୃହ ନିର୍ମାଣ ସହାୟତା, ଶ୍ରମିକ କଲ୍ୟାଣ ସହାୟତା, ଏନଆରଇଜିଏସ ମଜୁରୀ, ମମତା ଯୋଜନା ସହାୟତା, ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ସହାୟତା, ଆଦି ଅର୍ଥ ଉଠାଇବା ନିମନ୍ତେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସୁବିଧା କରିବା ପାଇଁ ତତ୍କାଳୀନ ସରକାର ବ୍ୟବସ୍ଥା କରିଥିଲେ। ରାଜ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ୪୩୭୩ ପଞ୍ଚାୟତ ରେ ବ୍ୟାଙ୍କ ସୁବିଧା ନ ଥିଲା। ପୂର୍ବ ସରକାର ୨୮ ନଭେମ୍ବର ୨୦୨୩ ରେ ପ୍ରଥମ ପର୍ଯ୍ୟାୟରେ ୭୫୦ ଗୋଟି ଆମ ବ୍ୟାଙ୍କ ସେବା ଖୋଲିଥିଲେ। ଏହା ପରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଫେବୃଆରୀ ୨୦୨୪ ରେ ଆଉ ୨ ହଜାର ପଞ୍ଚାୟତ ରେ ଏହି ବ୍ୟାଙ୍କ ଖୋଲା ଯାଇଥିଲା।ସମସ୍ତ ପଞ୍ଚାୟତରେ ଆମ ବ୍ୟାଙ୍କ ପାଇଁ ଗୃହ ନିର୍ମାଣ ସହ ଆବଶ୍ୟକୀୟ ସମସ୍ତ ସୁବିଧା ଯୋଗାଇ ଦିଆ ଯାଇଥିଲା। ବିଭିନ୍ନ ଇଲକ୍ଟ୍ରୋନିକ ଉପକରଣ, ଇଣ୍ଟରନେଟ ଏବଂ ବ୍ୟାଙ୍କ ବିସି (ବିଜିନେସ କରସପେଣ୍ଡସ) ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ବିସି ମାନେ ଉକ୍ତ କାର୍ଯ୍ୟାଳୟ ରେ ବସି କିଛି ମାସ କାର୍ଯ୍ୟ ମଧ୍ୟ କରିଥିଲେ। ଏହି ବ୍ୟାଙ୍କ ଗୁଡ଼ିକରେ ୧୫ ଗୋଟି ସେବା ଉପଲବ୍ଧ ହେଉଥିବାର ସୁବିଧା କରାଯାଇଥିଲା। ଲୋକ ମାନେ ଉପକୃତ ମଧ୍ୟ ହେଉଥିଲେ। ସାଧାରଣ ଲୋକଟିଏ ଏହି ବ୍ୟାଙ୍କ ସେବା ପାଇବା ପରେ ଆଉ ଦୂରକୁ ଯାଇ ଅଯଥା ଗାଡ଼ି ଖର୍ଚ୍ଚ, ସମୟ ନଷ୍ଟ କିମ୍ବା ମହିଳା ମାନେ ଦୂର ବ୍ୟାଙ୍କକୁ ଯାଇ ନିରାପଦ ଅନୁଭବ ନ କରିବା ଆଦି ଚିନ୍ତା କମି ଯାଇଥିଲା।ମାତ୍ର ନୂଆ ସରକାର କ୍ଷମତା କୁ ଆସିବା ପରେ ପୂର୍ବ ସରକାରଙ୍କର ଏହି ଲୋକାଭିମୁଖୀ ଯୋଜନାକୁ ଅଣଦେଖା କଲେ। ଯାହା ଫଳରେ ସାରା ଓଡ଼ିଶାରେ ଖୋଲା ଯାଇଥିବା ମୋ ବ୍ୟାଙ୍କ ଗୁଡ଼ିକ ଏକ ପ୍ରକାର ଅଚଳ ହୋଇ ଯାଇଛି। ଯେଉଁଠି ଦେଖିବ ଖାଲି ତାଲା ଝୁଲୁଛି।ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକ ମାନଙ୍କୁ ଘର ପାଖରେ ସୁବିଧା ସୁଯୋଗ ପହଞ୍ଚାଇ ଦେବା ପାଇଁ ଯୋଜନା କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ପାରିଲା ନାହିଁ। ପୂର୍ବ ସରକାରଙ୍କର ପ୍ରତିଟି ଯୋଜନା ର ରଙ୍ଗ ବଦଳାଉ ଥିବା ଦେଖିବାକୁ ମିଳୁ ଥିବା ବେଳେ ଆମ ବ୍ୟାଙ୍କ ଯୋଜନା ର ରୂପରଙ୍ଗ କେବେ ବଦଳିବ ଏବଂ ଏହା କେବେ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଯଥା ପୂର୍ବ ତଥା ପର ପରି ହିତାଧିକାରୀ ମାନେ ଏବେ ନିଜ ପ୍ରାପ୍ୟ ପାଇଁ ୧୦/ ୧୫ କିଲୋମିଟର ଦୌଡ଼ିବାକୁ ପଡୁଛି। ବିଶେଷ କରି ବୃଦ୍ଧ, ବୃଦ୍ଧା ,ଗର୍ଭବତୀ ମହିଳା , ବିକଳାଙ୍ଗ, ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।ଏହି ଯୋଜନାର ଭବିଷ୍ୟତ ଭଲ ନ ଥିବା ଜଣାପଡୁଛି। ନୂଆ ସରକାର ନୂଆ ରୂପରେ ଯଦି ଏହି ଯୋଜନାକୁ ଆଗକୁ ନେଇ ପାରନ୍ତେ ତେବେ ବହୁ ହିତାଧିକାରୀ ବିଶେଷ କରି ସୁଭଦ୍ରା ହିତାଧିକାରୀ ମାନେ ଆଉ ବ୍ୟାଙ୍କ କୁ ଦୌଡ଼ନ୍ତେ ନାହିଁ।

Related Posts

About The Author

Add Comment