ବାଲେଶ୍ଵର ୦୭/୦୮/୨୦୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):-ସହରରେ ଅଘୋଷିତ ବିଜୁଳିକାଟ୍ ସୀମା ଟପିଗଲାଣି । ଗୋଟିଏ ପଟେ କରୋନା ସଂକ୍ରମଣ ଲୋକଙ୍କ ଜୀବନଜୀବିକାକୁ ଦୁର୍ବିଷହ କରିଥିବା ବେଳେ ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ନେସ୍କୋ ଘନ ଘନ ବିଦ୍ୟୁତ୍ କାଟ କରି ଲୋକଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ବାଲେଶ୍ଵର ସହରର ଅଙ୍ଗାରଗଡ଼ିଆ, ଶୋଭାରାମପୁର, ଫକୀରମୋହନ ନଗର, ଆଜିମାବାଦ, ସୁନହଟ୍, ପୁରୁଣାବାଲେଶ୍ଵର, ବାରବାଟୀ, ମାଣିଖମ୍ବ, ଗୋପାଳଗାଁ, ନୂଆବଜାର, ମୋତି ରଂଜ ବଜାର, ଭାସ୍କରଗଂଜ, ସହଦେବଖୁଣ୍ଟା ଭଳି ସହରର ଅନେକ ଅଞ୍ଚଳରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତକାଟ ଏକ ପ୍ରମୁଖ ସମସ୍ୟା ପାଲଟିଛି । ଏହାବାଦ୍ ସହର ଉପକଣ୍ଠରେ ଥିବା କୁରୁଡ଼ା, ମେଘଡମ୍ବରୁ, ଫୁଲାଡ଼ି, ସିନ୍ଧିଆ, ଭୀମପୁରା, ବାଲିଆ, ସମଲପୁର ଭଳି ଅଞ୍ଚଳ କଥା ନ କହିବା ଭଲ । ନା ବର୍ଷା ଘଡ଼ଘଡ଼ି ନା ପବନ, ବିନା କାରଣରେ ତଥା ବିନା ସୂଚନାରେ ବିଦ୍ୟୁତ କାଟ କରାଯାଉଛି । ଦିନରାତି ମିଶି ୧୦ରୁ ୧୫ ଥର ଲାଇନ୍ କଟୁଥିବା ବେଳେ ନେସ୍କୋ ବିରୋଧରେ ଏକ ଜନଆନ୍ଦୋଳନ ଦାନା ବାନ୍ଧୁଥିବା ସୂଚନା ମିଳିଛି। । ତେବେ ବାଲେଶ୍ଵର, ସହର ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଦୁର୍ଦଶା ଏମିତି ଥିବା ବେଳେ ସାରା ଗ୍ରାମାଞ୍ଚଳରେ ବିଦ୍ୟୁତ୍ ଯୋଗାଣସ୍ଥିତି କିପରି ଥିବ ତାହା ଅନୁମାନ କରିହେଉଛି। | ସିମୁଳିଆଠାରୁ ଆରମ୍ଭ କରି ଭୋଗରାଇ, ବାହାନଗାରୁ ରେମୁଣା, ନୀଳଗିରି, ଔପଦା, ବସ୍ତା ବାଲିଆପାଳ,ଜଳେଶ୍ଵର ଏବଂ ଭୋଗରାଇ ଆଦି ସବୁ ଅଞ୍ଚଳରେ ଘନ ଘନ ବିଦ୍ୟୁତ୍ କାଟ ସମସ୍ୟା ଜନସାଧାରଣଙ୍କୁ ଅସହ୍ୟ କରିସାରିଲାଣି କରୋନା ସଂକ୍ରମଣ ପରିସ୍ଥିତିରେ ଲୋକଙ୍କୁ ବାହାରକୁ ବାହାରିବା ପାଇଁ ମନା କରାଯାଇଥିବା ବେଳେ ବିଦ୍ୟୁତକାଟ ଯୋଗୁଁ ଲୋକେ ଗରମଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି । ନା ଟିଭି ଦେଖିହେଉଛି, ନା ଫାନ୍ କିମ୍ବା ଏସିର ବ୍ୟବହାର କରିହେଉଛି। ପିଲାମାନଙ୍କର ଅନଲାଇନ କ୍ଲାସ ମଧ୍ୟ ପ୍ରଭାବିତ ହେଉଛି । ବିଦ୍ୟୁତ୍ କାଟ ସମସ୍ୟା ଯୋଗୁଁ କଳକାରଖାନା ଏପରିକି ସରକାରୀ କାର୍ଯ୍ୟାଳୟର କାମ ମଧ୍ୟ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ବିଦ୍ୟୁଟକୁ ନେଇ ବାଲେଶ୍ଵର ସହରର ଚିଡ଼ିଆପୋଲ କାଳୀମନ୍ଦିର ନିକଟ ବିଦ୍ୟୁତ କାର୍ଯ୍ୟାଳୟରେ ପଶି ଆଜି ସ୍ଥାନୀୟ ଲୋକ ହୋ-ହଲ୍ଲା କରିଥିଲେ । ଉଭ୍ୟକ୍ତ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଘେରିଯାଇ ଅସନ୍ତୋଷ ଝାଡ଼ିବା ପରେ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରତି ଦିଆଯାଇଥିଲା। ତେବେ ଅମ୍ଫାନରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର କାମ ଅସ୍ଥାୟୀ ଭାବେ କରାଯାଇଥିବା ବେଳେ କରୋନା କାରଣରୁ ତାହା ୩ ମାସ ହେଲା ବନ୍ଦ ରହିଥିଲା । ଏବେ ପୁନରୁଦ୍ଧାର କାମ ଚାଲିଥିବା ବେଳେ ଆବଶ୍ୟକ ବେଳେ ବିଦ୍ୟୁତ୍ କାଟ କରିବାକୁ ପଡ଼ିଛି । ଆଗାମୀ ୧୫/୨୦ ଦିନ ମଧ୍ୟରେ ସ୍ଥିତିରେ ଉନ୍ନତି ଘଟିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ କତ୍ତୃପକ୍ଷଙ୍କ ଏହି ପ୍ରତିଶ୍ରୁତିକୁ ବିଭିନ୍ନ ସଂଗଠନ ପ୍ରହସନ ବୋଲି ଅଭିଯୋଗ କରିଛନ୍ତି। କେଉଁ କାରଣରୁ ବିଦ୍ୟୁତ୍ କଟାଯିବ ସେନେଇ ନେସ୍କୋ ପକ୍ଷରୁ ମେସେଜ୍ ମାଧ୍ୟମରେ ଜଣାଇବାର ବ୍ୟବସ୍ଥା ରହିଥିଲେ ବି କିଛି କରାଯାଉନାହିଁ। ଏହାଛଡ଼ା ବିଭାଗ ଜାରି କରିଥିବା ହେଲ୍ପଲାଇନ ନମ୍ବରରେ କଲ୍ କଲେ ବି କେହି ଫୋନ୍ ଉଠାଉନାହାନ୍ତି। ଏହାଛଡ଼ା ବାଲେଶ୍ଵର ସହରରେ ବିଭିନ୍ନ ଅଞ୍ଚଳ ପାଇଁ ନିୟୋଜିତ ହୋଇଥିବା ଅଧିକାରୀମାନେ ମଧ୍ୟ କେହି ଫୋନ୍କଲେ ଉଠାଉନାହାନ୍ତି। ତେଣୁ ବିଦ୍ୟୁତ୍ କୁ ନେଇ ଲୋକଙ୍କୁ ଏକ ପ୍ରକାର ନିର୍ଯାତନା ଦିଆଯାଉଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ । ନହେଲେ ଖୁବଶୀଘ୍ର ବିଦ୍ୟୁତ୍ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଫେଲ ମାରିଛି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପ୍ରତିଶ୍ରୁତି
|
August 7, 2020 |